ଉତ୍କଳ ବିଶ୍ୱବିଦ୍ୟାଳୟ ବ୍ୟାକ୍‌ ପରୀକ୍ଷା ଫଳ ପ୍ରକାଶ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ୨୦୧୨ରୁ ୨୦୧୪ ମଧ୍ୟରେ ଯୁକ୍ତ୩ କଲେଜରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ବ୍ୟାକ୍‌ ପରୀକ୍ଷା ଫଳ ପ୍ରକାଶ ପାଇଛି। ଆଜି ମଧ୍ୟାହ୍ନରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଫଳ ପ୍ରକାଶ କରାଯାଇଛି। ଉକ୍ତ ତିନି ବର୍ଷ ମଧ୍ୟରୁ ୨୦୧୪ରେ ପାସ୍‌ହାର ସର୍ବାଧିକ ରହିଥିବା ଜଣାପଡ଼ିଛି। ୨୦୧୪ରେ ବ୍ୟାକ୍‌ ଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ କଳାରେ ପାସ୍‌ହାର ୮୮.୦୯% ହୋଇଛି। କଳାରେ ଅନର୍ସ ଓ ପାସ୍‌ରେ ପରୀକ୍ଷା ଦେଇଥିବା ୫ ହଜାର ୫୦୧ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪ ହଜାର ୮୪୬ ଜଣ କୃତକାର୍ଯ୍ୟ ହୋଇଛନ୍ତି। ବିଜ୍ଞାନରେ ବିଭାଗରେ ପରୀକ୍ଷା ଦେଇଥିବା ୧୮୧୧ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୭୧୩ ଜଣ ପାସ୍‌ କରିଛନ୍ତି। ବାଣିଜ୍ୟରେ ପରୀକ୍ଷା ଦେଇଥିବା ୧୧୨୫ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୦୪୧ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ୨୦୧୩ରେ ନାମଲେଖାଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ କଳା ବିଭାଗରେ ୫୫୪ ଜଣ ପରୀକ୍ଷା ଦେଇଥିବା ବେଳେ ୪୫୦ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୮୧.୨୩% ରହିଛି। ବିଜ୍ଞାନରେ ୧୬୬ ପାରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୨୯ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପାସ୍‌ହାର ୭୭.୭୧% ରହିଛି। ବାଣିଜ୍ୟରେ ୧୦୭ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୮୭ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୮୧.୩୧% ରହିଛି। ୨୦୧୨ରେ ନାମଲେଖାଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ କଳାରେ ୧୦୯ ଜଣ ପରୀକ୍ଷା ଦେଇଥିଲେ। ୯୪ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୮୬.୨୪% ରହିଛି। ବିଜ୍ଞାନରେ ୪୮ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୩ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ପାସ୍‌ହାର ୮୯.୫୮% ରହିଛି। ବାଣିଜ୍ୟରେ ୨୨ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୬ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୭୨.୭୩% ହୋଇଥିବା ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ପ୍ରଦୀପ କୁମାର ବେହେରା କହିଛନ୍ତି।

ସମ୍ବନ୍ଧିତ ଖବର