ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ଅଧୀନସ୍ଥ ଯୁକ୍ତ୩ କଲେଜଗୁଡ଼ିକ ଲାଗି ମାର୍ଚ୍ଚ ମାସରେ ଅନୁଷ୍ଠିତ ହୋଇଥିଲା ପରୀକ୍ଷା। ତିନି ମାସ ପରେ ଅର୍ଥାତ୍‌ ଆଜି ଫଳ ପ୍ରକାଶ ପାଇଛି। ସେଥିରେ ପୁଣି ୧୪ ହଜାର ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରକାଶ କରାଯାଇ ନାହିଁ। ଦ୍ବିତୀୟ ଓ ୪ର୍ଥ ସେମିଷ୍ଟାର ବ୍ୟାକ୍‌ ଥିବା ୧୩ ହଜାର ୩୦୩ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ବାହାରିନି। ଏଥିସହ ୪ଟି କଲେଜର ୪୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଖାତା ମିଳୁନି। ତେଣୁ ସେମାନଙ୍କ ଫଳ ବାହାରିନି। ଏମିତି ଭାବେ ପ୍ରାୟ ୧୪ ହଜାର ଛାତ୍ରଛାତ୍ରୀଙ୍କ ଭାଗ୍ୟ ଏବେ ଝୁଲି ରହିଛି। ପରୀକ୍ଷାର ୯୦ ଦିନ ପରେ ଫଳ ପ୍ରକାଶ ପାଇ ଥିଲେ ମଧ୍ୟ ଟପର୍‌ ତାଲିକା ବାହାରିନି।

Advertisment

ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ୯୦ ଦିନ ବିଳମ୍ବ ହେବା‌ ନେଇ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ବାତ୍ୟା ଓ ନିର୍ବାଚନକୁ ଦୋଷ ଦେଇଛନ୍ତି। ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଶରତ ଚନ୍ଦ୍ର ମାଝି କହିଛନ୍ତି ଯେ ବାତ୍ୟା ଯୋଗୁଁ ଖାତା ମୂଲ୍ୟାୟନ ଠିକ୍‌ ସମୟରେ ହୋଇପାରି ନାହିଁ। ମେ’ ୨ରୁ ୨୦ ତାରିଖ ଯାଏ ବିଦ୍ୟୁତ୍‌ ନ ଥିଲା। ଏଥିସହ ପ୍ରଥମ ଥର ଲାଗି ଚଏସ୍‌ ବେସଡ୍‌ କ୍ରେଡିଟ୍‌ ସିଷ୍ଟମ(ସିବିସିଏସ୍‌) ସିଷ୍ଟମରେ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାରୁ ବିଳମ୍ବ ହୋଇଛି। ଦ୍ବିତୀୟ ଓ ୪ର୍ଥ ‌ସେମିଷ୍ଟର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଏବେ ସରିଛି। ଫଳ ପ୍ରକାଶ ବେଳକୁ ଆହୁରି ୨୦ରୁ ୨୫ ଦିନ ସମୟ ଲାଗିବ ବୋଲି କହିଛନ୍ତି। ୪୦୦ ପିଲାଙ୍କ ଖାତା ନ ମିଳିବା ନେଇ ଶ୍ରୀ ମାଝି ସ୍ପଷ୍ଟ କରିଛନ୍ତି ଯେ କଲେଜସ୍ତରରେ ତ୍ରୁଟି ରହିଛି। ୩ରୁ ୪ଟି କଲେଜ କର୍ତୃପକ୍ଷ ପିଲାଙ୍କ ଖାତା ପଠାଇ ନାହାନ୍ତି। କିମ୍ବା ଡାକ ଯୋଗ‌େ ଆସି ନାହିଁ। ବିଶ୍ବବିଦ୍ୟାଳୟରେ ଉତ୍ତର ଖାତା ପହଞ୍ଚି ନଥିବାରୁ ଫଳ ପ୍ରକାଶ କରାଯାଇ ନାହିଁ। ବହୁ ପିଲାଙ୍କ ଫଳ ପ୍ରକାଶ ପାଇ ନଥିବାରୁ ଟପର୍‌ ତାଲିକା ପ୍ରକାଶ କରାଯାଇ ନଥିବା ସେ ସୂଚନା ଦେଇଛନ୍ତି। ତେ‌ବେ ଏଠାରେ ପ୍ରଶ୍ନ ଉଠୁଛି ଯେ ବିଗତ ୪ ବର୍ଷ ହେଲା ଏପ୍ରିଲ ମାସରେ ପରୀକ୍ଷା ଫଳ ପ୍ରକାଶ ପାଉଥିବା ବେଳେ ଏଥର ବିଳମ୍ବ ହେଲା କାହିଁକି? ବ୍ୟାକ୍‌ ପେପର୍‌ ରହିଥିବା ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ୨୫ ଦିନ ପରେ ବାହାରିଲା ବେଳକୁ ସମସ୍ତ ବିଶ୍ବବିଦ୍ୟାଳୟର ପିଜି ପାଠ୍ୟକ୍ରମରେ ନାମଲେଖା ସରିଯାଇଥିବ। ତେଣୁ ପାସ୍‌ କରିଥିବା ପିଲାମାନେ କ’ଣ ପଢ଼ିବେ? ସେମାନଙ୍କ ଭବିଷ୍ୟତ କ’ଣ ହେବ? ୪୦୦ ପିଲାଙ୍କ ଖାତା କୁଆଡ଼େ ଗଲା? ସେମାନେ ଏବେ କ’ଣ କରିବେ? ୪ଟି କଲେଜ ଉତ୍ତର ଖାତା ପହଞ୍ଚି ନଥିଲେ ମଧ୍ୟ ୯୦ ଦିନ ହେଲା ବିଶ୍ବବିଦ୍ୟାଳୟରେ କର୍ତୃପକ୍ଷ କଲେଜଗୁଡ଼ିକୁ କାହିଁକି ଅବଗତ କରିଲେ ନାହିଁ?

ଏହାରି ଭିତରେ ବିଶ୍ବବିଦ୍ୟାଳୟ ଅଧୀନରେ ଯୁକ୍ତ୩ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ପରୀକ୍ଷା ଦେଇଥିବା ୬୨ ହଜାର ୮୪ ଜଣ ଛାତ୍ରଛାତ୍ରୀ ଫଳ ପ୍ରକାଶ କରାଯାଇଛି। କଳା ବିଭାଗରେ ପରୀକ୍ଷା ଦେଇଥିବା ୨୯ ହଜାର ୯୨୭ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୨ ହଜାର ୭୧୮ ଜଣଙ୍କ ଫଳ ପ୍ରକାଶ ପାଇଛି। ୧୬ ହଜାର ୨୮ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୭୧% ରହିଛି। ଆର୍ଟସ୍‌ କୋର(ଅନର୍ସ) ବିଷୟରେ ୧୭ ହଜାର ୧୮୭ ଜଣ ପାସ୍‌ କରିଥିବା ବେଳେ ଆର୍ଟସ ଜେନେରାଲ(ପାସ୍‌)ରେ ୨୧୩୩ ଜଣ ସଫଳ ହୋଇଛନ୍ତି। ‌ବେଗୁନିଆ କଲେଜର ଶିକ୍ଷା ବିଭାଗ ଛାତ୍ରୀ ସୋନାଲି ବେହେରା ସିଜିପିଏ-୯(ଏ+ ଗ୍ରେଡ୍‌) ରଖି ଆଗରେ ରହିଛନ୍ତି। କଳା ବିଭାଗରେ କେହି ବି ୯୦%ରୁ ଅଧିକ ମାର୍କ(ଓ ଗ୍ରେଡ୍‌) ରଖିପାରି ନାହାନ୍ତି। ୭୦ ଜଣ ୮୦ରୁ ୮୯%(ଏ+ ଗ୍ରେଡ୍‌) ପାଇଛନ୍ତି। ୭ ଜଣ ମାଲ୍‌ପ୍ରାକ୍ଟିସ୍‌(ଏମ୍‌ପି)ରେ ଧରାପଡ଼ିଛନ୍ତି। ବିଜ୍ଞାନ ବିଭାଗରେ ପରୀକ୍ଷା ଦେଇଥିବା ୧୨ ହଜାର ୧୭୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୮୧୮୯ ଜଣଙ୍କ ଫଳ ବାହାରିଛି। ୭୫୩୨ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୯୨ ପ୍ରତିଶତ ରହିଛି। ସାଇନ୍ସ କୋର୍‌(ଅନର୍ସ)ରେ ୬୮୯୯ ଜଣ ଓ ସାଇନ୍ସ ଜେନେରାଲ(ପାସ୍‌)ରେ ୬୩୩ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଷ୍ଟୁଆର୍ଟ କଲେଜର ଜୁଲୋଜି ବିଭାଗ ଛାତ୍ରୀ ବିଦିଶା ସାହୁ ସିଜିପିଏ-୯.୮୬(ଓ ଗ୍ରେଡ୍‌) ରଖି ଆଗରେ ଅଛନ୍ତି। ବିଜ୍ଞାନ ବିଭାଗରେ ଦୁଇ ଜଣ ‘ଓ’ ଗ୍ରେଡ୍‌ ରଖିଥିବା ବେଳେ ୬୬୯ ଜଣ ‘ଏ+’ ଗ୍ରେଡ୍‌ ପାଇଛନ୍ତି। କେହି ଏମ୍‌ପି ହୋଇନାହାନ୍ତି। ବାଣିଜ୍ୟ ବିଭାଗରେ ପରୀକ୍ଷା ଦେଇଥିବା ୫୨୯୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୧୭୭ ଜଣଙ୍କ ଫଳ ବାହାରିଛି। ୨୬୪୧ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୮୩% ରହିଛି। କମର୍ସ କୋର୍‌(ଅନର୍ସ)ରେ ୪୬୮୮ ଜଣ ପରୀକ୍ଷା ଦେଇଥିବା ବେଳେ ୨୮୫୫ ଜଣଙ୍କ ଫଳ ବାହାରିଛି। ୨୩୯୪ ଜଣ ପାସ୍‌ କରିଛନ୍ତି। କମର୍ସ ଜେନେରାଲ(ପାସ୍‌)ରେ ୨୪୭ ଜଣ ପାସ୍‌ କରିଥିବା ଜଣାପଡ଼ିଛି। ଡିଏଭି ସ୍କୁଲ ଅଫ୍‌ ବିଜିନେସ୍‌ ମ୍ୟାନେଜ୍‌ମେଣ୍ଟର ଶୁଭଶ୍ରୀ ମହାରଣା ସିଜିପିଏ-୮.୯୬(ଏ+ ଗ୍ରେଡ୍‌) ରଖି ଆଗରେ ଅଛନ୍ତି। ବାଣିଜ୍ୟ ବିଭାଗରେ ବି କେହି ‘ଓ’ ଗ୍ରେଡ୍‌ ପାଇନାହାନ୍ତି। ୭ ଜଣ ‘ଏ+’ ଗ୍ରେଡ୍‌ ହାସଲ କରିଛନ୍ତି। ୩ ଜଣ ଏମ୍‌ପି ହୋଇଛନ୍ତି।