ସମ୍ମାନ ରଖିଲା ଉତ୍କଳ: ଶ୍ରେଷ୍ଠ ଶହେ ବିଶ୍ବବିଦ୍ୟାଳୟରେ ସ୍ଥାନ ପାଇଲା

ଭୁବନେଶ୍ବର : ରାଜ୍ୟରେ ଥିବା ସରକାରୀ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ସଜାଡ଼ିବା ପାଇଁ ପ୍ରଚୁର ଅର୍ଥ ଖର୍ଚ୍ଚ ହେଉଛି। ଗୋଟିଏ ପରେ ଗୋଟିଏ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେଉଛି। ପାଠ୍ୟକ୍ରମରେ ସଂସ୍କାର ବି ଅଣାଯାଉଛି। ବିଶ୍ବବିଦ୍ୟାଳୟ ଓ କଲେଜଗୁଡ଼ିକର ବିକାଶ ପାଇଁ କେନ୍ଦ୍ର ସରକାର ମଧ୍ୟ ହାତ ବଢ଼ାଇ ରୁସା ପାଣ୍ଠିରୁ କୋଟି କୋଟି ଟଙ୍କା ଅର୍ଥ ଦେଉଛନ୍ତି। ଏତେ ସବୁ ପରେ ବି ଉଚ୍ଚ ଶିକ୍ଷାନୁଷ୍ଠାନ ସ୍ଥିତିରେ କୌଣସି ପରିବର୍ତନ ହେଉନି। ଏମିତିକି କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ଏନ୍‌ଆଇଆରଏଫ୍‌ ରୢାଙ୍କିଂରେ ଆବେଦନ କରିବାକୁ ବି ଓଡ଼ିଶାର ଶିକ୍ଷାନୁଷ୍ଠାନ ଯୋଗ୍ୟ ହେଉନାହାନ୍ତି। ଯେତେବେଳେ କି ଘରୋଇ ଶିକ୍ଷାନୁଷ୍ଠାନ ଜାତୀୟସ୍ତରରେ ବାରମ୍ବାର ସଫଳ ହୋଇ ଚାଲୁଛନ୍ତି। ଗବେଷଣା କ୍ଷେତ୍ରରେ ବି ତଦ୍ରୁପ। ଏ ବର୍ଷ ଏତେ ପିଲା ପିଏଚ୍‌ଡି, ଏମ୍‌ଫିଲ୍‌ କଲେ ବୋଲି ବିଶ୍ବବିଦ୍ୟାଳୟଗୁଡ଼ିକ କହୁଥିଲେ ମଧ୍ୟ ଗବେଷଣା କ୍ଷେତ୍ରରେ ଆଗକୁ ବଢ଼ି ପାରି ନାହାନ୍ତି। ଗବେଷଣା ବର୍ଗରେ ରାଜ୍ୟ ସରକାରଙ୍କ ଗୋଟିଏ ବି ହେଲେ ଶିକ୍ଷାନୁଷ୍ଠାନ‌ ସ୍ଥାନ ପାଇ ନ ପାରିବା ଚିନ୍ତାର ବିଷୟ ପାଲଟିଛି।

୨୦୧୬ରେ ନାକ୍‌ ‘ଏ+’ ଗ୍ରେଡ୍‌ ସହ କେନ୍ଦ୍ର ସରକାରଙ୍କ କାଟାଗୋରି-୧ ଶିକ୍ଷାନୁଷ୍ଠାନ ମାନ୍ୟତା ପାଇଥିବା ଉତ୍କଳ ବିଶ୍ବବିଦ୍ୟାଳୟ ଏଥର ମଧ୍ୟ ସାମଗ୍ରିକ ସଫଳତାକୁ ଆଧାର କରି ପ୍ରକାଶିତ ‘ଶ୍ରେଷ୍ଠ ଶହେ’ ତାଲିକା ଭିତରକୁ ଆସିପାରି ନାହିଁ। ବିଗତ ୩ ବର୍ଷ ପରି ଏଥର ମଧ୍ୟ ବିଶ୍ବବିଦ୍ୟାଳୟ ୧୦୧ରୁ ୧୫୦ ରୢାଙ୍କ ମଧ୍ୟରେ ରହିଛି। ରାଜ୍ୟର ଏହି ସର୍ବପୁରାତନ ଶିକ୍ଷାନୁଷ୍ଠାନ ଦେଶର ‘ଶ୍ରେଷ୍ଠ ଶହେ ଶିକ୍ଷାନୁଷ୍ଠାନ’ ଭିତରକୁ ଆସିପାରି ନ ଥିଲେ ମଧ୍ୟ ‘ଶ୍ରେଷ୍ଠ ଶହେ ବିଶ୍ବବିଦ୍ୟାଳୟ’ ବର୍ଗରେ କିଛିଟା ଉନ୍ନତି କରିଛି। ଏହି ବର୍ଗରେ ଗତବର୍ଷ ୯୬ତମ ସ୍ଥାନରେ ଥିବା ଉତ୍କଳ ଏଥର ୮୭ତମ ସ୍ଥାନକୁ ଉନ୍ନିତ ହୋଇଛି। କିନ୍ତୁ ଗବେଷଣା ବର୍ଗରେ ଉତ୍କଳ ଶ୍ରେଷ୍ଠ ତାଲିକାରେ ସ୍ଥାନ ପାଇ ନାହିଁ। ବୈଷୟିକ ଶିକ୍ଷା ବିଭାଗ ଅଧୀନରେ ଥିବା ଭିସୁଟ୍‌, ବୁର୍ଲା ଗତବର୍ଷ ପରି ମଧ୍ୟ ଏଥର ନିଜର ସ୍ଥାନ ବଜାୟ ରଖିଛି; ବି‌‌ଶେ‌ଷ ଉନ୍ନତି କରିପାରି ନାହିଁ।

ଗୁଣାତ୍ମକ ଶିକ୍ଷା, ଗବେଷଣାକୁ ନେଇ ଡିଣ୍ତିମ ପିଟୁଥିବା ରାଜ୍ୟ ସରକାରଙ୍କ ଆଉ କୌଣସି ବି ବିଶ୍ବବିଦ୍ୟାଳୟ ଏହି ରୢାଙ୍କିଂରେ ସ୍ଥାନ ପାଇ ନାହାନ୍ତି। ଏମିତିକି ୨୦୨୦ରେ ବିଶ୍ବବିଦ୍ୟାଳୟ ବର୍ଗର ଶ୍ରେଷ୍ଠ ଦୁଇ ଶହ ମଧ୍ୟରେ ଥିବା ଫକୀର ମୋହନ ବିଶ୍ବବିଦ୍ୟାଳୟ ଓ ସମ୍ବଲପୁର ବିଶ୍ବବିଦ୍ୟାଳୟ ଏଥର ବାଦ୍‌ ପଡ଼ିଛନ୍ତି। ରେଭେନ୍ସା, ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ, ‌ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ, ବିପିୟୁଟି, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ ପରି ପ୍ରମୁଖ ଶିକ୍ଷାନୁଷ୍ଠାନ ୨୦୦ ତାଲିକା ମଧ୍ୟକୁ ନ ଆସିବା ଚିନ୍ତାର ବିଷୟ। ଉକ୍ତ ବିଶ୍ବବିଦ୍ୟାଳୟ ମଧ୍ୟରୁ ଅଧିକାଂଶ ଆବେଦନ କରି ନଥିବା ଜଣାପଡ଼ିଛି। ଭୁବନେଶ୍ବରକୁ ପୂର୍ବ ଭାରତର ଶିକ୍ଷା ହବ୍‌ ବୋଲି କୁହାଯାଉଥିଲେ ମଧ୍ୟ କଲେଜ ବର୍ଗରେ ଗୋଟିଏ ବି ଶିକ୍ଷାନୁଷ୍ଠାନ ସାମିଲ ହୋଇନାହାନ୍ତି। ଇ-ପାଠାଗାର, ଡିଜିଟାଲ କ୍ଲାସରୁମ୍‌, କ୍ୟାମ୍ପସ ସମ୍ପ୍ରସାରଣ ପରି ଦିଗ ପ୍ରତି ଦୃଷ୍ଟି ଦିଆଯାଉଥିଲେ ମଧ୍ୟ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତାଲିକାରେ ସରକାରୀ ଶିକ୍ଷାନୁଷ୍ଠାନର ନୈରାଶ୍ୟଜନକ ପ୍ରଦର୍ଶନ ରାଜ୍ୟର ଉଚ୍ଚଶିକ୍ଷାର ଦୁର୍ବଳ ସ୍ଥିତିକୁ ଜାହିର‌୍‌ କରୁଛି।

ବୈଷୟିକ ଶିକ୍ଷା ତଥା ଇଞ୍ଜିନିୟରିଂରେ ବି ସମାନ ସ୍ଥିତି। ବିପିୟୁଟି କି ଏହା ଅଧୀନସ୍ଥ କୌଣସି ଗୋଟିଏ ବି ସରକାରୀ ଶିକ୍ଷାନୁଷ୍ଠାନ ଏହି ସର୍ଭେରେ ସ୍ଥାନ ନ ପାଇବା ବୈଷୟିକ ଶିକ୍ଷା ସ୍ଥିତିକୁ ପଦାରେ ପକାଇଛି। କିଟ୍‌, ସୋଆ ପରି ଘରୋଇ ଶିକ୍ଷାନୁଷ୍ଠାନ ପୁଣିଥର ନିଜର ସ୍ଥିତି ଜାହିର କରିଥିବା ବେଳେ ସିଇଟି, ଆଇଜିଆଇଟି ପରି ପ୍ରମୁଖ ଶିକ୍ଷାନୁଷ୍ଠାନ ଦୌଡ଼ରେ ନାହାନ୍ତି। ତେବେ ମେଡିକାଲ ବର୍ଗରେ ଏସ୍‌ସିବି ମେଡିକାଲ କଲେଜ ପ୍ରଥମ ଥର ପାଇଁ ସାମିଲ ହେବା ସହ ରୢାଙ୍କିଂରେ ସ୍ଥାନ ପାଇବା ଆଶ୍ବସ୍ତିର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର