ଶିକ୍ଷା କ୍ଷେତ୍ରରେ ସଂସ୍କାର ଲୋଡ଼ା

ଉତ୍କଳ ବିଶ୍ବବିଦ୍ୟାଳୟର ୪୯ତମ ସମାବର୍ତନ ଉତ୍ସବ, ୮୭ ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣ ପଦକ, ୨୪୭ ଜଣଙ୍କୁ ପିଏଚ୍‌ଡି ଡିଗ୍ରି

ଭୁବନେଶ୍ବର : ଦେଶର ଶିକ୍ଷା କ୍ଷେତ୍ର ବହୁ ସମସ୍ୟା ଦେଇ ଗତି କରୁଛି। ଗୁଣାତ୍ମକ ଶିକ୍ଷା, ଆର୍ଥିକ ଓ ଗବଷେଣା କ୍ଷେତ୍ରରେ ଆମେ ବହୁ ପଛରେ ପଡ଼ିଛୁ। ସବୁ ବିଶ୍ବବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ତାହାର ସମାଧାନ ଲାଗି ସମସ୍ତେ ଏକାଠି ହେବା ଆବଶ୍ୟକ। ଉଚ୍ଚଶିକ୍ଷାର ଗୁଣାତ୍ମକ ବିକାଶ କରି ବିଶ୍ବର ପ୍ରମୁଖ ଶିକ୍ଷାନୁଷ୍ଠାନ ସହ ଆମକୁ ପ୍ରତିଯୋଗିତା କରିବାକୁ ପଡ଼ିବ। ଆମ ପାଖରେ ଯେଉଁ ସମ୍ବଳ ରହିଛି ତାହାକୁ ଆଧାର କରି ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବାକୁ ହେବ ବୋଲି ଉତ୍କଳ ବିଶ୍ବବିଦ୍ୟାଳୟର ୪୯ତମ ସମାବର୍ତନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ କେ ଏସ୍‌ ଜାଭେରି କହିଛନ୍ତି।

ଦୀକ୍ଷାନ୍ତ ଭାଷଣ ପ୍ରଦାନ କରି ଜଷ୍ଟିସ୍‌ ଜାଭେରି ଛାତ୍ରଛାତ୍ରୀଙ୍କୁ କହିଲେ ତୁମେମାନେ ହେଉଛ ଦେଶର ଭବିଷ୍ୟତ। ଦେଶର ବିକାଶ ତୁମ ଉପରେ ନିର୍ଭର କରୁଛି। ଏଠାରୁ ଯିବା ପରେ ତୁମେମାନେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବ। ସେତେବେଳେ ଏଠାରୁ ‌ଯେଉଁ ତାଲିମ ଓ ଶିକ୍ଷା ଗ୍ରହଣ କରିଛ ତାହା ‌ତୁମମାନଙ୍କ ପାଇଁ ସହାୟକ ହେବ। ନିଜ ଭିତରେ ଥିବା ଆତ୍ମବିଶ୍ବାସକୁ ଜାଗ୍ରତ ରଖ ଓ ନିଜ ଦାୟିତ୍ବକୁ ପୂରଣ କର। ଜୀବନରେ ହାରିଗଲେ ବି କେବେ ହତୋତ୍ସାହିତ ହେବ ନାହିଁ। ଯେତେବେଳେ କୌଣସି ପ୍ରତିବନ୍ଧକ ଆସିବ ‌ସେତେବେଳେ ତୁମେ ଆହରଣ କରିଥିବା ଜ୍ଞାନକୁ ଆଧାର କରି ପ୍ରତିବନ୍ଧକର ସାମ୍ନା କରିବାକୁ ସେ ଆହ୍ବାନ ଦେଇଥିଲେ। ବିଶ୍ବବିଦ୍ୟାଳୟ ସମ୍ପର୍କରେ କହିଥିଲେ ପୁରାତଳ କାଳରେ ଆମ ଦେଶର ଶିକ୍ଷାନୁଷ୍ଠାନ ବହୁ ସମୃଦ୍ଧ ଥିଲା। ନାଳନ୍ଦା ଓ ତକ୍ଷଶୀଳା ପରି ବିଶ୍ବବିଦ୍ୟାଳୟ ‌ବିଶ୍ବର ସ୍କଲାରମାନଙ୍କୁ ଆକୃଷ୍ଟ କରିପାରିଥିଲା। ବାହାର ଦେଶର ଛାତ୍ରଛାତ୍ରୀ ଏଠାକୁ ଜ୍ଞାନ ଆହରଣ କରିବାକୁ ଆସୁଥିଲେ। ଉତ୍କଳ ମଧ୍ୟ ସେହି ପୁରାତନ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ‌ରୁ ଅନ୍ୟତମ। ବିଶ୍ବବିଦ୍ୟାଳୟ ହେଉଛି ‌ଏକ ମଣିଷ ତିଆରି କାରଖାନା। ବିଲ୍‌ଡିଂ କରିଦେଲେ ବିଶ୍ବବିଦ୍ୟାଳୟ ବିକାଶ ହୁଏନି। ଏହାର ପ୍ରମୁଖ ଉପାଦନ ହେଉଛନ୍ତି ଏହାର ଛାତ୍ରଛାତ୍ରୀ ଓ ଅଧ୍ୟାପକ। ସେମାନେ ସମୟକୁ ଦୃଷ୍ଟିରେ ରଖି ଆଗକୁ ବଢ଼ିବା ଦରକାର।

ବିଶ୍ବବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲଲ୍‌ ଯୋଗଦେଇ କହିଲେ ଆଗକୁ ବଢ଼ିବାକୁ ହେଲେ ନକାରାତ୍ମକ ଚିନ୍ତାଧାରା ମନରୁ ଦୂରେଇବା ଆବଶ୍ୟକ। ଯଦି ସକାରାତ୍ମକ ଚିନ୍ତାଧାରାକୁ ଗ୍ରହଣ କରି ନପାରୁଛ ତେବେ ହସିବାକୁ ଚେଷ୍ଟା କର ବୋଲି ସେ ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଇଥିଲେ।

ଭୁବନେଶ୍ବର ଏମ୍‌ସ ନିର୍ଦେଶକ ଗୀତାଞ୍ଜଳି ବାତ୍ମାବାନେଁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ଉଦ୍ଦେଶ୍ୟରେ କହିଲେ ଆଜି ହେଉଛି ତୁମାମାନଙ୍କ ଦିନ। ଯେଉଁ ଲକ୍ଷ୍ୟ ନେଇ ଏଠାକୁ ଆସିଥିଲ ତାହା ଆଜି ସଫଳ ହୋଇଛି। ଡିଗ୍ରି ହାସଲ କରିପାରିଛ। ଏଠାରୁ ଯାହା ପାଇଚ ତାହାର ପ୍ରତିଦାନ ସମାଜକୁ ଦେବାକୁ ଚେଷ୍ଟା କରିବ। ଯେତେ ପଢ଼ିବ ସେତେ ଜ୍ଞାନ ଆହରଣ କରିବ। ସବୁବେଳେ ଅନ୍ୟମାନଙ୍କୁ ସହାୟତା କର। ଯାହାକୁ ସହାୟତା କରିବ ତା’ଠାରୁ କିଛି ପାଇବ ବୋଲି କେବେ ଆଶା ରଖିବ ନାହିଁ। ସବୁବେଳେ ନିଜର ଯତ୍ନ ନେବାକୁ ସେ ପରାମର୍ଶ ଦେଇଥିଲେ। ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିବା ସହ ବିବରଣୀ ପାଠ କରିଥିଲେ। ଉତ୍ସବ ଅବସରରେ ୮୭ ଜଣ ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣ ପଦକ ଓ ୨୪୭ ଜଣ ଛାତ୍ରଛାତ୍ରୀଙ୍କୁ ପିଏଚ୍‌ଡି ଡିଗ୍ରି ସାର୍ଟିଫିକେଟ୍‌ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର