ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟ ଅଧୀନ ଯୁକ୍ତ୩ କଲେଜର ଶେଷ ସେମିଷ୍ଟର ଛାତ୍ରଛାତ୍ରୀଙ୍କ ଥିଓରି ପରୀକ୍ଷା ଆସନ୍ତା ସେପ୍ଟେମ୍ବର ୨୯ରୁ ଆରମ୍ଭ ହେବ। ତେବେ ଏହା ପୂର୍ବରୁ ସେପ୍ଟେମ୍ବର ୨୨ରୁ ୨୬ ତାରିଖ ମଧ୍ୟରେ ପ୍ରାକ୍ଟିକାଲ ପରୀକ୍ଷା କରାଯିବ ବୋଲି ବିଶ୍ବବିଦ୍ୟାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।
ଏଥିସହ ପରୀକ୍ଷା ପରିଚଳନା ପାଇଁ ଗାଇଡ୍ଲାଇନ୍ ଜାରି ହୋଇଛି। ଓଏମ୍ଆର ସିଟ୍ରେ ପରୀକ୍ଷା ଅନୁଷ୍ଠିତ ହେଉଥିବାରୁ ପରୀକ୍ଷାର୍ଥୀ ଯେପରି ଉତ୍ତର ଖାତାକୁ ସଠିକ୍ ଭାବେ ପୂରଣ କରିଥିବେ ସେନେଇ ପରୀକ୍ଷା କେନ୍ଦ୍ର ସୁପରିନଣ୍ଟେଣ୍ଡେଣ୍ଟ ଓ ଇନ୍ଭିଜିଲେଟର ସୁନିଶ୍ଚିତ କରିବେ। ଅନ୍ଲାଇନ୍ ମୋଡ୍ରେ ଖାତା ମୂଲ୍ୟାୟନ ହେବ। ତେଣୁ ଓଏମ୍ଆର ସିଟ୍କୁ ମୋଡ଼ିବେ ନାହିଁ। ଓଏମ୍ଆର ସିଟ୍ ପ୍ୟାକ୍ କରିବା ସମୟରେ ତାରିଖ ଅନୁଯାୟୀ, ସିଟିଂ ଅନୁଯାୟୀ ଓ ପେପର ଅନୁଯାୟୀ ଅଲଗା ଅଲଗା କରି ପ୍ୟାକ୍ କରି ନୋଡାଲ ସେଣ୍ଟରକୁ ପଠାଇବେ। ଯଦି ନିର୍ଦ୍ଧାରିତ ସମୟ ସୁଦ୍ଧା ଓଏମ୍ଆର ସିଟ୍ ନୋଡାଲ ସେଣ୍ଟରରେ ନ ପହଞ୍ଚେ ଏଥିପାଇଁ ସମ୍ପୃକ୍ତ କଲେଜ ଅଧ୍ୟକ୍ଷ ଦାୟୀ ରହିବେ। ପରୀକ୍ଷା ସରିବାର ୭ରୁ ୧୦ ଦିନ ମଧ୍ୟରେ ଫଳ ପ୍ରକାଶ କରାଯିବ ବୋଲି ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଶରତ ଚନ୍ଦ୍ର ମାଝି କହିଛନ୍ତି।
ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ୨୯ ତାରିଖରୁ ଆରମ୍ଭ ହେବାକୁ ଥିବା ଯୁକ୍ତ୩ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ଥିଓରି ପରୀକ୍ଷା ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଦୁଇଟି ସିଟିଂରେ ପରୀକ୍ଷା କରାଯିବ। ୨୯ ଓ ୩୦ ତାରିଖର ପ୍ରଥମ ସିଟିଂରେ କଳା ଓ ଦ୍ବିତୀୟ ସିଟିଂରେ ବିଜ୍ଞାନ ବିଭାଗ ଅନର୍ସ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅନୁଷ୍ଠିତ ହେବ। ଘଣ୍ଟାଏ ଲେଖାଏ ପରୀକ୍ଷା ହେବାକୁ ଥିବା ବେଳେ ମଝିରେ ୫ ମିନିଟ୍ର ବିରତି ଦିଆଯିବ। ଅକ୍ଟୋବର ୧ରୁ ୩ ତାରିଖ ମଧ୍ୟରେ ବାଣିଜ୍ୟ ବିଭାଗ ଅନର୍ସ ଓ କଳା, ବିଜ୍ଞାନ ବିଭାଗ ପାସ୍ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅନୁଷ୍ଠିତ ହେବ। ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବାକୁ ଥିବା ପ୍ରାକ୍ଟିକାଲ ପରୀକ୍ଷା ଅନ୍ଲାଇନ୍ରେ ହେବ। ତେବେ ଯେଉଁଠାରେ କଲେଜ ଓ ଛାତ୍ରଛାତ୍ରୀଙ୍କ ପାଇଁ ଉପଯୁକ୍ତ ସୁବିଧା ନ ଥିବ ସେକ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ଡାକି ପ୍ରାକ୍ଟିକାଲ ପରୀକ୍ଷା କରାଯିବ। ପ୍ରାକ୍ଟିକାଲ ଉତ୍ତର ଖାତାକୁ ବିଶ୍ବବିଦ୍ୟାଳୟକୁ ପଠାଇବାର କୌଣସି ଆବଶ୍ୟକତା ନାହିଁ। କଲେଜଗୁଡ଼ିକ ପ୍ରାକ୍ଟିକାଲ ପ୍ରଶ୍ନପତ୍ର ପ୍ରସ୍ତୁତ କରିବେ। ପରୀକ୍ଷା ସରିବା କ୍ଷଣି ଅର୍ଥାତ୍ ସେପ୍ଟେମ୍ବର ୨୭ ତାରିଖ ସୁଦ୍ଧା କଲେଜଗୁଡ଼ିକ ୟୁୟୁଇଏମ୍ଏସ୍ ପୋର୍ଟାଲ୍ରେ ଛାତ୍ରଛାତ୍ରୀଙ୍କ ମାର୍କ ଦାଖଲ କରିବେ। ସୂଚନାଯୋଗ୍ୟ ଯେ ଛାତ୍ରଛାତ୍ରୀ ଯେଉଁଠି ଥିବେ ସେଠାରେ ପରୀକ୍ଷା ଦେଇପାରିବେ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି।