ଭୁବନେଶ୍ୱର: ଗତକାଲି ଠାରୁ ଜାରି ରହିଥିବା ଲଗାଣ ବର୍ଷରେ ରାଜଧାନୀ ଭୁବନେଶ୍ୱର ସହିତ ସାଂସ୍କୃତିକ ରାଜଧାନୀ କଟକ ଓ ଆଧ୍ୟାତ୍ମିକ ରାଜଧାନୀ ପୁରୀର ଅବସ୍ଥା ଅତ୍ୟନ୍ତ ସଙ୍ଗୀନ ହୋଇଛି। ପୁରୀ ବଡ଼ଦାଣ୍ଡରେ ଆଣ୍ଠୁଏ ପାଣି ଲହଡ଼ି ଭାଙ୍ଗୁଛି। ଆଜି ସକାଳ ସୁଦ୍ଧା ପୁରୀରେ ୩୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଥିବାବେଳେ ରାଜଧାନୀରେ ୧୫୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି। ଫଳରେ ରାଜଧାନୀ ଭୁବନେଶ୍ୱରରେ ଲୋକଙ୍କ ଘର ଭିତରେ ପାଣି ପଶି ଯାଇଛି। ବର୍ଷା ସାଙ୍ଗକୁ ଆଜି ବସ ଟ୍ରକ୍ ଧର୍ମଘଟ ଥିବାରୁ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆଜି ହେବାକୁ ଥିବା ସମସ୍ତ ପରୀକ୍ଷାକୁ ବାତିଲ କରି ଦେଇଥିବା ବେଳେ କଟକ ଜିଲ୍ଲାପାଳ କଟକ ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜକୁ ଆଜି ବର୍ଷା ପାଇଁ ଛୁଟି ଘୋଷଣା କରିଛନ୍ତି। ସେହିପରି ଖୋର୍ଦ୍ଧା ଜିଲ୍ଲାପାଳ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜର ପାଠପଢ଼ାକୁ ବର୍ଷା ପାଇଁ ବାତିଲ କରିଛିନ୍ତି।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସମଗ୍ର ଉପକୁଳ ଜିଲ୍ଲାରେ ବର୍ଷା ଲାଗି ରହିଛି। ଏହା ଫଳରେ ରାଜଧାନୀ ଭୁବନେଶ୍ୱରର ସ୍ଥିତି ସଙ୍ଗୀନ ହୋଇ ପଡ଼ିଛି। ପାଣିରେ ଉବୁଟୁବୁ ହୋଇପଡ଼ିଛି ସ୍ମାର୍ଟସିଟି ଭୁବନେଶ୍ୱର। ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ବମିଖାଲ, ଭିଏସଏସ ନଗର, ବରମୁଣ୍ଡା ଆଦି ଅଂଚଳ ସହିତ ଅଧିକାଂଶ ତଳିଆ ଅଞ୍ଚଳରେ ବର୍ଷା ଯୋଗୁଁ ବନ୍ୟା ଭଳି ସ୍ଥିତି ସୃଷ୍ଟି ହୋଇଛି। ବର୍ଷା ଯୋଗୁଁ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଥିବା ବେଳେ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/bbsr-1.jpg)