ଉତ୍କଳ ବିଶ୍ୱବିଦ୍ୟାଳୟରେ ନିର୍ବାଚନ ବାତିଲ୍

ନିର୍ବାଚନ ପାଇଁ କ୍ୟାମ୍ପସ ବାତାବରଣ ଠିକ୍ ନାହିଁ: କର୍ତ୍ତୃପକ୍ଷ, କର୍ତ୍ତୃପକ୍ଷଙ୍କ ନି‌ଷ୍ପତ୍ତିକୁ ଛାତ୍ର ସଂଗଠନର ବିରୋଧ

ଭୁବନେଶ୍ୱର : ଚଳିତବର୍ଷ ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ। କ୍ୟାମ୍ପସରେ ନିୟମିତ ଭାବେ ଉତ୍ତେଜନା ଲାଗି ରହିଥିବାରୁ ଏବଂ ନିର୍ବାଚନ ନେଇ ଶାନ୍ତିପୂର୍ଣ୍ଣ ବାତାବରଣ ନଥିବାରୁ ଚଳିତବର୍ଷର ଛାତ୍ର ସଂସଦ ନିର୍ବାଚନ ବାତିଲ୍ କରାଗଲା ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟ ପିଜି କାଉନସିଲ୍ ଅଧ୍ୟକ୍ଷ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀ କହିଛନ୍ତି।

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଚଳିତବ ବର୍ଷ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବାର ୨୪ଘଣ୍ଟା ନପୂରୁଣୁ ପିଜି କାଉନସିଲ୍ ବୈଠକ ବସି ଏଥର ନିର୍ବାଚନ ନ କରିବା ନେଇ ନିଷ୍ପତ୍ତି ହୋଇଛି। ପିଜି କାଉନସିଲ୍‌ର ‌େକତେକ ସଦସ୍ୟ ଏଥର ବିଶ୍ବବିଦ୍ୟାଳୟରେ ନିର୍ବାଚନ ନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଏହାକୁ ସମସ୍ତ ସଦସ୍ୟ ବିନା ବିରୋଧରେ ପାରିତ କରିଥିଲେ। ଏହାପରେ ଏହି ପ୍ରସ୍ତାବକୁ କୁଳପତିଙ୍କ ଅନୁମୋଦନ ପାଇଁ ପଠାଯାଇଛି।

ଉତ୍କଳ ବିଶ୍ବବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ନ ହେବା ନେଇ ପିଜି କାଉନସିଲ୍ ନିଷ୍ପତ୍ତି ନେବା ପରେ ଏହାକୁ ଛାତ୍ରନେତାମାନେ ବିରୋଧ କରିଛନ୍ତି। କର୍ତ୍ତୃପକ୍ଷ ମନମାନି କରି ନିଷ୍ପତ୍ତି ନେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି। ପୂର୍ବତନ ଛାତ୍ରସଂସଦ ସଭାପତିି ଚିନ୍ମୟ କୁମାର ସାହୁ, ପ୍ରକାଶ କୁମାର ତ୍ରିପାଠୀ, ମହେଶ ପ୍ରସାଦ, ପୂବର୍ତନ ଉପସଭାପତି ଲଲାଟେନ୍ଦୁ ମଲ୍ଲିକ, ବିଜୁ ଛାତ୍ର ଜନତା ନେତା ସ୍ମୃତି ରଂଜନ ସାମଲ, ପବିତ୍ର ମହାପାତ୍ର, ଅମିତ ଜେନା ଏବଂ ଆଶାୟୀ ପ୍ରାର୍ଥୀ ସ୍ୱରୂପ ମଲ୍ଲିକ, ସ୍ୱାଧୀନ ସାମଲ କର୍ତ୍ତୃପକ୍ଷଙ୍କ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତିକୁ ବିରୋଧ କରିଛନ୍ତି।

ସେହିପରି ଏବିଭିପି ରାଷ୍ଟ୍ରୀୟ ସମ୍ପାଦକ ଅଭିଳାଷ ପଣ୍ଡା କହିଛନ୍ତି ଯେ, ସରକାରୀ ଦଳ ବିଶ୍ବବିଦ୍ୟାଳୟର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ଏବଂ ନିଜ ସାଙ୍ଗଠନିକ କନ୍ଦଳକୁ ଘୋଡ଼ାଇବା ପାଇଁ କ୍ୟାମ୍ପସରେ ଗଣ୍ଡଗୋଳ ବା ଉତ୍ତେଜନାମୂଳକ ପରିସ୍ଥିତି ନଥାଇ ବି ନିର୍ବାଚନ ବନ୍ଦ କରିଦେଲେ। ଏବିଭିପି ଏହି ନିଷ୍ପତ୍ତି ବିରୁଦ୍ଧରେ କୁଳାଧିପତିଙ୍କୁ ଭେଟି ନିର୍ବାଚନ ପାଇଁ ଦାବି ଜଣାଇବ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର