ଉତ୍କର୍ଷ କେନ୍ଦ୍ର ପାଇଁ ମଞ୍ଜୁର ହୋଇଛି ଶହେ କୋଟି
ବିଶ୍ବବିଦ୍ୟାଳୟ ଏ ବର୍ଷ ୪୦ କୋଟି ପାଇଛି
ଡିଜିଟାଲ ଲାଇବ୍ରେରି ବିଲଡିଂ ଉଦ୍‌ଘାଟିତ

Advertisment

ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟକୁ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ପାଇଁ ୬ଟି ‌ସେଣ୍ଟର ଅଫ୍‌ ଏକ୍ସଲେନ୍ସ ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ସ୍ଥିର କରିଛନ୍ତି। ଏଥିପାଇଁ ଶହେ କୋଟି ଟଙ୍କା ମଞ୍ଜୁର କରାଯାଇଛି। ସେଥିମଧ୍ୟରୁ ଚଳିତ ଶିକ୍ଷା ବର୍ଷରେ ବିଶ୍ବବିଦ୍ୟାଳୟ ୪୦ କୋଟି ଟଙ୍କା ଗ୍ରହଣ କରିସାରିଛି। ଏହାବ୍ୟତୀତ ବିଶ୍ବବିଦ୍ୟାଳୟର ଭିତ୍ତିଭୂମି ବିକାଶ ଲାଗି ବିଭିନ୍ନ ସମୟରେ ଅର୍ଥ ପ୍ରଦାନ କରାଯାଉଛି ବୋଲି ବିଶ୍ବବିଦ୍ୟାଳୟ ପ୍ଲାଟିନମ୍‌ ଜୁବୁଲିର ଉଦ୍‌ଯାପନୀ ଉତ୍ସବକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆହୁରି କହିଲେ ଗୁଣାତ୍ମକ ଶିକ୍ଷାର ବିକାଶ ଉପରେ ରାଜ୍ୟ ସରକାର ସବୁବେଳେ ଗୁରୁତ୍ବ ଦେଉଛନ୍ତି। ଜାତୀୟ ଉଚ୍ଚଶିକ୍ଷା ମାନଚିତ୍ରରେ ବି ଉତ୍କଳ ବିଶ୍ବବିଦ୍ୟାଳୟ ଗୁରୁତ୍ବ ବହନ କରୁଛି। ଶିକ୍ଷାଦାନରେ ଉତ୍କର୍ଷ କ୍ଷେତ୍ରରେ ରାଜ୍ୟର ଆଗୁଆ ଶିକ୍ଷାନୁଷ୍ଠାନ ଭାବେ ଏହା ସବୁବେଳେ ନିଜର ଦାୟିତ୍ବ ନିର୍ବାହ କରିଆସିଛି। ଏଭଳି ଶିକ୍ଷାନୁଷ୍ଠାନକୁ ଆହୁରି ଆଗକୁ ନେବା କ୍ଷେତ୍ରରେ ଶିକ୍ଷକ ଓ ଛାତ୍ରଛାତ୍ରୀ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ବର୍ତମାନର ଯୁବପିଢ଼ି ହେଉଛନ୍ତି ଦେଶର ଶକ୍ତି। ସେମାନଙ୍କ ଶିକ୍ଷା, ଜ୍ଞାନ, ସୃଜନଶୀଳତା, ଅଭିନବୀକରଣ ଓ ଇଚ୍ଛାଶକ୍ତି ଦ୍ବାରା ଦେଶର ଭବିଷ୍ୟତ ସ୍ଥିର ହୋଇପାରିବ। ଓଡ଼ିଶା ଏବେ ବିଭିନ୍ନ କ୍ଷେତ୍ର ବିକାଶ କରୁଛି। ଏହି ପ୍ରକ୍ରିୟାରେ ସମସ୍ତେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ସ୍ମୃତିଚାରଣ କରିଥିଲେ।

publive-image

ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ପ୍ଲାଟିନମ୍‌ ଜୁବୁଲି କେବଳ ମାତ୍ର ଏକ ଉତ୍ସବ ନୁହେଁ। ଏହା ଆମ ଜୀବନର ଏକ ମାଇଲଖୁଣ୍ଟ ହୋଇ ରହିବ। ସମସ୍ତଙ୍କ ପ୍ରଚେଷ୍ଟା ଓ ନିଷ୍ଠା ଦ୍ବାରା ଉତ୍କଳ ବିଶ୍ବବିଦ୍ୟାଳୟ ଆଜି ବିଶ୍ବସ୍ତରରେ ପରିଚିତ ହୋଇଛି। ମାତ୍ର ୨୩ ଦିନ ମଧ୍ୟରେ ପୁରାତନ ଛାତ୍ରଛାତ୍ରୀଙ୍କୁ ଏକାଠି କରି ପ୍ଲାଟିନମ୍‌ ଜୁବୁଲି ଉତ୍ସବକୁ ସଫଳ କରିବା ବହୁ କଷ୍ଟକର ଥିଲା ବୋଲି ସେ ମତବ୍ୟକ୍ତ କରିଥିଲେ। ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଆସନ୍ତା ୨୫ ବର୍ଷ ମଧ୍ୟରେ ବିଶ୍ବବିଦ୍ୟାଳୟକୁ ବିଶ୍ବସ୍ତରୀୟ କରିବାକୁ ଆହ୍ବାନ ଦେଇଥିଲେ।

ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିବା ବେଳେ କୁଳସଚିବ ଦୟାନିଧି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଭୁବନେଶ୍ବର (ଉତ୍ତର) ବିଧାୟକ ସୁଶାନ୍ତ ରାଉତ, ସ୍ନା‌ତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ସବିତା ଆଚାର୍ଯ୍ୟ ବିଶେଷ ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ବିଶ୍ବବିଦ୍ୟାଳୟ ପାଚେରି ନିର୍ମାଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ ହେବା ସହ ଡିଜିଟାଲ ଲାଇବ୍ରେରି ବିଲଡିଂ, ସେଣ୍ଟ୍ରାଲ ଇନ୍‌ଷ୍ଟ୍ରୁମେଣ୍ଟେସନ୍‌ ସେଣ୍ଟର ଉଦ୍‌ଘାଟିତ ହୋଇଥିଲା। ପରେ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନାଚକ୍ର ହେବା ସହ ସନ୍ଧ୍ୟାରେ ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ରବିବାର ପୁରାତନ ଛାତ୍ରଛାତ୍ରୀଙ୍କ ମହାମିଳନ ଅନୁଷ୍ଠିତ ହେବ।