ଭୁବନେଶ୍ବର : ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହେଲା। ଉତ୍କଳ ବିଶ୍ବବିଦ୍ୟାଳୟ ପାଳିଲା ବିରଳ ସମାବର୍ତନ ଉତ୍ସବ। ବିଶ୍ବବିଦ୍ୟାଳୟର ୭୫ ବର୍ଷ ଇତିହାସରେ ଯେଡ଼ି ହେଲା ଆଉ ଏକ କଳଙ୍କ। କ୍ୟାମ୍ପସରେ ଅନୁଷ୍ଠିତ ୪୯ତମ ସମାବର୍ତନ ଉତ୍ସବରେ କାହାକୁ ଦିଆଗଲା ନାହିଁ ସମ୍ମାନସୂଚକ ଡକ୍ଟରେଟ୍। ଦୁଇ ବର୍ଷ ପରେ ବିଶ୍ବବିଦ୍ୟାଳୟରେ ସମାବର୍ତନ ଉତ୍ସବ ଆୟୋଜିତ ହୋଇଥିଲେ ମଧ୍ୟ ଓଡ଼ିଶା କିମ୍ବା ଓଡ଼ିଶା ବାହାରୁ ଜଣେ ବି ହେଲେ ଯୋଗ୍ୟ ବ୍ୟକ୍ତି ମିଳିଲେ ନାହିଁ।
କେବଳ ସେତିକି ନୁହେଁ। ବିଗତ ଏକ ଦଶନ୍ଧିରେ ପ୍ରଥମ ଥର ପାଇଁ କୌଣସି ଏକ ସମାବର୍ତନ ଉତ୍ସବରେ ଯୋଗଦେଇଥିବା ଅତିଥିମାନଙ୍କ ଭାଷଣର ପୁସ୍ତିକା(ବୁକ୍ଲେଟ୍) ପ୍ରକାଶ କରାଗଲା ନାହିଁ। ଏପରିକି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି କେ ଏସ୍ ଜାଭେରିଙ୍କ ଦୀକ୍ଷାନ୍ତ ଭାଷଣର ବୁକ୍ଲେଟ୍ ପ୍ରକାଶ କରାଯାଇ ନଥିବାରୁ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତିଙ୍କ ସମେତ ଅବସରପ୍ରାପ୍ତ ପ୍ରଫେସରମାନେ ପ୍ରଶ୍ନ ଉଠାଇଛନ୍ତି।
ସବୁଠାରୁ ବଡ଼ କଥା ହେଉଛି ଯେ ଗତବର୍ଷ ଏସ୍ସିବି ମେଡିକାଲ କଲେଜରେ ସମାବର୍ତନ ନାମରେ ଏକ ଉତ୍ସବ ଆୟୋଜିତ ହୋଇଥିଲା। ଏଥିରେ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେବା ସହ ଗାଉନ୍ ପିନ୍ଧିଥିଲେ। ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ରାଜ୍ୟ ସଚିବାଳୟଠାରୁ ରାଜଭବନ ପର୍ଯ୍ୟନ୍ତ କଥା ଯାଇଥିଲା। କାରଣ ଦର୍ଶାଅ ରିପୋର୍ଟ ବି ମଗାଯାଇଥିଲା। ଏହାପରେ ବି ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଚେତିଲେ ନାହିଁ। ପୁଣିଥରେ ବିବାଦ ଭିତରେ ଛନ୍ଦି ହୋଇପଡ଼ିଛନ୍ତି।
ଉତ୍ସବରେ ଯୋଗଦେବାକୁ ଆସିଥିବା ବିଶ୍ବବିଦ୍ୟାଳୟର ଜଣେ ପୂର୍ବତନ କୁଳପତି ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ଉତ୍କଳ ଇତିହାସରେ ଏହା ବିରଳ ଘଟଣା। ରାଜ୍ୟର ଛୋଟ ତଥା ଘରୋଇ ବିଶ୍ବବିଦ୍ୟାଳୟଗୁଡ଼ିକ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରୁଥିବା ବେଳେ ଉତ୍କଳରେ ଭିନ୍ନତା ହେବା ପଛର କାରଣ କ’ଣ? ଉତ୍କଳ ରାଜ୍ୟର ‘ମଦର ୟୁନିଭରସିଟି’ ବୋଲି କୁଳପତି ମଞ୍ଚରେ କହୁଛନ୍ତି। ତେବେ ମଦର ୟୁନିଭରସିଟିର କର୍ତ୍ତବ୍ୟ ଯାହା ତାହା କରିପାରିଲେନି କର୍ତୃପକ୍ଷ। ପ୍ରଥମତଃ ଦୁଇ ବର୍ଷ ପରେ ସମାବର୍ତନ ଉତ୍ସବ କରୁଛନ୍ତି। ସେଥିରେ ବି ବିଭ୍ରାଟ। ପୂର୍ବରୁ ଏଭଳି ଘଟଣା କେବେ ହୋଇ ନାହିଁ। ମୋ ସମୟରେ ନିର୍ଦ୍ଧାରିତ ସମୟରେ ସମାବର୍ତନ ଉତ୍ସବ ଆୟୋଜିତ ହେଉଥିଲା। ଏଥର ଯେଉଁ ବିରଳ ଘଟଣା ହେଲା ତାହା ବିଶ୍ବବିଦ୍ୟାଳୟ ଇତିହାସରେ କଳଙ୍କ ହୋଇ ସବୁଦିନ ରହିବ।
ଜଣେ ଅବସରପ୍ରାପ୍ତ ପ୍ରଫେସର କହିଛନ୍ତି ଯେ ତିନି ବର୍ଷ ତଳେ ପ୍ରତିଷ୍ଠା ହୋଇଥିବା ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଏଥର ସମାବର୍ତନ ଉତ୍ସବ ପାଳନ କରୁଛି। ସେଥିରେ ୪ ଜଣ ବିଶିଷ୍ଟ ମହିଳାଙ୍କୁ ସମ୍ମାନସୂଚକ ଡି.ଲିଟ୍ ଓ ଡି.ଏସ୍ସି ପ୍ରଦାନ କରାଯିବାକୁ ସ୍ଥିର ହେଉଛି। ମହିଳା ସଶକ୍ତୀକରଣ କ୍ଷେତ୍ରରେ ଏହା ଏକ ଉଦାହରଣ। ଉତ୍କଳ କର୍ତୃପକ୍ଷ ସେମାନଙ୍କଠାରୁ କିଛି ଶିଖିବାର ଆବଶ୍ୟକତା ରହିଛି। ୭୫ ବର୍ଷରେ ପ୍ଲାଟିନମ୍ ଜୟନ୍ତୀକୁ ତ ଠିକ୍ ଭାବେ ପାଳନ କଲେ ନାହିଁ। ଏବେ ସମାବର୍ତନ ଉତ୍ସବକୁ ବି ଯେମିତି ଭାବେ ପାଳନ କରାଗଲା ଏହାଦ୍ବାରା ଉତ୍କଳ ବିଶ୍ବବିଦ୍ୟାଳୟର ମାନ ଜାତୀୟସ୍ତରରେ ହ୍ରାସ ପାଇବ।
ଉତ୍ସବ ପୂର୍ବରୁ ଆଉ ଏକ ବିରଳ ଘଟଣା ବି ହୋଇଥିଲା। ମଞ୍ଚ ସଜା ଚାଲିଥିବା ବେଳେ ପୂର୍ବାହ୍ନରେ ଏକ ନିର୍ଦିଷ୍ଟ ଛାତ୍ରଗୋଷ୍ଠୀର କିଛି ଛାତ୍ରନେତା ଉତ୍ସବ ସ୍ଥଳରେ ପହଞ୍ଚି ହୋହଲ୍ଲା କରିଥିଲେ। ଚେୟାର ପକାଇବାକୁ ଦେଇ ନଥିଲେ। ଫୋପଡ଼ା ଫୋପଡ଼ି କରିଥିଲେ। କର୍ମଚାରୀଙ୍କୁ ଗଳିଗୁଲଜ କରିଥିଲେ। ଯେଉଁଥିପାଇଁ ବିଦ୍ୟୁତ୍ ସଂଯୋଗ ବି ହୋଇପାରି ନଥିଲା। ଫଳରେ ଉତ୍ସବ ସ୍ଥଳରେ ଲାଗିଥିବା ଫ୍ୟାନ୍ଗୁଡ଼ିକ ଉତ୍ସବ ବେଳେ ଚାଲି ନଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/m2-f.jpg)