ଉତ୍କଳ ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତି ସତ୍ୟାନନ୍ଦ ଆଚାର୍ଯ୍ୟଙ୍କ ପରଲୋକ

ଭୁବନେଶ୍ବର : ଉତ୍କଳ ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତି ପ୍ରଫେସର ସତ୍ୟାନନ୍ଦ ଆଚାର୍ଯ୍ୟ(୮୪)ଙ୍କ ଶୁକ୍ରବାର ନୟାପଲ୍ଲୀସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ଶାନ୍ତିଲତା, ପୁଅ ଶୁଭେନ୍ଦୁ ଓ ଝିଅ ସୁନିତା ଉପସ୍ଥିତ ଥିଲେ। ବାର୍ଦ୍ଧକ୍ୟ ଜନିତ କାରଣରୁ ସେ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ। ତାଙ୍କ ପରଲୋକ ଖବର ମିଳିବା ପରେ ଉତ୍କଳ ବିଶ୍ବବିଦ୍ୟାଳୟରେ ଶୋକର ଛାୟା ଖେଳିଯାଇଛି।

ଡ. ସତ୍ୟାନନ୍ଦ ଆଚାର୍ଯ୍ୟ ପାଟଣା ବିଶ୍ୱବିଦ୍ୟାଳୟରୁ ଭୂତତ୍ତ୍ବ ବିଜ୍ଞାନରେ ଏମ୍‌ଏସ୍‌ସି ଡିଗ୍ରି ଓ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଟେକ୍ନୋଲୋଜି(ଆଇଆଇଟି) ଖଡ଼ଗପୁରରୁ ପିଏଚ୍‌ଡି ହାସଲ କରିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟର ଭୂତତ୍ତ୍ବ ବିଜ୍ଞାନ ବିଭାଗରେ ୧୯୫୬ରେ ଜଣେ ଅଧ୍ୟାପକ ଭାବେ ଯୋଗଦେଇଥିଲେ। ୧୯୬୮ରେ ପ୍ରଫେସର ଭାବେ ପଦୋନ୍ନତି ପାଇବା ସହ ୧୯୯୧ ନଭେମ୍ବର ୨୯ରୁ ୧୯୯୫ ଫେବ୍ରୁଆରି ୨୬ ପର୍ଯ୍ୟନ୍ତ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ସଫଳତାର ସହ କାର୍ଯ୍ୟ କରିଥିଲେ। ପ୍ରଫେସର୍‌ ଆଚାର୍ଯ୍ୟଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍‌ ଜୟନ୍ତୀ ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ଆଇଆଇଟି ଖଡ଼ଗପୁରରୁ ଜୀବନବ୍ୟାପୀ ସାଧନା ପୁରସ୍କାର ପାଇଥିଲେ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଖଣି ଓ ଭୂତତ୍ତ୍ବ ବିଭାଗରେ ସଦସ୍ୟ, ବୋର୍ଡ ଅଫ ଡାଇରେକ୍ଟର, ଇନ୍‌ଫା ବୋର୍ଡ ଅଫ ଡାଇରେକ୍ଟର ଆଦିରେ ସଫଳତାର ସହ କାର୍ଯ୍ୟ କରିଛନ୍ତି। ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଜଣେ ଶ୍ରେଷ୍ଠ ଭୂତତ୍ତ୍ବବିତ୍‌ ଭାବେ ଜଣାଶୁଣା ସତ୍ୟାନନ୍ଦ ଆଚାର୍ଯ୍ୟଙ୍କୁ ବହୁ ପୁସ୍ତକ ଓ ଗବେଷଣାତ୍ମକ ନିବନ୍ଧ ପାଠକୀୟ ଆଦୃତି ଲାଭ କରିଛି। ତାଙ୍କ ଅଧୀନରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଗବେଷଣା କରି ପିଏଚ୍‌ଡି ଡିଗ୍ରୀ ହାସଲ କରିଛନ୍ତି।

ତାଙ୍କ ମରଶରୀରକୁ ଆଜି ବିଶ୍ବବିଦ୍ୟାଳୟର ଭୂତତ୍ତ୍ବ ବିଜ୍ଞାନ ବିଭାଗକୁ ଅଣାଯାଇଥିଲା। ସେଠାରେ ବିଶ୍ବବିଦ୍ୟାଳୟ କୁଳସଚିବ ଦୟାନିଧି ନାୟକ, ପିଜି କାଉନସିଲ୍‌ ଅଧ୍ୟକ୍ଷ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀ, ପୂର୍ବତନ କୁଳପତି ଅଶୋକ କୁମାର ଦାସ, ସିଡିସି ନିର୍ଦେଶକ ପ୍ରଫେସର ସନ୍ତୋଷ ତ୍ରିପାଠୀ, କ୍ରୀଡ଼ା ନିର୍ଦେଶକ କବିର ମୋହନ ସେଠୀ, ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ସଂଯୋଜିକା ପ୍ରଫେସର ସ୍ବର୍ଣ୍ଣମୟୀ ତ୍ରିପାଠୀ ପ୍ରମୁଖ ଶେଷ ଦର୍ଶନ କରିଥିଲେ। ସତ୍ୟନଗରସ୍ଥିତ ସ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି।

ସମ୍ବନ୍ଧିତ ଖବର