ସେଲ୍‌ଫ ଫାଇନାନ୍ସିଂ କୋର୍ସରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ସର୍ବାଧିକ କ୍ୟାମ୍ପସ ନିଯୁକ୍ତି

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ବିଶ୍ବବିଦ୍ୟାଳୟରେ ଚାଲିଥିବା ସେଲ୍‌ଫ ଫାଇନାନ୍ସିଂ କୋର୍ସରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଉତ୍କଳ ବିଶ୍ବବିଦ୍ୟାଳୟରୁ ସର୍ବାଧିକ ନିଯୁକ୍ତି ପାଇଛି। ୨୦ଟି କମ୍ପାନି/ସଂସ୍ଥା ଜରିଆରେ ୫ଶହ ଜଣ କ୍ୟାମ୍ପସ୍ ନିଯୁକ୍ତି ପାଇଥିବା ବିଧାନସଭାରେ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ।

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ପୂଜାରୀ କହିଛନ୍ତି ଯେ ରମାଦେବୀ ବିଶ୍ବବିଦ୍ୟାଳୟରୁ ୮ଜଣ, ଜିଏମ୍‌ ବିଶ୍ବବିଦ୍ୟାଳୟରୁ ୬୦-୧୦୦, ରେଭେନାନ୍ସ ବିଶ୍ବବିଦ୍ୟାଳୟରୁ ୪ଶହ, ଏଫ୍‌ଏମ୍‌ ବିଶ୍ବବିଦ୍ୟାଳୟରୁ ୯, ସମ୍ବଲପୁର ବିଶ୍ବବିଦ୍ୟାଳୟରୁ ୫୩, ଏମ୍‌ଏସ୍‌ସିବି ବିଶ୍ବବିଦ୍ୟାଳୟରୁ ୨ଜଣ କ୍ୟାମ୍ପସ୍ ନିଯୁକ୍ତି ପାଇଛନ୍ତି। ତେବେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରୁ ୭୦ ପ୍ରତିଶତ ଓ ଖଲିକୋଟ ବିଶ୍ବବିଦ୍ୟାଳୟରୁ ୪୦ ପ୍ରତିଶତ ନିଯୁକ୍ତି ପାଇଛନ୍ତି। ଏମ୍‌ଏସ୍ ଆଇନ ବିଶ୍ବବିଦ୍ୟାଳୟ, ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ ଓ ରାଜେ‌ନ୍ଦ୍ର ବିଶ୍ବବିଦ୍ୟାଳୟରେ କ୍ୟାମ୍ପସ୍ ନିଯୁକ୍ତି ସଂପର୍କରେ କୌଣସି ସୂଚନା ଦିଆଯାଇନାହିଁ।

ସେହିପରି ବିଧାୟକ ଶ୍ରୀ ପଟ୍ଟନାୟକଙ୍କର ଆଉ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ଗତ ଏପ୍ରିଲ ୧୭ତାରିଖରେ ବିଶ୍ବବିଦ୍ୟାଳୟ କୁଳାଧିପତି ସେଲ୍‌ଫ ଫାଇନାନ୍ସିଂ କୋର୍ସ ନେଇ ୪ଟି ନିର୍ଦେଶାବଳୀ ପ୍ରଦାନ କରିଛନ୍ତି। ବିଶ୍ବବିଦ୍ୟାଳୟରେ ଚାଲୁଥିବା ସେ୍‌ଲଫ ଫାଇନାନ୍ସିଂ କୋର୍ସ କାର୍ଯ୍ୟକ୍ରମ ଅଧୀନ ସମୁଦାୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା, ସଂପୃକ୍ତ ବିଶ୍ବବିଦ୍ୟାଳୟର ନିୟମିତ କୋର୍ସର ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୦ ପ୍ରତିଶତରୁ ଅଧିକ ହେବନାହିଁ। ଯଦି କୌଣସି ବିଶ୍ବବିଦ୍ୟାଳୟର ସେଲ୍‌ଫ ଫାଇନାନ୍ସିଂରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୦ ପ୍ରତିଶତରୁ ଅଧିକ ଥାଏ ତାହାଲେ ୨୦୨୨/୨୩ ଶିକ୍ଷାବର୍ଷରୁ ନିର୍ଧାରିତ ସୀମା ଭିତରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ସୀମିତ ରଖାଯିବ। ନୂଆ ସେଲ୍‌ଫ ଫାଇନାନ୍ସିଂ କୋର୍ସଗୁଡ଼ିକ ଡାଇରେକ୍ଟ ମୋଡ ମାଧ୍ୟମରେ ଚାଲିବ, ପିପିପି ମୋ‌ଡରେ ନୂଆ ସେଲ୍‌ଫ ଫାଇନାନ୍ସିଂ କୋର୍ସ ଚାଲିବ ନାହିଁ। ସେଲ୍‌ଫ ଫାଇନାନ୍ସିଂରେ ନାମ ଲେଖାଇବା ପାଇଁ ଓପନ୍ ଏଣ୍ଡ ମେରିଟ୍‌ ବେସ୍‌ଡ ଚୟନ ପଦ୍ଧତି ଅବଲମ୍ବନ କରାଯିବ ବୋଲି ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର