ଉତ୍କଳ ବିଶ୍ବବିଦ୍ୟାଳୟ: ଅନିଶ୍ଚିତତାରେ ଗ୍ରା‌ମୀଣ କ୍ୟାମ୍ପସ

ଚାରି ପାଠ୍ୟକ୍ରମ ବନ୍ଦ, ନୂଆ କୋର୍ସ ଖୋଲିବା ନେଇ କର୍ତୃପକ୍ଷ ନିରବ

ଭୁବନେଶ୍ବର: ୨୦୧୭ ମସିହା ଜୁଲାଇ ୩୧ରେ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକର ସିହାଠାରେ ଉତ୍କଳ ବିଶ୍ବବିଦ୍ୟାଳୟ ଦ୍ବିତୀୟ ତଥା ଗ୍ରାମୀଣ କ୍ୟାମ୍ପସର ଭିତ୍ତିପ୍ରସ୍ତର ପଡ଼ିଥିଲା। ଲକ୍ଷ୍ୟ ଥିଲା ୩ ବର୍ଷ ମଧ୍ୟରେ କ୍ୟାମ୍ପସର ବିଲଡିଂ ନିର୍ମାଣ କାର୍ଯ୍ୟ ଶେଷ ହେବ। ୨୦୨୧-୨୨ ଶିକ୍ଷାବର୍ଷରୁ ସ୍ଥାୟୀ କ୍ୟାମ୍ପସରେ ପଢ଼ିବେ ଛାତ୍ରଛାତ୍ରୀ। ସେପର୍ଯ୍ୟନ୍ତ ଚଣ୍ଡିଖୋଲସ୍ଥିତ ବାବା ଭୈରବାନନ୍ଦ ମହାବିଦ୍ୟାଳୟ ପରିସରରେ ଅସ୍ଥାୟୀ କ୍ୟାମ୍ପସରେ ଗ୍ରାମୀଣ କ୍ୟାମ୍ପସ ଚାଲିବ ବୋଲି ନିଷ୍ପତ୍ତି ହୋଇଥିଲା। ଏମିତିକି ୨୦୧୮ ମେ’ ମାସରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାବିଦ୍ୟାଳୟ ପରିସରରେ ଅସ୍ଥାୟୀ କ୍ୟାମ୍ପସର ଶୁଭ ଦେଇଥିଲେ। ସ୍ଥାୟୀ କ୍ୟାମ୍ପସରେ ପାଠପଢ଼ା ହେବା ପୂର୍ବରୁ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ସେଲ୍ଫ ଫାଇନାନ୍ସିଂ ମୋଡ୍‌ରେ ଏଠାରେ ଚାଲିଥିବା ୪ଟି ବିଭାଗକୁ ବନ୍ଦ କରିବାକୁ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ନିଷ୍ପତ୍ତି ନେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନର କ୍ୟାମ୍ପସ ୨୦୨୨-୨୩ ଶିକ୍ଷାବର୍ଷରେ ବନ୍ଦ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।

ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କୁ ସ୍ବାବଲମ୍ବୀ କରାଇବା ସହ ସେମାନଙ୍କ ଭବିଷ୍ୟତ ଗଢ଼ିବା ଲକ୍ଷ୍ୟ ନେଇ ଏଠାରେ ଗୋଟିଏ ପରେ ଗୋଟିଏ ସେଲ୍ଫ ଫାଇନାନ୍ସିଂ କୋର୍ସ ଖୋଲିଥିଲା। ପର୍ଯ୍ୟାୟକ୍ରମେ ଏଠାରେ ବିଏସ୍‌ସି ନର୍ସିଂ, ମାଷ୍ଟର ଅଫ୍‌ ସୋସିଆଲ୍‌ ୱାର୍କ, ମାଷ୍ଟର ଇନ୍‌ ପବ୍ଲିକ ହେଲ୍‌ଥ, ଏମ୍‌ବିଏ ଇନ୍‌ ରୁରାଲ ମ୍ୟାନେଜ୍‌ମେଣ୍ଟ ପାଠ୍ୟକ୍ରମ ଖୋଲା ଯାଇଥିଲା। କମ୍‌ ଖର୍ଚ୍ଚରେ ନିଯୁକ୍ତି ସୁଯୋଗ ମିଳୁଥିବା ପାଠ୍ୟକ୍ରମରେ ଶିକ୍ଷା ଗ୍ରହଣ କରିପାରୁ ନ ଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ମାତ୍ର ରାଜଭବନ ପକ୍ଷରୁ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ଉପରେ କଟକଣା ଲଗାଯିବା ପରେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଦ୍ବିତୀୟ କ୍ୟାମ୍ପସରେ ଥିବା ସମସ୍ତ ୪ଟି ପାଠ୍ୟକ୍ରମ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ବାରା ପ୍ରାୟ ୧୫୦ ଛାତ୍ରଛାତ୍ରୀ ସରକାରୀ ଶିକ୍ଷାନୁଷ୍ଠାନରେ ଶିକ୍ଷା ଗ୍ରହଣ କରିବାକୁ ବଞ୍ଚିତ ହୋଇଛନ୍ତି ଏବଂ ଚଢ଼ା ଦରରେ ଘରୋଇ ଶିକ୍ଷାନୁଷ୍ଠାନରେ ଏବେ ସେମାନଙ୍କୁ ପଢ଼ିବାକୁ ହେବ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଇତି ମଧ୍ୟରେ ୪ ବର୍ଷ ବିତିଯାଇଥିଲେ ମଧ୍ୟ ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ ପୂର୍ଣ୍ଣାଙ୍ଗ ରୂପ ନେଇପାରି ନାହିଁ। ପୂର୍ବତନ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ କାର୍ଯ୍ୟକାଳର ସାଢ଼େ ୩ ବର୍ଷ ମଧ୍ୟରେ ଏଠାରେ ଇଟା ଖଣ୍ଡେ ବି ପଡ଼ି ନ ଥିଲା। ବରଂ ବର୍ତମାନର କୁଳପତି ପ୍ରଫେସର ସବିତା‌ ଆଚାର୍ଯ୍ୟଙ୍କ ସମୟରେ ବିଲଡିଂ ନିର୍ମାଣ ଦିଗରେ ପଦ‌କ୍ଷେପ ନିଆଯିବା ସହ ପାଚେରି ବୁଲା କାର୍ଯ୍ୟ ବି ଶେଷ ହୋଇଛି। ହେଲେ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଏବେ ବି ୪ଟି ବିଭାଗର ଛାତ୍ରଛାତ୍ରୀ ଦୁଇଟି କ୍ୟାମ୍ପସରେ ଭାଗ ଭାଗ ହୋଇ ପଢ଼ୁଛନ୍ତି। ଅଧେ ଭୁବନେଶ୍ବରସ୍ଥିତ ମୁଖ୍ୟ କ୍ୟାମ୍ପସରେ ଏବଂ ଆଉ ଅଧେ ବାବା ଭୈରବାନନ୍ଦ ସ୍ବୟଂଶାସିତ ମହାବିଦ୍ୟାଳୟ କ୍ୟାମ୍ପସରେ ଶିକ୍ଷା ଗ୍ରହଣ କରୁଛନ୍ତି। ନର୍ସିଂ ପାଠ୍ୟକ୍ରମ ଛାତ୍ରଛାତ୍ରୀଙ୍କୁ ନେଇ କିଛି ମାସ ତଳେ ଉତ୍କଳ ବିଶ୍ବବିଦ୍ୟାଳୟରେ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ଛାତ୍ରଛାତ୍ରୀ କ୍ୟାମ୍ପସରେ ହୋହାଲ୍ଲା କରିବା ସହ ଫାଟକରେ ତାଲା ପକାଇଥିଲେ। ଏବେ ସେହି କୋର୍ସ ବନ୍ଦ କରାଯାଇଛି। ତା’ ସହ ଆଉ ୩ଟି ପାଠ୍ୟକ୍ରମରେ ତାଲା ପଡ଼ିଥିବାରୁ କ୍ୟାମ୍ପସର ଭବିଷ୍ୟତ ନେଇ ଆଶଙ୍କା ଦେଖାଦେଇଛି।

ଉତ୍କଳ ବିଶ୍ବବିଦ୍ୟାଳୟ ଦ୍ବିତୀୟ କ୍ୟାମ୍ପସର ବିକାଶ ଦିଗରେ ଉଚ୍ଚଶିକ୍ଷା ବିଭାଗ ସେଭଳି ଆନ୍ତରିକତା ଦେଖାଉନି। ୨୦୨୧‌ରେ କ୍ୟାମ୍ପସ ନିର୍ମାଣ ନେଇ ସ୍ଥାନୀୟ ବିଧାୟକ ଅମର ପ୍ରସାଦ ଶତପଥୀ ବିଧାନସଭା ଅଧିବେଶନ ଉଠାଇଥିବା ଏକ ପ୍ରଶ୍ନର ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ କହିଥିଲେ ଯେ ଜମି ଅଧିଗ୍ରହଣ ସରିଛି। ପାଚେରି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। କାର୍ଯ୍ୟ ଶେଷ ହେବା ପରେ ସେଠାରେ ନୂତନ ପାଠ୍ୟକ୍ରମ ଖୋଲିବା ସହ ପାଠପଢ଼ା ଅନୁଷ୍ଠିତ ହେବ। ଇତି ମଧ୍ୟରେ ୨୦୨୨ ମେ’ ମାସ ସରିବାକୁ ବସିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରି ନାହିଁ ସ୍ଥାୟୀ କ୍ୟାମ୍ପସ। ସେପଟେ ମହାବିଦ୍ୟାଳୟ ପରିସରରେ ସ୍ବତନ୍ତ୍ର ନିର୍ମାଣ ହୋଇଥିବା ତିନି ମହଲା ବିଶିଷ୍ଟ କୋଠାରେ ଏବେ ବି ପାଠପଢ଼ା ଚାଲିଛି। କ୍ଲାସ ରୁମ୍ ସହ ପାଠ‌ାଗାର ରହିଛି। ରାଜିନାମା ଅନୁଯାୟୀ, ତିନିବର୍ଷ ପାଇଁ ଏଠାରେ ବିଶ୍ବବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସ ଚାଲିବାର ଥିଲା। ମାତ୍ର ଅବଧି ଶେଷ ହେବା ପରେ ତାହାକୁ ୨୦୨୨ ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ସମ୍ବନ୍ଧିତ ଖବର