ସଂସ୍କୃତି ବିଶ୍ୱବିଦ୍ୟାଳୟ ପ୍ରତି ଦୃଷ୍ଟି କେବେ? ୬ ବର୍ଷ ହେଲା ପିଏଚ୍‌ଡି ବନ୍ଦ

ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟର ବିକାଶ ଲାଗି ଅର୍ଥ ଦିଆଯାଉଛି। ଭିସୁଟ୍‌ ପାଇଁ ରାଜ୍ୟ ସରକାର ହାତ ଖୋଲି ଦେଉଛନ୍ତି। ରମାଦେବୀର ଭିତ୍ତିଭୂମି ସଜାଡ଼ିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚୁର ଅର୍ଥ ଘୋଷଣା କରୁଛନ୍ତି। ମାତ୍ର ଦେଶର ପ୍ରଥମ ସଂସ୍କୃତି ବିଶ୍ବବିଦ୍ୟାଳୟ (ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ) ପ୍ରତି କେବେ ଶୁଭ ଦୃଷ୍ଟି ପଢ଼ିବ ତାହାକୁ ଅନେଇ ବସିଛନ୍ତି ଛାତ୍ରଛାତ୍ରୀ। ସ୍ଥାୟୀ କ୍ୟାମ୍ପସ ଲାଗି ସରକାର ଜମି ଯୋଗାଇ ଦେଇଛନ୍ତି। ମାଳ ମାଳ କୋଠା ବି ଛିଡ଼ା ହେଲାଣି। ହେଲେ ପଢ଼ାଇବାକୁ ପ୍ରଫେସର ନାହାନ୍ତି। କି କାମ କରିବାକୁ କର୍ମଚାରୀ ନାହାନ୍ତି। ସ୍ଥିତି ଏମିତି ହୋଇଛି ଯେ ପିଏଚ୍‌ଡି ଓ ପିଜି ନାମଲେଖା ହୋଇପାରୁ ନାହିଁ।

ଶେଷ ଥର ଲାଗି ୨୦୧୬ରେ ପିଏଚ୍‌ଡି ପାଠ୍ୟକ୍ରମରେ ନାମଲେଖା ହୋଇଥିଲା। ଇତି ମଧ୍ୟରେ ୬ ବର୍ଷ ବିତିଲାଣି। ଜଣେ ବି ହେଲେ ଛାତ୍ରଛାତ୍ରୀ ପିଏଚ୍‌ଡିରେ ନାମ ଲେଖାଇନାହାନ୍ତି। ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ କଳା(ନୃତ୍ୟ, ଗୀତ ଓ ବାଦ୍ୟ), ଭିଜୁଆଲ୍ ଆର୍ଟସ୍(ଚିତ୍ରକଳା ଓ ସ୍ଥାପତ୍ୟକଳା), କଲଚର୍ ଷ୍ଟଡିଜ୍(ସଂସ୍କୃତି ଅଧ୍ୟୟନ) ଏବଂ ଭାଷା ଓ ସାହିତ୍ୟ ଭଳି ବିଭିନ୍ନ ସ୍ବତନ୍ତ୍ର ବିଷୟରେ ପିଏଚ୍‌ଡି ପ୍ରଦାନ କରାଯାଇଥାଏ। ଯେଉଁଥିରେ କେବଳ ଏହି ବିଶ୍ୱବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ନାମ ଲେଖାଇଥାନ୍ତି। ଆଗରୁ ଅନେକ ଛାତ୍ରଛାତ୍ରୀ, ଗବେଷକ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଡିଗ୍ରି ହାସଲ କରିଛନ୍ତି। ଦେଶ ବିଦେଶରେ ନାଁ ମଧ୍ୟ କମାଇଛନ୍ତି। ମାତ୍ର ପିଏଚ୍‌ଡିରେ ନା‌ମଲେଖା ବନ୍ଦ ହୋଇଥିବାରୁ ହଜାରରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ଏହି ସୁଯୋଗ ପାଇବାରୁ ବଞ୍ଚିତ ହୋଇଛନ୍ତି।

ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବା ଦିନରୁ ପିଏଚ୍‌ଡି ପାଠ୍ୟକ୍ରମରେ ଶିକ୍ଷା ପ୍ରଦାନ କରାଯାଉଥିଲା। ତେବେ ୨୦୧୬ରେ ହଠାତ୍‌ ନାମଲେଖା ବନ୍ଦ କରାଯିବା ସହ କୁହାଗଲା ଯେ ଗାଇଡ୍ ମିଳୁ ନ ଥିବାରୁ ବନ୍ଦ ରଖାଗଲା। କୁଳପତି ବଦଳିଗଲେ। ତତ୍କାଳୀନ ସଂସ୍କୃତି ସଚିବ ଦାୟିତ୍ୱରେ ରହିବା ସମୟରେ କହିଲେ ମୁଁ ଭାରପ୍ରାପ୍ତ ଦାୟିତ୍ୱରେ ରହିଥିବାରୁ କିଛି କରିପାରିବି ନାହିଁ। ନୂଆ କୁଳପତି ଆସିଲେ ପିଏଚ୍‌ଡି ପାଠ୍ୟକ୍ରମରେ ନାମଲେଖା ଲାଗି ବିଜ୍ଞପ୍ତି ଜାରି କରିବେ। ନୂଆ କୁଳପତି ନିଯୁକ୍ତି ହେବା ସହ ୩ ବର୍ଷ ଧରି ଦାୟିତ୍ବରେ ରହିଲେ। ହେଲେ କିଛି ଆଗେଇଲାନି। ତାଙ୍କ ପରେ ବର୍ତମାନର କୁଳପତି ଦାୟିତ୍ବ ନେବା ପରେ ପିଏଚ୍‌ଡିରେ ନାମଲେଖା ହେବ ବୋଲି କହିଥିଲେ। ହେଲେ ତାଙ୍କ କାର୍ଯ୍ୟକାଳ ଇତିମଧ୍ୟରେ ସରିବାକୁ ବସିଲାଣି। ମାତ୍ର ପିଏଚ୍‌ଡି ପାଠ୍ୟକ୍ରମ ଆରମ୍ଭ ହେବାର ନାଁ ଗନ୍ଧ ହିଁ ନାହିଁ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଏହି ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ଲାଗି ଉକ୍ତ ବିଷୟରେ ପିଏଚ୍‌ଡି ଲାଗି ଅନ୍ୟ କୌଣସି ଶିକ୍ଷାନୁଷ୍ଠାନରେ ବ୍ୟବସ୍ଥା ନାହିଁ। ଯେଉଁଥିପାଇଁ ସେମାନଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ପିଏଚ୍‌ଡି ବାହାରିବାକୁ ବିଳମ୍ବ ହେଉଥିବାରୁ କେତେଜଣ ଉଚ୍ଚଶିକ୍ଷାରୁ ବଞ୍ଚିତ ହୋଇଛନ୍ତି। ଆଉ କିଛି ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଭରସାରେ ଏବେ ବି ଅନେକ ରହିଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ପଢ଼ିବାକୁ ରାଜ୍ୟ ବାହାରରୁ ପ୍ରତିବର୍ଷ ବହୁ ଛାତ୍ରଛାତ୍ରୀ ଆସୁଛନ୍ତି। ଗବେଷଣାକୁ ଗୁରୁତ୍ୱ ଦିଆଯିବା ସହ ବିଭିନ୍ନ ବିଭାଗ ଓ ଗବେଷଣାତ୍ମକ କାର୍ଯ୍ୟ ହେବ ବୋଲି କର୍ତୃପକ୍ଷ ବାରମ୍ବାର କହୁଛନ୍ତି। ମାତ୍ର ସବୁ କିଛି କେବଳ ଘୋଷଣାରେ ଅଟକି ରହିଯାଉଛି। କାର୍ଯ୍ୟକାରୀ ହେଉ ନାହିଁ କି ବିଶ୍ୱବିଦ୍ୟାଳୟ ଆଗକୁ ବଢ଼ିପାରୁ ନାହିଁ।

ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ କହିଛନ୍ତି ଯେ ପିଏଚ୍‌ଡି କରିବାକୁ ଆମ ପଖରେ ଆବଶ୍ୟକ ପ୍ରଫେସର ନାହାନ୍ତି। ତେଣୁ ନାମଲେଖା ହୋଇପାରୁ ନାହିଁ। ତଥାପି ଚଳିତ ମାସରେ ଏସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ କରିବାକୁ ରୂପରେଖ ପ୍ରସ୍ତୁତ କରାଯାଇଛି। ଏଥିସହ ଖାଲି ପଡ଼ିଥିବା ପଦବିଗୁଡ଼ିକ ପୂରଣ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର