ଏପର୍ଯ୍ୟନ୍ତ ସ୍ବାଭାବିକ ହୋଇନି ସଂସ୍କୃତି ବିଶ୍ବବିଦ୍ୟାଳୟ, ଜୁନ୍‌ ୧କୁ ଘୁଞ୍ଚିଲା ପରୀକ୍ଷା

ମେ’ ୨୮ରୁ ଖୋଲିବ ବିଶ୍ବବିଦ୍ୟାଳୟ ହଷ୍ଟେଲ

ଭୁବନେଶ୍ବର : ବାତ୍ୟାର ୧୩ ଦିନ ପରେ ବି ସ୍ବାଭାବିକ ହୋଇପାରିନି ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ। ଏପର୍ଯ୍ୟନ୍ତ କ୍ୟାମ୍ପସ୍‌କୁ ବିଦ୍ୟୁତ୍‌ ସରବରାହ ହୋଇପାରି ନାହିଁ। ପାନୀୟ ଜଳ ଯୋଗାଣ ବି ଅସମ୍ଭବ ହୋଇପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ବିଶ୍ବବିଦ୍ୟାଳୟ ପକ୍ଷରୁ ପୂର୍ବରୁ ପ୍ରକାଶିତ ପରୀକ୍ଷା କାର୍ଯ୍ୟସୂଚୀକୁ ପରିବର୍ତନ କରାଯାଇଛି। ମେ’ ୨୦ ତାରିଖଠାରୁ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ ସ୍ନାତକୋତ୍ତର ପାଠ୍ୟକ୍ରମ ତଥା ବିଭିନ୍ନ ବିଭାଗ ପରୀକ୍ଷାଗୁଡ଼ିକୁ ୨୦ ତାରିଖ ପରିବର୍ତ୍ତେ ଜୁନ୍‌ ୧ରୁ ଆରମ୍ଭ କରିବାକୁ ସ୍ଥିର ହୋଇଛି। ଏ ସମ୍ପର୍କିତ ପରିବର୍ତ୍ତିତ କାର୍ଯ୍ୟସୂଚୀ ବିଶ୍ବବିଦ୍ୟାଳୟ ୱେବସାଇଟ୍‌ ଓ ନୋଟିସ୍‌ ବୋର୍ଡରେ ପ୍ରକାଶିତ ହେବ।

ତେବେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ବିଭାଗର ସ୍ନାତକ ପାଠ୍ୟକ୍ରମଗୁଡ଼ିକର ଯଥା ବିପିଏ, ବିଭିଏ, ବିଏଚ୍‌ଏମ୍‌, ବିଟିଟିଏମ୍‌, ବ୍ୟାଚଲର ଇନ୍‌ ଫେସନ ‌ଡିଜାଇନିଂ ଓ ବ୍ୟାଚଲର ଅଫ୍‌ ଇଣ୍ଟରିୟର ଡିଜାଇନ୍‌, ୬ ମାସିଆ ଜୈନଧର୍ମ ଓ ଦର୍ଶନ, ୬ ମାସିଆ ତାମିଲ ପାଠ୍ୟକ୍ରମ ବିଭାଗଗୁଡ଼ିକର ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ତାରିଖରେ ଅନୁଷ୍ଠିତ ହେବ। ମେ’ ୨୦ରୁ ବିଶ୍ବବିଦ୍ୟାଳୟ ଓ ବିଭିନ୍ନ କଲେଜଗୁଡ଼ିକର ପରୀକ୍ଷା ଅନୁଷ୍ଠିତ ହେବ। ସମସ୍ତ ସ୍ନାତକ ପାଠ୍ୟକ୍ରମଗୁଡ଼ିକର ପରୀକ୍ଷା କାର୍ଯ୍ୟକ୍ରମ ଅପରିବର୍ତ୍ତିତ ରଖାଯାଇଛି। ବିଶ୍ବବିଦ୍ୟାଳୟ ଛାତ୍ରାବାସ ଓ ଛାତ୍ରୀନିବାସ ମେ’ ୨୮ଠାରୁ ଖୋଲିବ ବୋଲି ବିଶ୍ବବିଦ୍ୟାଳୟ କୁଳସଚିବ ତଥା ପରୀକ୍ଷା ନିୟନ୍ତ୍ରକ ମନୋଜ କୁମାର ଦା‌ସ କହିଛନ୍ତି।

ସମ୍ବନ୍ଧିତ ଖବର