ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ନୂଆ କୁଳପତିଙ୍କ ମନ୍ତବ୍ୟ:‘କଥା କମ୍‌, କାମ ବେଶି ଉପରେ ଧ୍ୟାନ ଦେବି’

ନୂଆ ବର୍ଷରେ ନୂଆ ସଂକଳ୍ପ ସହ ଜଣେ ନୂଆ କୁଳପତିକୁ ନେଇ ଆଗେଇବ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ। ପାଖାପାଖି ୪ ମାସର ଅନ୍ତର ପରେ ନୂତନ କୁଳପତି ଭାବେ ଯୋଗଦେବେ ମଧ୍ୟପ୍ରଦେଶର ଇନ୍ଦିରା ଗାନ୍ଧି ରାଷ୍ଟ୍ରୀୟ ଜନଜାତି ବିଶ୍ବବିଦ୍ୟାଳୟର ଇତିହାସ ବିଭାଗର ପ୍ରଫେସର ବ୍ୟୋମକେଶ ତ୍ରିପାଠୀ। ‌୩ ବର୍ଷ ପାଇଁ ନି‌ଯୁକ୍ତି ପାଇଥିବା ପ୍ରଫେସର ତ୍ରିପାଠୀଙ୍କ ପାଇଁ ଏହି ଯାତ୍ରା କିନ୍ତୁ ଏତେ ସହଜ ହେବ ନାହିଁ। ବିଶ୍ବବିଦ୍ୟାଳୟକୁ ଯାବତୀୟ ସମସ୍ୟା ଘେରି ରହିଥିବା ବେଳେ ଏହାର ସମାଧାନ ଦିଗ‌ରେ ତାଙ୍କର ଯୋଗଦାନ ଆହ୍ବାନ ପାଲଟିବ। କୁଳାଧିପତିଙ୍କ କାର୍ଯ୍ୟାଳୟରୁ ଏ ନେଇ ବିଜ୍ଞପ୍ତି ଜାରି ହେବା ପରେ ବିଶ୍ବବିଦ୍ୟାଳୟ ସମ୍ବନ୍ଧରେ ପ୍ରଫେସର ତ୍ରିପାଠୀଙ୍କ ପ୍ରାଥମିକତା ଓ ଭବିଷ୍ୟତ ଯୋଜନାକୁ ନେଇ ‘ସମ୍ବାଦ’ ପ୍ରତିନିଧି ସତ୍ୟନାରାୟଣ ରାଉତରାୟଙ୍କ ସାକ୍ଷାତକାର।

ପ୍ର: ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ସାଂପ୍ରତିକ ସ୍ଥିତିକୁ ନେଇ ଆପଣଙ୍କ ମତ କ’ଣ?
ଉ: ବିଶ୍ବବିଦ୍ୟାଳୟ ୨୦ ବର୍ଷ ମଧ୍ୟରେ ଯେଉଁ ସ୍ଥାନରେ ପହଞ୍ଚିବା କଥା ତାହା ଅନ୍ତତଃ ହୋଇପାରିନାହିଁ ବୋଲି ମୋର ଧାରଣା। ଏଥି ସହ ଆହୁରି ଅନେକ ସମସ୍ୟା ରହିଛି। ତେଣୁ ପୁନଃଚିନ୍ତନ କରିବାର ସମୟ ଆସିଛି। ଏହାର ସମାଧାନ ପାଇଁ ମୁଁ ବୁଦ୍ଧିଜୀବୀ, ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସମେତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ଏଥିରେ ସୁଧାର ଆଣିବାକୁ ଶତ ପ୍ରତିଶତ ଉଦ୍ୟମ କରିବି।

ପ୍ର: କେଉଁ ଅଭାବବୋଧ ଆପଣଙ୍କୁ ବେଶି ଘାରିଛି?
ଉ: ପ୍ରଥମ ସଂସ୍କୃତି ବିଶ୍ବବିଦ୍ୟାଳୟ ହିସାବରେ ଓଡ଼ିଶାର ସାଂସ୍କୃତିକ ପରିଚୟକୁ ବିଶ୍ବବିଦ୍ୟାଳୟ ମାଧ୍ୟମରେ ବାହାରେ ଯେତିକି ପ୍ରତିପାଦିତ କରାଯିବା କଥା ତାହା ହୋଇପାରିନାହିଁ। ତେଣୁ ଆମ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ସଂପ୍ରସାରିତ କରିବା ନେଇ ବିଶ୍ବବିଦ୍ୟାଳୟ ମାଧ୍ୟମରେ ଉଦ୍ୟମ ଜାରି ରଖିବି।

ପ୍ର: ଏତେ ବର୍ଷ ଭିତରେ ବିଶ୍ବବିଦ୍ୟାଳୟ ୟୁଜିସି ୧୨(ବି)ରେ ସାମିଲ୍‌ ହୋଇ ପାରିଲାନାହିଁ। ଏ ସମ୍ପର୍କରେ କ’ଣ କହିବେ?
ଉ: ବିଶ୍ବବିଦ୍ୟାଳୟରେ ଅଧ୍ୟାପକ ଅଧ୍ୟାପିକା ନିଯୁକ୍ତିକୁ ପ୍ରାଧାନ୍ୟ ଦିଆଯିବ। ନୂଆ ବିଭାଗ ଖୋଲିବା ନେଇ ଉଦ୍ୟମ କରାଯିବ। ପ୍ରତି ବର୍ଷ କିଛି କିଛି ଲକ୍ଷ୍ୟ ନେଇ ତାହାକୁ ଆଲୋଚନା ଓ ମତାମତ ଭିତ୍ତିରେ ପୂରଣ କରିବା ଦିଗରେ ଉଦ୍ୟମ ହେବ। କଥା କମ୍‌, କାମ ବେଶି କରିବା ଉପରେ ଧ୍ୟାନ ଦେବି।

ପ୍ର: ଛାତ୍ରଛାତ୍ରୀଙ୍କ ସଂଖ୍ୟା ବର୍ଷକୁ ବର୍ଷ ହ୍ରାସ ପାଉଛି। ଏହାର ନିରାକରଣ ପାଇଁ ଆପଣ କି ପନ୍ଥା ଆପଣେଇବେ?
ଉ: ପିଲାଙ୍କ ଦକ୍ଷତା ବୃଦ୍ଧି ଦିଗରେ ବିକଳ୍ପ ବ୍ୟବସ୍ଥା ଆପଣାଯିବ। ଗବେଷଣା କ୍ଷେତ୍ରକୁ ତ୍ବରାନ୍ବିତ କରାଯିବ। ସବୁ କଥା ଗୋଟେ ରାତିରେ ସମାଧାନ ହୁଏ ନାହିଁ। ତଥାପି ଏହା ମୋ ପାଇଁ ଏକ ଆହ୍ବାନ ପାଲଟିବ। ଏହି ଆହ୍ବାନକୁ ବି ମୁଁ ସାଦରେ ଗ୍ରହଣ କରି ଆଗେଇବି।

ସମ୍ବନ୍ଧିତ ଖବର