ଅନିଶ୍ଚିତତା ଭିତରେ ଉତ୍କଳ ବିଶ୍ବବିଦ୍ୟାଳୟ ପିଜି ନାମଲେଖା, ପୁଣି ଘୁଞ୍ଚିଲା ପ୍ରବେଶିକା ପରୀକ୍ଷା

ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟ ପିଜି ପାଠ୍ୟକ୍ରମରେ ନାମଲେଖାକୁ ନେଇ ଅନିଶ୍ଚିତତା ଲାଗିରହିଛି। ବିଭିନ୍ନ କାରଣ ଦର୍ଶାଇ ଆବେଦନ ପ୍ରକ୍ରିୟାକୁ ପୂର୍ବରୁ ଦୁଇ ଥର ବଢ଼ାଯାଇଥିଲା। ଏବେ ପୁଣିଥରେ ୧୦ ଦିନ ବୃଦ୍ଧି କରାଯାଇଛି। ଜୁନ୍‌ ୧୦ ଅର୍ଥାତ୍‌ ଆଜି ଅନ୍‌ଲାଇନ୍‌ ପଞ୍ଜୀକରଣର ଶେଷ ଦିବସ ରହିଥିଲା। ତେବେ ଏହାକୁ ୨୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ସେହିଦିନ ପୂର୍ବାହ୍ନ ୧୦ଟା ୪୫ ମଧ୍ୟରେ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଟଙ୍କା ଡିପୋଜିଟ୍‌ କରିପାରିବେ। ୩୦ ତାରିଖ ସୁଦ୍ଧା ଆବେଦନ ଫର୍ମର ଜେରକ୍ସ କପି ଦାଖଲ କରିବାକୁ କୁହାଯାଇଛି।

ଆବେଦନ ସମୟ ଓ ପ୍ରବେଶିକା ପରୀକ୍ଷାକୁ ବି ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ଜୁନ୍‌ ମାସ ତୃତୀୟ ଓ ୪ର୍ଥ ସପ୍ତାହରେ ପ୍ରବେଶିକା ପରୀକ୍ଷା ହେବ ବୋଲି କୁହାଯାଇଥିଲା। ଏବେ ତାହାକୁ ଜୁଲାଇ ମାସ‌ରେ କରିବାକୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଜୁଲାଇ ୫ରୁ ୧୩ ତାରିଖ ପର୍ଯ୍ୟନ୍ତ ୨୭ଟି ପିଜି ବିଭାଗରେ ନାମଲେଖା ଲାଗି ପ୍ରବେଶିକା ପରୀକ୍ଷା କରାଯିବ। ଏଥିପାଇଁ ଜୁନ୍‌ ୨୧ରୁ ୩୦ ତାରିଖ ପର୍ଯ୍ୟନ୍ତ ପରୀକ୍ଷାର୍ଥୀଙ୍କ ଆଡମିଟ୍‌ କାର୍ଡ ଉପଲବ୍ଧ ହେବ। ପରୀକ୍ଷାର୍ଥୀମାନେ ୱେବସାଇଟ୍‌ରୁ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରିପାରିବେ। ଜୁଲାଇ ୩୧ ସୁଦ୍ଧା ନାମଲେଖା ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଅଗଷ୍ଟ ପହିଲାରୁ ପିଜି ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ ବୋଲି ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ସୂଚନା ଦେଇଛନ୍ତି। ତେବେ ପ୍ରବେଶିକା ପରୀକ୍ଷା ସମୟ ସୀମା ବଢ଼ାଯିବା ଦ୍ବାରା ପିଲାଙ୍କ ପାଠପଢ଼ା ପ୍ରଭାବିତ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ବିଶ୍ବବିଦ୍ୟାଳୟ ଦ୍ବାରା ପ୍ରସ୍ତୁତ ହୋଇଥିବା ଶିକ୍ଷା କ୍ୟାଲେଣ୍ଡର ବି ପ୍ରଭାବିତ ହେବ। ନିର୍ଦ୍ଧାରିତ ସମୟରେ ନାମଲେଖା ନ ସରିବା ଦ୍ବାରା ପାଠପଢ଼ା ବିଳମ୍ବ ହେବ। ପାଠପଢ଼ା ବିଳମ୍ବ ହେଲେ ପରୀକ୍ଷା ବି ବିଳମ୍ବରେ କରାଯିବ। ପରୀକ୍ଷା ଫଳ ମଧ୍ୟ ବିଳମ୍ବ ହୋଇପାରେ। ଏଥିସହ ଅଗଷ୍ଟ ମାସଠାରୁ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉଷ୍ମତା ଭରିବ। ତେଣୁ ପାଠପଢ଼ା ପ୍ରଭାବିତ ହେବା ଏକପ୍ରକାର ନିଶ୍ଚିତ ବୋଲି ପ୍ରଫେସରମାନେ ମତ ପ୍ରକାଶ କରିଛନ୍ତି। ତେବେ ବିଶ୍ବବିଦ୍ୟାଳୟ କୁଳପତିଙ୍କ ଚାପ ଆଗରେ ସମସ୍ତେ ଚୁପ୍‌ ରହୁଥିବା ଦେଖିବାକୁ ମିଳୁଛି।

ସୂଚନାଯୋଗ୍ୟ, ଆବେଦନ ପ୍ରକ୍ରିୟା ଆରମ୍ଭ କରିବା ଲାଗି ମେ’ ମାସରେ ପିଜି କାଉନସିଲ୍‌ ବୈଠକ ବସିଥିଲା। ତେବେ ତାହାକୁ ବୈଧ ଘୋଷଣା କରାଗଲା ନାହିଁ। ଏହ‌ାପରେ ଜୁନ୍‌ ପହିଲାରେ ପୁଣିଥରେ ବୈଠକ ଡକାଯାଇ ଜୁନ୍‌ ୩ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଯାହାକି ପରବର୍ତୀ ସମୟରେ ଦୁଇଥର ଘୁଞ୍ଚାଯାଇଛି।

ସମ୍ବନ୍ଧିତ ଖବର