ଭୁବନେଶ୍ବର: ଉତ୍କଳ ବିଶ୍ୱବିଦ୍ୟାଳୟର ବାୟୋ ଟେକ୍ନୋଲୋଜି ବିଭାଗ ଦ୍ୱାରା ପ୍ରସ୍ତୁତ କରାଯାଇଛି ଆଣ୍ଟି ବଡି କିଟ । ଏଥିରେ ଆଣ୍ଟି ଟ୍ରାନ୍ସଫରିନ ରହିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍କଳ ବିଶ୍ବବିଦ୍ୟାଳୟ ୭୯ତମ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଆଣ୍ଟି ଟ୍ରାନ୍ସଫରିନ୍ ଆଣ୍ଟି ବଡ଼ି କିଟ୍ର ଶୁଭାରମ୍ଭ କରିଛନ୍ତି ।
ବିଶ୍ୱବିଦ୍ୟାଳୟର ବାୟୋଟେକ୍ନୋଲୋଜି ବିଭାଗ ପିଏଚଡ଼ି ଛାତ୍ର ଅଭିନାଶ ଦତ୍ତ ଏହି କିଟକୁ ତିଆରି କରିବାସହ ଏହା ଉପରେ ଅଧିକ ଗବେଷଣା ଜାରି ରଖିଛନ୍ତି। ତେବେ ଏଥିରେ ତାଙ୍କୁ ବିଭାଗର ମୁଖ୍ୟ ଯଜ୍ଞେଶ୍ୱର ଦଣ୍ଡପାଟ ଗାଇଡ଼ କରିଥିଲେ। ସେ କହିଲେ ଯେ, ଟ୍ରାନ୍ସଫରିନ ହେଉଛି ଏକ ପ୍ରକାର ପ୍ରୋଟିନ ଯାହା ଶରୀରରେ ଆଇରନର ମାତ୍ରା ନିଦାନ କରିବା ସହିତ ନିୟନ୍ତ୍ରଣରେ ରଖିଥାଏ । ଏହି କିଟ୍ ବିଶେଷକରି କ୍ୟାନସର ରୋଗୀଙ୍କ କ୍ଷେତ୍ରରେ ଅଧିକ ଫଳପ୍ରଦ ହେବ। ଏହାଛଡା ଅନ୍ୟାନ୍ୟ ରୋଗ ପ୍ରତି ମଧ୍ୟ ଲାଭଦାୟକ ହୋଇପାରିବ । ତେବେ ଏହି କିଟ୍ ମଣିଷ ଦେହରେ ପରୀକ୍ଷା ହୋଇନଥିଲେ ମଧ୍ୟ କିଛି ଜୀବଜନ୍ତୁ ଓ ପଶୁଙ୍କ ମଧ୍ୟରେ ପରୀକ୍ଷା ହୋଇଛି ବୋଲି ବାୟୋଟେକ୍ନୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଶ୍ରୀ ଦଣ୍ଡପାଟ ସୂଚନା ଦେଇଛନ୍ତି ।
ଏହି ଅବସରରେ ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଥିବା ସେଣ୍ଟର ଫର୍ ଇନୋଭେସନ ଏଣ୍ଡ ଇନକ୍ୟୁବେସନର ନୂତନ ୱେବସାଇଟ୍କୁ ଲୋକାର୍ପଣ କରି କେନ୍ଦ୍ରମନ୍ତ୍ରୀ କିଟ୍ ପ୍ରସ୍ତୁତ କରିଥିବା ଅଭିନାଶଙ୍କ ସହିତ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ଏହି ଗବେଷଣା କିଭଳି ସାଧାରଣ ଲୋକଙ୍କ ଉପକାରରେ ଆସିବ ତାହା ପଚାରି ବୁଝିଥିଲେ । ପୂର୍ବରୁ ଲୌହସାର ପରୀକ୍ଷା ରିପୋର୍ଟ ତୁଳନାରେ ଏହି କିଟ୍ ଠିକଣା ଭାବେ କାର୍ଯ୍ୟ କରିବ ବୋଲି ବିଭାଗ ତରଫରୁ ଜାଣିବା ପରେ ଆଗକୁ ଏ ଗବେଷଣା ନେଇ ଆବଶ୍ୟକ ସୁବିଧା ଯୋଗାଇଦେବେ ବୋଲି ଅଭିନାଶଙ୍କୁ ଆଶ୍ୱାସନା ଦେଇଥିଲେ।