ଆସ୍ଥା ଓ ବିଶ୍ବାସରେ ବିଷାଦର ‌ବିଲୋପ ସମ୍ଭବ: ମନୋଜ ଦାସ

ଉତ୍କଳ ବିଶ୍ବବିଦ୍ୟାଳୟ ପ୍ଲାଟିନମ୍ ଜୁବୁଲି ଅଷ୍ଟମ ବିଶିଷ୍ଟ ବକ୍ତୃତାମାଳା

ଭୁବନେଶ୍ବର : ୟୁନେସ୍କୋ ସର୍ବେକ୍ଷଣରେ ବିଶ୍ବର ଅନ୍ୟତମ ବିଷାଦଗ୍ରସ୍ତ ଦେଶମାନଙ୍କ ମଧ୍ୟରେ ଭାରତ ଅନ୍ୟତମ। ପା‌କିସ୍ତାନ ଓ ଶ୍ରୀଲଙ୍କା ଭଳି ଦେଶମାନଙ୍କଠାରୁ ମଧ୍ୟ ଭାରତର ଅବସ୍ଥା ଶୋଚନୀୟ। ଭାରତର ସ୍ଥାନ କ୍ରମାଗତ ଭାବେ କମିବାରେ ଲାଗିଛି। ବିଷାଦଗ୍ରସ୍ତ ଲୋକମାନଙ୍କ ମଧ୍ୟରେ ଅନେକ ପ୍ରତିଷ୍ଠିତ ବ୍ୟକ୍ତବିଶେଷ ରହିଛନ୍ତି। ଏହାର କାରଣ ଖୋଜିବାର ମନୋଭାବ ଆମର ନାହିଁ। ଆସ୍ଥା ଓ ବିଶ୍ବାସରେ ବିଷାଦର ବିଲୋପ ହୋଇପାରିବ। ଜଣେ ସଚେତନ ହେଲେ ଏହା ସମ୍ଭବ ହେବ ବୋଲି କହିଛନ୍ତି ବିଶିଷ୍ଟ ସାହିତ୍ୟିକ ପ୍ରଫେସର ମନୋଜ ଦାସ।

ଆଜି ଉତ୍କଳ ବିଶ୍ବବିଦ୍ୟାଳୟ ଏମ୍‌କେସିଜି ପ୍ରେକ୍ଷାଳୟରେ ଉତ୍କଳ ବିଶ୍ବବିଦ୍ୟାଳୟ ପ୍ଲାଟିନମ୍ ଜୁବୁଲି ଅଷ୍ଟମ ବିଶିଷ୍ଟ ବକ୍ତୃତାମାଳା ଅନୁଷ୍ଠିତ ହୋଇଯାଇଛି। ଏହାର ବିଷୟବସ୍ତୁ ରହିଥିଲା ‘ଭାରତୀୟ ସାହିତ୍ୟର ଐତିହ୍ୟ ଓ ତା’ର ସାଂପ୍ରତିକ ତାତ୍ପର୍ଯ୍ୟ’। ଏହା ଉପରେ ବକ୍ତବ୍ୟ ରଖି ପ୍ରଫେସର ଦାସ କହିଲେ, ଏକଦା ପଲ୍ଲୀ ଭାରତରେ ବିଷାଦର ଚିହ୍ନବର୍ଣ୍ଣ ନ ଥିଲା। ପଲ୍ଲୀ ଭାରତ ବିଧାତା ଉପରେ ବିଶ୍ବାସ କରୁଥିଲା। ଅନେକ ଘାତ ପ୍ରତିଘାତକୁ ଲୋକମାନେ ଜୀବନର ଏକ ଅଂଶବିଶେଷ ବୋଲି ଭାବୁଥିଲେ। ଗ୍ରାମରେ ବସବାସ କରୁଥିବା ଅଧିକାଂଶ ଲୋକଙ୍କ ପୁନର୍ଜୀବନରେ ଆସ୍ଥା ଓ ବିଶ୍ବାସ ରହିଥିଲା। ମାତ୍ର ଆଜିର ସମୟରେ ଗାଁରେ ଭାଗବତ କି ରାମାୟଣ ପଢ଼ା ଯାଉନାହିଁ। ଲୋକମାନେ ସିନେମାରେ ରାମାୟଣକୁ ଦେଖୁଛନ୍ତି। ମାତ୍ର ସିନେମାରେ ରାମାୟଣକୁ ଦେଖିବା ଓ ଶ୍ରବଣ କରିବାରେ ବହୁ ପାର୍ଥକ୍ୟ ରହିଛି। ସିନେମାରେ ଚାତୁର୍ଯ୍ୟ ଓ ହିସାବ ନିକାଶ ଥାଏ, ମାତ୍ର ପ୍ରେରଣା ନ ଥାଏ। ଭାରତୀୟ ସାହିତ୍ୟ ପରମ୍ପରା ପୃଥିବୀର ଏକ ଅଦ୍ବିତୀୟ ପରମ୍ପରା। କୌଣସି ସଭ୍ୟତାରେ ଭାରତ ଭଳି ସାହିତ୍ୟର କ୍ରମବିକାଶ ହୋଇନାହିଁ। ସୀତା, ଦ୍ରୌପଦୀ ଓ ସାବିତ୍ରୀ ହେଉଛନ୍ତି ପୃଥିବୀ ସାହିତ୍ୟର ସବୁଠାରୁ ଶକ୍ତିଶାଳୀ ନାୟିକା। ମାତ୍ର ଆଜିର ଅଧିକାଂଶ ଲେଖକ ଏମାନଙ୍କୁ ଠିକ୍ ଭାବେ ଚିତ୍ରଣ କରୁନାହାନ୍ତି ବୋଲି ପ୍ରଫେସର ଦାସ କହିଥିଲେ। କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରୀ ଦାସ ପ୍ରେକ୍ଷାଳୟରେ ଉପସ୍ଥିତ ଥିବା ଶ୍ରୋତାଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ। ଅଧ୍ୟାପିକା ଭାସ୍ବତୀ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆସନ୍ତାକାଲି ମଧ୍ୟ ପ୍ରଫେସର ଦାସ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର