ଭୁବନେଶ୍ୱର : ବିବାଦରୁ ମୁକୁଳି ପାରୁନି ଉତ୍କଳ ବିଶ୍ବବିଦ୍ୟାଳୟ। କ୍ୟାମ୍ପସର ୫୦ କୋଟି ଟଙ୍କାର କୋଠା ଭୂତକୋଠି ପାଲଟିଛି। କାର୍ଯ୍ୟକ୍ଷମ ହେଉନି କି ଅଧା ଗଢ଼ା କୋଠା ଶେଷ ହେଉନି। ଏଭଳି ସମୟରେ ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ୍ ଛପାଇବା ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚରେ ପ୍ରତିଷ୍ଠା ହୋଇଥିବା ବିଶ୍ବବିଦ୍ୟାଳୟ ପ୍ରେସ୍କୁ ଅଚଳ କରି ଦିଆଯାଇଛି। କୋଟିଏ ଟଙ୍କାର ଯନ୍ତ୍ରପାତି ଖତ ଖାଉଛି। ସେଗୁଡ଼ିକର ପୁନରୁଦ୍ଧାର କରାଯାଉନାହିଁ। କର୍ତ୍ତୃପକ୍ଷ ବି ଏଥିପ୍ରତି ଧ୍ୟାନ ଦେଉନାହାନ୍ତି।
ସେପଟେ ମେସିନ୍ ଅଚଳ ବାହାନା ଦେଖାଇ ସାର୍ଟିଫିକେଟ୍ ଛାପିବା ପାଇଁ ବାହାର ସଂସ୍ଥାକୁ ଅନୁମତି ଦିଆଯାଇଛି। ଉତ୍ତର ପ୍ରଦେଶ ଗାଜିଆବାଦ୍ରେ ଥିବା ‘ଷଷ୍ଠୀ ଇନ୍ଫୋଟେକ୍’ ନାମକ ଏହି ସଂସ୍ଥାରେ ବାର୍ଷିକ ପ୍ରାୟ ଦୁଇ ଲକ୍ଷ ସାର୍ଟିଫିକେଟ୍ ଛପାଯାଉଛି। ଏ ବାବଦରେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କୁ ବି ପ୍ରଚୁର ଟଙ୍କା ଦେବାକୁ ପଡ଼ୁଛି। ଗୋଟିଏ ପଟେ ବିଶ୍ବବିଦ୍ୟାଳୟ ପ୍ରେସ୍ରେ କର୍ମଚାରୀ ରହିଛନ୍ତି, ଯନ୍ତ୍ରପାତି ବି ଅଛି। ତେବେ ସେଗୁଡ଼ିକର ମରାମତି ହେଉନି କି ନୂତନ ଯନ୍ତ୍ରପାତି ଲାଗୁନି। ଯନ୍ତ୍ରପାତି ପୁରୁଣା ହୋଇଯାଇଥିବା ବାହାନା ଦେଖାଇ ବିଶ୍ବବିଦ୍ୟାଳୟ ଅଧିକାରୀମାନେ ରାଜ୍ୟ ବାହାରର ସଂସ୍ଥାକୁ ସାର୍ଟିଫିକେଟ୍ ଛାଡ଼ିବାକୁ ଟେକି ଦେଉଛନ୍ତି।
ଆଗରୁ ସାର୍ଟିଫିକେଟ୍ ଛପାଇବା ଲାଗି ଉକ୍ତ ସଂସ୍ଥାକୁ ଦାୟିତ୍ବ ଦିଆଯାଇଥିଲା। ଏବେ ଛାତ୍ରଛାତ୍ରୀଙ୍କ ପ୍ରୋଭିଜନାଲ ସାର୍ଟିଫିକେଟ୍ ଓ ମାର୍କ ସିଟ୍ ମଧ୍ୟ ସମ୍ପୃକ୍ତ ସଂସ୍ଥାରେ ଛାପିବା ଲାଗି ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଯେତେବେଳେ କି ବିଶ୍ବବିଦ୍ୟାଳୟରେ ଥିବା କମ୍ପ୍ୟୁଟର ସେଲ୍ରେ ପ୍ରୋଭିଜନାଲ ସାର୍ଟିଫିକେଟ୍ ଓ ମାର୍କ ସିଟ୍ ଛପା ଯାଉଥିଲା। ଏହି ପ୍ରମାଣପତ୍ରଗୁଡ଼ିକୁ ସେଠି ଛାପିବା ଦ୍ବାରା ବିଶ୍ବବିଦ୍ୟାଳୟର କିଛି ଅଧିକାରୀ ବଡ଼ ଆକାରରେ କମିସନ୍ ପାଉଥିବା ଅଭିଯୋଗ ଉଠିଛି।
ଜଣେ ଅଧିକାରୀ ନିଜ ନାମ ଗୋପନ ସର୍ତ୍ତରେ କହିଛନ୍ତି ଯେ ବିଶ୍ବବିଦ୍ୟାଳୟର ସାର୍ଟିଫିକେଟ୍ ନକଲ କରି କିଛି ଛାତ୍ରଛାତ୍ରୀ ଚାକିରି କରିବା ଅଭିଯୋଗ ଆସିଥିଲା। ଖୋଳତାଡ଼ ବେଳେ ମଧ୍ୟ ଏହା ପ୍ରମାଣ ମିଳିଥିଲା। ଏଭଳି ଦୁର୍ନୀତି ରୋକିବା ପାଇଁ ୨୦୧୧ରେ ଉତ୍କଳ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ନିଜସ୍ବ ଛପା ମେସିନ୍ ବସାଇବାକୁ ନିଷ୍ପତ୍ତି ନେଇଥିଲେ। ପାଖାପାଖି କୋଟିଏ ଟଙ୍କା ବ୍ୟୟରେ କମ୍ପ୍ୟୁଟର, ପ୍ରିଣ୍ଟର ଓ ଅନ୍ୟାନ୍ୟ ଆବଶ୍ୟକୀୟ ଉପକରଣ କିଣା ଯାଇଥିଲା। ବିଶ୍ବବିଦ୍ୟାଳୟର ପିଜି ବିଭାଗ ସମେତ ଏହା ଅଧୀନରେ ଥିବା ୧୩ ଆଇନ ମହାବିଦ୍ୟାଳୟ, ୯ ଜିଲ୍ଲାର ୩୫୦ରୁ ଅଧିକ କଲେଜର ପାଖାପାଖି ଦୁଇ ଲକ୍ଷରୁ ଅଧିକ ପିଲାଙ୍କ ସାର୍ଟିଫିକେଟ୍ ଛପା ଯାଇଥିଲା। ଫଳରେ ସାର୍ଟିଫିକେଟ୍ ଛାପିବା ବାବଦରେ ଘରୋଇ ସଂସ୍ଥାରୁ ମିଳୁଥିବା କମିସନ ବନ୍ଦ ହୋଇଯାଇଥିଲା। ତେଣୁ ମେସିନ୍କୁ ଅଚଳ କରିଦେବା ପାଇଁ ଷଡ଼ଯନ୍ତ୍ର ହୋଇଥିଲା। ୨୦୧୨ରୁ ୨୦୧୮ ପର୍ଯ୍ୟନ୍ତ ଏଠାରେ ପ୍ରମାଣପତ୍ର ଛପା ଗଲାନାହିଁ। ବର୍ଷକୁ ବର୍ଷ ସାର୍ଟିଫିକେଟ୍ ଛପା ନ ଯିବାରୁ ପ୍ରମାଣପତ୍ର ସଂଖ୍ୟା ବଢ଼ି ୬ ଲକ୍ଷରେ ପହଞ୍ଚିଥିଲା। ଶେଷରେ ମେସିନ୍ ଅଚଳ ଦର୍ଶାଇ ସମସ୍ତ ସାର୍ଟିଫିକେଟ୍ ସମ୍ପୃକ୍ତ ସଂସ୍ଥାରେ ଛାପିବାକୁ ଅନୁମତି ଦିଆଗଲା। ଏହାଦ୍ବାରା ଅଧିକାରୀମାନେ ମଧ୍ୟ କମିସନ ପାଉଛନ୍ତି।
ଏନେଇ ବିଶ୍ବବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଶରତ କୁମାର ମାଝୀଙ୍କୁ ପଚାରିବାରେ କହିଛନ୍ତି ଯେ ୨୦୧୧ ମସିହାରେ ବିଶ୍ବବିଦ୍ୟାଳୟ କିଣିଥିବା କମ୍ପ୍ୟୁଟର ଓ ପ୍ରିଣ୍ଟର ଆଉଟ୍ଡେଟେଡ୍ ହୋଇଯାଇଛି। ତାହାକୁ ଚଳାଇବା ପାଇଁ କର୍ମଚାରୀଙ୍କ ଅଭାବ ରହିଛି। ତେଣୁ ତା’ ଉପରେ ଆଉ ଭରସା କରାଯାଇ ପାରିଲା ନାହିଁ। ତେବେ ୨୦୧୨ରୁ ୨୦୧୮ ମସିହା ପର୍ଯ୍ୟନ୍ତ ଏହି ଯନ୍ତ୍ରପାତି ବିଶ୍ବବିଦ୍ୟାଳୟକୁ ଅଡୁଆରେ ପକାଇଥିଲା। ଏଥିରେ ଛାପିବା ସମ୍ଭବ ନ ହେବାରୁ ପାଖାପାଖି ୬ ଲକ୍ଷ ଛାତ୍ରଛାତ୍ରୀ ସାର୍ଟିଫିକେଟ୍ ପାଇ ପାରିନଥିଲେ। ଏହି ୬ ଲକ୍ଷ ପ୍ରମାଣପତ୍ର ଛାପି ଛାତ୍ରଛାତ୍ରୀଙ୍କୁ ବାଣ୍ଟିବା ପାଇଁ ପ୍ରଥମେ ଯୋଜନା ହୋଇଥିଲା। ୬ ଲକ୍ଷ ପ୍ରମାଣପତ୍ର ପାଇଁ ଏହି ଫାର୍ମକୁ ସ୍ବୀକୃତି ଦିଆଯାଇଥିଲା। ଏବେ ୨୦୧୯ର ସମସ୍ତ ପ୍ରମାଣପତ୍ର ଛାପିବା ପାଇଁ ସମ୍ପୃକ୍ତ ସଂସ୍ଥାକୁ ଦୟିତ୍ବ ଦିଆଯାଇଛି। ଏହା ପଛରେ କୌଣସି କମିସନି କାରବାର ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।