ଲକ୍ଷ୍ୟଠାରୁ ଦୂରେଇ ଯାଉଛି ଉତ୍କଳ ବିଶ୍ୱବିଦ୍ୟାଳୟ ଗ୍ରାମାଞ୍ଚଳ କ୍ୟାମ୍ପସ : ଶିକ୍ଷାବର୍ଷ ଅଧାରେ ହେଉଛି ନାମଲେଖା

ବର୍ଷକୁ ୨୫ ହଜାର ଟଙ୍କା ଦେଇ ପଢ଼ିବେ ଛାତ୍ରଛାତ୍ରୀ, ଖୋଲିଲାନି ବିଏଡ୍‌, ଏମ୍‌ଏଡ୍‌, ଦକ୍ଷତା ବିକାଶ ପାଠ୍ୟକ୍ରମ

ଭୁବନେଶ୍ୱର : ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଉଚ୍ଚଶିକ୍ଷା ପ୍ରଦାନ ପାଇଁ ୨୦୧୫ରେ ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ୱିତୀୟ କ୍ୟାମ୍ପସର ପରିକଳ୍ପନା ହୋଇଥିଲା। ଏଥିପାଇଁ ଯାଜପୁର ଜିଲ୍ଲା ଚଣ୍ଡିଖୋଲଠାରୁ ୧୨ କିମି ଦୂରରେ ଥିବା ସିହା ପଞ୍ଚାୟତ ନିକଟରେ ରାଜ୍ୟ ସରକାର ୬୬.୩ ଏକର ଜମି ଯୋଗାଇ ଦେଇଥିଲେ। ଏହି କ୍ୟାମ୍ପସରେ ବିଏଡ୍‌, ଏମ୍‌ଏଡ୍‌, ଦକ୍ଷତା ବିକାଶ ତାଲିମ ପରି ପାଠ୍ୟକ୍ରମ ଖୋଲି ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବିକାଶ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ହେଲେ ତାହା ଏପର୍ଯ୍ୟନ୍ତ ସଫଳ ହୋଇପାରି ନାହିଁ। ବରଂ ଚଳିତ ଶିକ୍ଷାବର୍ଷ ଅଧାରେ ଏମ୍‌ବିଏ ଇନ୍‌ ରୁରାଲ ମ୍ୟାନେଜ୍‌ମେଣ୍ଟ ଖୋଲିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆବେଦନ ପ୍ରକ୍ରିୟା ବି ଆରମ୍ଭ ହୋଇଛି। ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀଙ୍କୁ ବର୍ଷକୁ ୨୫ ହଜାର ଟଙ୍କା ଲେଖାଏ କୋର୍ସ ଫି’ ରଖାଯାଇଥିବାରୁ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଉତ୍କଳ ବିଶ୍ୱବିଦ୍ୟାଳୟ ଚଣ୍ଡିଖୋଲ କ୍ୟାମ୍ପସ୍‌ରେ କେଉଁ ବିଷୟରେ ଶିକ୍ଷା ଦିଆଯିବ ସେନେଇ ସିଣ୍ଡିକେଟ୍‌ ବୈଠକରେ ପ୍ରସ୍ତାବ ଗୃହୀତ ହୋଇଥିଲା। ଛାତ୍ରଛାତ୍ରୀ ଭାବିଥିଲେ ରେଗୁଲାର ମୋଡ୍‌ରେ ପାଠ୍ୟକ୍ରମଗୁଡ଼ିକ ଖୋଲାଯିବ। ତେଣୁ ଅଧିକ ଫି’ ଦେବାକୁ ପଡ଼ିବ ନାହିଁ। ଅଳ୍ପ ଖର୍ଚ୍ଚରେ ଡିଗ୍ରି ହାସଲ କରିବେ। ୨୦୧୬ ଓ ୨୦୧୭ ଶିକ୍ଷାବର୍ଷ ଚାଲିଗଲା ଦ୍ୱିତୀୟ କ୍ୟାମ୍ପସରେ ପାଠପଢ଼ା ସ୍ୱପ୍ନ ସାକାର ହୋଇପାରିଲା ନାହିଁ। ୨୦୧୭ ଜୁଲାଇ ୩୧ରେ ନୂଆ କୁଳପତି ଭାବେ ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ଯୋଗଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୨୦୧୭ରେ ହିଁ ଖୋଲିବ ବୋଲି କହିଥିଲେ। କିନ୍ତୁ ତାହା ସଫଳ ହେଲାନାହିଁ। ଏବେ ବର୍ଷ ଅଧାରେ ଗ୍ରାମାଞ୍ଚଳ କ୍ୟାମ୍ପସର ପରିକଳ୍ପନା ସାକାର ହେବାକୁ ଯାଉଛି। ବିଭିନ୍ନ ପାଠ୍ୟକ୍ରମ ପାଇଁ ନାମଲେଖା ଶେଷ ହୋଇସାରିଥିବା ବେଳେ ଦ୍ୱିତୀୟ କ୍ୟାମ୍ପସ୍‌ରେ ଏବେ ପାଠ୍ୟକ୍ରମ ଖୋଲିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଏସ୍‌ଡିଙ୍କ ସହ କେତେଜଣ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଗତକାଲିଠାରୁ ଏହି ପାଠ୍ୟକ୍ରମ ପାଇଁ ଆରମ୍ଭ ହୋଇଥିବା ଆବେଦନ ପ୍ରକ୍ରିୟା ୨୦ ତାରିଖରେ ଶେଷ ହେବ। ୨୩ ତାରିଖରେ ଉତ୍କଳ ବିଶ୍ୱବିଦ୍ୟାଳୟର ବିଜନେସ୍‌ ଆଡମିନିଷ୍ଟ୍ରେସନ ବିଭାଗରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ୨୮ ଓ ୨୯ ତାରିଖରେ ନାମଲେଖା ଅନୁଷ୍ଠିତ ହେବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ସବୁଠାରୁ ବଡ଼ କଥା ହେଲା ଏପର୍ଯ୍ୟନ୍ତ ସ୍ଥାୟୀ କ୍ୟାମ୍ପସ ପାଇଁ ଇଟା ଖଣ୍ଡେ ପଡ଼ି ନାହିଁ। ତେଣୁ ଚଣ୍ଡିଖୋଲସ୍ଥିତ ବି ବି ମହାବିଦ୍ୟାଳୟରେ ହୋଇଥିବା ଅସ୍ଥାୟୀ କ୍ୟାମ୍ପସ୍‌ରେ ପାଠପଢ଼ା ହେବ। କୁଳପତିଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନକୁ ଇତିମଧ୍ୟରେ ୧୩ ମାସ ବିତିଯାଇଥିଲେ ମଧ୍ୟ ମାତ୍ର ୫୦୦ ମିଟର ପାଚେରି କାର୍ଯ୍ୟ ସରିଛି। ୭ ମାସ ତଳେ କ୍ୟାମ୍ପସ ପାଇଁ ୧୩ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା। ସେଥିମଧ୍ୟରୁ ୨ କୋଟି ୨୦ ଲକ୍ଷ ଟଙ୍କାରେ ଅସ୍ଥାୟୀ କ୍ୟାମ୍ପସର ବିକାଶ ହୋଇଛି। ସ୍ଥାୟୀ କ୍ୟାମ୍ପସରେ ପାଚେରି ସମେତ ମୁଖ୍ୟ ଫାଟକ, ବିଭିନ୍ନ ସମାଗ୍ରୀ ଲାଗି ୧୧ କୋଟି ଟଙ୍କା ଦିଆଯାଇଥିଲେ ମଧ୍ୟ କାର୍ଯ୍ୟର ଅଗ୍ରଗତି ହୋଇପାରି ନ ଥିବା ଜଣାପଡ଼ିଛି।

ଉତ୍କଳ ବିଶ୍ୱବିଦ୍ୟାଳୟ ଚଣ୍ଡିଖୋଲ କ୍ୟାମ୍ପସ ଓଏସ୍‌ଡି ପ୍ରଫେସର ଜେ. ଦଣ୍ଡପାଠ କହିଛନ୍ତି ଯେ ଏବେ ଗୋଟିଏ ପାଠ୍ୟକ୍ରମରେ ନାମଲେଖା ହେବ। ଆଗକୁ ପବ୍ଲିକ ହେଲଥ୍‌ ପାଠ୍ୟକ୍ରମ ଖୋଲିବାକୁ ଆଲୋଚନା ଚାଲିଛି। ଏବର୍ଷ ବିଏଡ୍‌, ଏମ୍‌ଏଡ୍‌ ପାଠ୍ୟକ୍ରମ ଖୋଲିବ ନାହିଁ। ଏହା ଏକ ରେଗୁଲାର ପାଠ୍ୟକ୍ରମ। ଉତ୍କଳ ବିଶ୍ୱବିଦ୍ୟାଳୟରେ ଏମ୍‌ବିଏ ପାଇଁ ଛାତ୍ରଛାତ୍ରୀଙ୍କଠାରୁ ଯେତିକି ଫି’ ନିଆଯାଉଛି ଏଠାରେ ମଧ୍ୟ ସେତିକି ଫି’ କରାଯାଇଛି।

ସମ୍ବନ୍ଧିତ ଖବର