ବାଣୀବିହାର ଦ୍ଵିତୀୟ କ୍ୟାମ୍ପସ ପାଇଁ ଅର୍ଥ ମଞ୍ଜୁର

ବାଉଣ୍ଡରି ନିର୍ମାଣ ପାଇଁ ଖର୍ଚ୍ଚ ହେବ କୋଟିଏ ଟଙ୍କା

ଯାଜପୁର/ସଦର : ବାଣୀବିହାର ଦ୍ୱିତୀୟ କ୍ୟାମ୍ପସ୍‌ ପାଇଁ ସରକାର କୋଟିଏ ଟଙ୍କା ମଂଜୁର କରିଛନ୍ତି। ଆଜି ଏନେଇ ବିଧିବଦ୍ଧ ଭାବେ ନିର୍ଦେଶନାମା ଜାରି କରାଯାଇଛି। ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ନିର୍ଦେଶନାମା ଅନୁଯାୟୀ ଯାଜପୁର ଜିଲ୍ଲା ସିହାଠାରେ ପ୍ରତିଷ୍ଠା ହେବାକୁ ଥିବା ଦ୍ୱିତୀୟ କ୍ୟାମ୍ପସ୍‌ର ବାଉଣ୍ଡରି ପାଇଁ ଏହି ଟଙ୍କା ମଂଜୁର ହୋଇଛି। ଆସନ୍ତା ମାର୍ଚ ମାସ ମଧ୍ୟରେ ଏହି ଟଙ୍କା ବିନିଯୋଗ କରାଯିବା ପାଇଁ କୁହାଯାଇଛି। ଟଙ୍କା ବିନିଯୋଗ ପରେ ଏପି୍ରଲ ୩୦ ତାରିଖ ସୁଦ୍ଧା ବିନିଯୋଗପତ୍ର ଦାଖଲ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା ଅନ୍ତର୍ଗତ ବଡ଼ଚଣା ବ୍ଲକ ସିହାଠାରେ ଉତ୍କଳ ବିଶ୍ୱବିଦ୍ୟାଳୟର ଗ୍ରାମାଞ୍ଚଳ କ୍ୟାମ୍ପସ୍‌ ପ୍ରତିଷ୍ଠା ହେବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଜମି ଚିହ୍ନଟ ସରିଛି। ଏହି ଜମି ଚାରିକଡେ ପାଚେରି ନିର୍ମାଣ ପାଇଁ ସରକାର ପ୍ରାଥମିକ ପର୍ଯ୍ୟାୟରେ କୋଟିଏ ଟଙ୍କା ମଂଜୁର କରିଛନ୍ତି। ଏନେଇ ଆଜି ସରକାର ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି। ପାଚେରି ନିର୍ମାଣ ପାଇଁ ୩ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ ଆଜି ପ୍ରଥମ ପର୍ଯ୍ୟାୟରେ ୧ କୋଟି ଟଙ୍କା ମଂଜୁର ହୋଇଛି। ଖୁବ ଶୀଘ୍ର ବଳକା ୨ କୋଟି ଟଙ୍କା ମଞ୍ଜୁର କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ପିଲମାନଙ୍କର ପାଠପ୍ରତି ଆଗ୍ରହ ଓ ଅନ୍ୟ ଏକ କ୍ୟାମ୍ପସର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲା ବଡଚଣା ବ୍ଲକ୍‌ ସିହ ଠାରେ ଏକ ଗ୍ରାମୀଣ କ୍ୟାମ୍ପସ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ପରେ ଜମି ଚିହ୍ନଟ ହୋଇ ଶୁଭ ଉଦ୍‌ଘାଟନ ମଧ୍ୟ ହୋଇଯାଇଛି। ଏଠାରେ ଉତ୍କଳ ବିଶ୍ୱବିଦ୍ୟାଳୟ ପରି ସବୁ ବିଷୟରେ ପାଠ୍ୟକ୍ରମର ବ୍ୟବସ୍ଥା ରହିବ। ଯାହାକି ଗ୍ରାମାଞ୍ଚଳ ପିଲାମାନଙ୍କୁ ସହାୟକ ହୋଇପାରିବ। ଯାଜପୁର ଜିଲ୍ଲାରେ କ୍ୟାମ୍ପସ ନିର୍ମାଣ ପାଇଁ ଚୂଡାନ୍ତ ହେବା ପରେ ଯାଜପୁରବାସୀଙ୍କ ମନରେ ଆନନ୍ଦ ଖେଳି ଯାଇଥିଲା। ୨୦୧୯ ସୁଦ୍ଧା କ୍ୟାମ୍ପସ୍‌ ନିର୍ମାଣ ହୋଇ ପାଠପଢ଼ା ଆରମ୍ଭ ହେବ ବୋଲି ସରକାର ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର