ଭୁବନେଶ୍ବର : ରାଜ୍ୟରେ ଶିକ୍ଷା, ଗବେଷଣା ଓ ଅନୁସନ୍ଧାନ କ୍ଷେତ୍ରରେ ଉତ୍କଳ ବିଶ୍ବବିଦ୍ୟାଳୟର ଅବଦାନ ରହିଛି। ରାଜ୍ୟର ପ୍ରଥମ ତଥା ପୁରାତନ ବିଶ୍ବବିଦ୍ୟାଳୟରୁ କୃତିତ୍ବର ସହ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଦାୟିତ୍ବ ଅପେକ୍ଷା କରିଛି। ଡିଗ୍ରି ପାଇବାର ମାନେ ନୁହେଁ ଯେ ଭଲ ଚାକିରି ଓ ଦରମା ପାଇବା। ଜ୍ଞାନ ସବୁବେଳେ ପ୍ରେରଣାଦାୟୀ ହୋଇଥାଏ। ଯେଉଁମାନେ ଡିଗ୍ରି ତଥା ସ୍ବର୍ଣ୍ଣପଦକ ଲାଭ କରୁଛନ୍ତି, ସେମାନେ ନିଜର କଳ୍ପନାକୁ ରାଷ୍ଟ୍ର ନିର୍ମାଣରେ ବ୍ୟବହାର କରିବା ଆବଶ୍ୟକ। ଉତ୍କଳ ବିଶ୍ୱବିଦ୍ୟାଳୟ ଉପାଧି ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ(ନାଇଜର)ର ନିର୍ଦେଶକ ଡ. ସୁଧାକର ପଣ୍ଡା ଏହା କହିଛନ୍ତି।
/sambad/media/post_attachments/wp-content/uploads/2021/04/utkal1.jpg)
କରୋନା ପାଇଁ ୨୦୧୮-୧୯ ଶିକ୍ଷାବର୍ଷର ସମାବର୍ତ୍ତନ ଉତ୍ସବ ୨୦୨୦ରେ ହୋଇପାରି ନ ଥିଲା। ଯେଉଁଥିପାଇଁ ୫୦ତମ ସମାବର୍ତନ ଉତ୍ସବ ପୂର୍ବରୁ ଆଜି ଉପାଧି ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଅଧ୍ୟକ୍ଷତା କରି କହିଲେ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହେବାର ୭ବର୍ଷ ପରେ ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବର୍ତମାନ ୭୮ବର୍ଷରେ ପଦାର୍ପଣ କରିଛି। ଉତ୍କଳ ସର୍ବଦା ଦେଶ ପାଇଁ ନୈତିକ ତଥା ସାମାଜିକ ଦାୟିତ୍ବ ସମ୍ପର୍ଣ୍ଣ ନାଗରିକ ଗଠନ ଦିଗରେ କାର୍ଯ୍ୟ କରୁଛି। ଗତ କିଛି ବର୍ଷ ମଧ୍ୟରେ ଉତ୍କଳ ବିଶ୍ବବିଦ୍ୟାଳୟ ଅନେକ ସଫଳତା ହାସଲ କରିପାରିଛି। ରୁସାରୁ ୧୦୦ କୋଟି ଟଙ୍କା ପାଇବା ଲାଗି ଯୋଗ୍ୟତା ଅର୍ଜନ କରିବା ସହ ବିଦେଶୀ ବିଶ୍ବବିଦ୍ୟାଳୟ ସହ ରାଜିନାମା କରିଛି। ରୁସା ଓ ବିଶ୍ବବ୍ୟାଙ୍କ ସହାୟତାରେ ଗବେଷଣା ଲାଗି କ୍ୟାମ୍ପସରେ ୧୧ଟି ସେଣ୍ଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା ହୋଇଛି। ଗତବର୍ଷ ଏନ୍ଆଇଆରଏଫ୍ ରୢାଙ୍କିଙ୍ଗ୍ରେ ଦେଶର ଶ୍ରେଷ୍ଠ ଶହେ ବିଶ୍ବବିଦ୍ୟାଳୟ ମଧ୍ୟରେ ୯୬ତମ ସ୍ଥାନରେ ରହିଥିଲା। ଦେଶର ଶ୍ରେଷ୍ଠ ୩୦ ବିଶ୍ବବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖାଯାଇଛି। ବିଶ୍ବବିଦ୍ୟାଳୟ ପିଜି କାଉନସିଲର ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମଲ୍ଲିକ ଉତ୍ସବରେ ସ୍ୱାଗତ ଭାଷଣ ଦେଇଥିବା ବେଳେ କୁଳସଚିବ ଅଭୟ କୁମାର ନାୟକ ବାର୍ଷିକ ରିପୋର୍ଟ ଉପସ୍ଥାପନ କରିଥିଲେ। ପରୀକ୍ଷା ନିୟନ୍ତ୍ରକ ଶରତ କୁମାର ମାଝୀ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ୧୨୭ଜଣଙ୍କୁ ପିଏଚ୍ଡି, ଦୁଇ ଜଣଙ୍କୁ ଡି.ଲିଟି ଓ ୯୦ ଜଣଙ୍କୁ ସ୍ବର୍ଣ୍ଣପଦକ ପ୍ରଦାନ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/utkal.jpg)