ବାଣୀବିହାରରୁ ଉଠିଲା ସାଇନ୍‌ ଡାଏ

ଭୁବନେଶ୍ୱର : ବାଣୀବିହାରରୁ ଉଠିଲା ସାଇନ୍‌ ଡାଏ। ସୋମବାର(ଆଜି)ଠାରୁ ନିୟମିତ କ୍ଲାସ୍‌ ଆରମ୍ଭ ହେବ। ପୂର୍ବାହ୍ନ ୯ଟାରେ ଛାତ୍ରଛାତ୍ରୀ ପ୍ରବେଶପଥରେ ପରିଚୟପତ୍ର ଦାଖଲ କରିବେ। ସେଠାରେ ନିୟୋଜିତ ସୁରକ୍ଷା କର୍ମୀମାନେ ପରିଚୟପତ୍ର ଯାଞ୍ଚ କରିବା ପରେ ଛାତ୍ରଛାତ୍ରୀଙ୍କୁ ଭିତରକୁ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରିବେ। ହଷ୍ଟେଲଗୁଡ଼ିକରେ ରହୁଥିବା ଛାତ୍ରଛାତ୍ରୀ ପ୍ରବେଶ କରିବା ସମୟରେ ପରିଚୟପତ୍ର ସହ ଏହାର ଏକ ନକଲ କର୍ତୃପକ୍ଷଙ୍କ ନିକଟରେ ଦାଖଲ କରିବାକୁ ପଡ଼ିବ ବୋଲି ପିଜି କାଉନ୍‌ସିଲ୍‌ ଅଧ୍ୟକ୍ଷ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀ ସୂଚନା ଦେଇଛନ୍ତି।

କ୍ୟାମ୍ପସ୍‌ର ସୁରକ୍ଷା ଦୃଷ୍ଟିରୁ ଶନିବାର ବସିଥିବା ପିଜି କାଉନସିଲ୍‌ ବୈଠକରେ ସାଇନ୍‌ ଡାଏ ଉଠିବା ନେଇ କୌଣସି ନିଷ୍ପତ୍ତିି ହୋଇପାରି ନ ଥିଲା। ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ରମୋହନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ୯ ଜଣିଆ ସବ୍‌ କମିଟି ଆଜି ମଧ୍ୟାହ୍ନରେ ପୁଲିସ କମିସନର ଯୋଗେଶ ବାହାଦୂର ଖୁରାନିଆଙ୍କ ସହ ଆଲୋଚନା କରିଥିଲେ। ବୈଠକରେ କ୍ୟାମ୍ପସର ବର୍ତମାନ ସ୍ଥିତି, ଛାତ୍ରଛାତ୍ରୀଙ୍କ ପାଠପଢ଼ା, ମିଡ୍‌ ସେମିଷ୍ଟାର ପରୀକ୍ଷା ସମ୍ପର୍କରେ ଆଲୋଚନା କରାଯାଇଥିଲା। ବିଶେଷକରି କ୍ୟାମ୍ପସ ଖୋଲିବା ପରେ ନିର୍ବାଚନ ଦାବିରେ ଏକ ଛାତ୍ରଗୋଷ୍ଠୀ ଆନ୍ଦୋଳନ କରିବାକୁ ଧମକ ଦେଇଥିବାରୁ ସୁରକ୍ଷା ବଢ଼ାଇବାକୁ କର୍ତୃପକ୍ଷ ନିବେଦନ କରିଥିଲେ। ଏଥିସହ ପୁଣିଥରେ କ୍ୟାମ୍ପସରେ ତିନି ଛାତ୍ରଗୋଷ୍ଠୀ ମୁହାଁମୁହିଁ ହେବା ନେଇ ଆଶଙ୍କା ପ୍ରକାଶ ପାଇଥିଲା। ମଧ୍ୟାହ୍ନରେ ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା ପରେ କ୍ୟାମ୍ପସରେ ସ୍ୱାଭାବିକ ସ୍ଥିତି ଫେରିବା ପର୍ଯ୍ୟନ୍ତ ପୁଲିସ ସମ୍ପୂର୍ଣ୍ଣ ସହଯୋଗ ପ୍ରଦାନ କରିବ ବୋଲି ପୁଲିସ କମିସନର ଶ୍ରୀ ଖୁରାନିଆ ପ୍ରତିଶ୍ରୁତି ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆଜି ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ପୁଲିସ କମିସନର୍‌ଙ୍କୁ ଭେଟିଥିବା ପ୍ରତିନିଧି ଦଳରେ କୁଳସଚିବ ବିଦ୍ୟାଧର ନାୟକ, ହଷ୍ଟେଲ ୱାର୍ଡେନ୍‌ ପ୍ରଫେସର କିଶୋର ବାସା, ସିଡିସି ନିର୍ଦେଶକ ପ୍ରଫେସର ସନ୍ତୋଷ ତ୍ରିପାଠୀ, କ୍ରୀଡ଼ା ପରିଷଦ ନିର୍ଦେଶକ କବିର ସେଠୀ, ଛାତ୍ର ମଙ୍ଗଳ ନିର୍ଦେଶକ ଚିନ୍ମୟ ପ୍ରଧାନ ଓ ନିରାପତ୍ତା ଅଧିକାରୀ ରବିନାରାୟଣ ମହାପାତ୍ର ରହିଥିଲେ।

ସୂଚନାଯୋଗ୍ୟ ଯେ, ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ କ୍ୟାମ୍ପସରେ ଘନ ଘନ ବୋମାମାଡ଼ ହୋଇଥିଲା। ଛାତ୍ରୀନିବାସ ସମେତ କ୍ୟାମ୍ପସର ବିଭିନ୍ନ ସ୍ଥାନରେ ୧୨ରୁ ଅଧିକ ବୋମା ପଡ଼ିବା ପରେ କର୍ତୃପକ୍ଷ ରାତି ଅଧିକ ସାଇନ୍‌ ଡାଏ ଘୋଷଣା କରିଥିଲେ। ଏହାକୁ ବିରୋଧ କରି କ୍ୟାମ୍ପସରେ ପୋଡ଼ାଜଳା ସହ ବ୍ୟାପକ ଭଙ୍ଗାରୁଜା ହୋଇଥିଲା।

ସମ୍ବନ୍ଧିତ ଖବର