ନଭେମ୍ବର ୮ ଓ ୯ରେ ସାକ୍ଷାତକାର
୨୦ ତାରିଖ ସୁଦ୍ଧା ନୂଆ କୁଳପତି
ରମାଦେବୀ ପାଇଁ ସଂକ୍ଷିପ୍ତ ତାଲିକାରେ ୧୧
ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପଦ ପାଇଁ ୮୪ଜଣ ପ୍ରଫେସର ଆବେଦନ କରିଥିଲେ। ତେବେ ଆବେଦନପତ୍ର ଯାଞ୍ଚ ପରେ ସେମାନଙ୍କ ମଧ୍ୟରୁ ୭୦ଜଣ ପ୍ରଫେସର ବାଦ୍ ପଡ଼ିଛନ୍ତି। ଅର୍ଥାତ୍ ସଂକ୍ଷିପ୍ତ ତାଲିକାରେ ମାତ୍ର ୧୪ଜଣ ପ୍ରଫେସର ରହିଛନ୍ତି। ତାଲିକାରେ ଥିବା ପ୍ରଫେସରଙ୍କ ମଧ୍ୟରେ ରାଜ୍ୟ ଭିତରର ୯ଜଣ ଓ ବାହାର ରାଜ୍ୟରୁ ୫ଜଣ ଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ କିଛି ଏବେ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ବେଳେ ଆଉ କେତେଜଣ ଅବସର ଗ୍ରହଣ କରିସାରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଏହି ସଂକ୍ଷିପ୍ତ ତାଲିକାରେ ଉତ୍କଳ ବିଶ୍ବବିଦ୍ୟାଳୟର ୩ଜଣ ପ୍ରଫେସର୍ ତାଲିକାରେ ରହିଥିବା ବେଳେ ରେଭେନ୍ସା ବିଶ୍ବବିଦ୍ୟାଳୟର ଦୁଇଜଣ, ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ, ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ, ଫକୀରମୋହନ ବିଶ୍ବବିଦ୍ୟାଳୟ, ସମ୍ବଲପୁରର ଜଣେ ଲେଖାଏଁ ସ୍ଥାନ ପାଇଛନ୍ତି। ଏମାନଙ୍କ ବ୍ୟତୀତ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ(ବିଏଚ୍ୟୁ) ଓ ଦିଲ୍ଲୀ ବିଶ୍ବବିଦ୍ୟାଳୟର ୨ଜଣ ଲେଖାଏଁ ରହିଥିବା ବେଳେ ଦିଲ୍ଲୀ ଇଗ୍ନୋର ଜଣେ ପ୍ରଫେସର ସଂକ୍ଷିପ୍ତ ତାଲିକାରେ ରହିଛନ୍ତି। ତେବେ ରାଜ୍ୟ ବାହାର ଯେଉଁ ପ୍ରଫେସରମାନେ ତାଲିକାରେ ଅଛନ୍ତି, ସେମାନେ ଓଡ଼ିଆ ବୋଲି ଜଣାପଡ଼ିଛି।
ଯାଞ୍ଚରେ ଏତେ ସଂଖ୍ୟକ ପ୍ରଫେସର ବାଦ୍ ପଡ଼ିଥିବାରୁ କୁଳପତି ଚୟନର ସ୍ବଚ୍ଛତା ନେଇ ଏବେ ପ୍ରଶ୍ନ ଉଠିଛି। ଅଭିଯୋଗ ହୋଇଛି ଯେ ଯେଉଁ ପ୍ରଫେସରମାନେ ଉତ୍କଳ ବିଶ୍ବବିଦ୍ୟାଳୟ ପାଇଁ ଯୋଗ୍ୟତା ଅର୍ଜନ କରିପାରି ନାହାନ୍ତି, ସେମାନଙ୍କ ମଧ୍ୟରୁ ପ୍ରାୟ ୧୭ଜଣ ରାଜ୍ୟର ଅନ୍ୟ ବିଶ୍ବବିଦ୍ୟାଳୟ କୁଳପତି ଦୌଡ଼ର ସଂକ୍ଷିପ୍ତ ତାଲିକାରେ ସ୍ଥାନ ପାଇବା ସହ ସାକ୍ଷାତକାର ଦେଇ ସାରିଛନ୍ତି। ଉତ୍କଳ ଲାଗି ଯୋଗ୍ୟତା ଅର୍ଜନ କରିପାରି ନ ଥିବା ପ୍ରଫେସର୍ କେଉଁ ଆଧାରରେ ଅନ୍ୟ ବିଶ୍ବବିଦ୍ୟାଳୟ ଲାଗି ଯୋଗ୍ୟ ହେଲେ? ଯେତେବେଳେ କି ସମସ୍ତ ବିଶ୍ବବିଦ୍ୟାଳୟ ଲାଗି ଗୋଟିଏ ନିୟମ ରହିଥିଲା। ଜଣେ ଜଣେ ପ୍ରଫେସର୍ ୫ଟି ବିଶ୍ବବିଦ୍ୟାଳୟର ସଂକ୍ଷିପ୍ତ ତାଲିକାରେ ବି ସ୍ଥାନ ପାଇଛନ୍ତି। କେତେଜଣ ପ୍ରଫେସର୍ଙ୍କ ନାମରେ ପୂର୍ବରୁ ଅନିୟମିତତା ଅଭିଯୋଗ ରହିଥିଲେ ମଧ୍ୟ ସେମାନଙ୍କୁ ସଂକ୍ଷିପ୍ତ ତାଲିକାରେ ସ୍ଥାନ ମିଳିଛି। ତେଣୁ ପ୍ରିୟାପ୍ରୀତି ତୋଷଣ ହୋଇଥିବା ନେଇ ବି ଅଭିଯୋଗ ଉଠିଲାଣି।
ନଭେମ୍ବର ୨୦ ତାରିଖ ସୁଦ୍ଧା ଉତ୍କଳ ବିଶ୍ବବିଦ୍ୟାଳୟର ନୂତନ କୁଳପତି ଚୟନ ପ୍ରକ୍ରିୟା ଶେଷ ହେବ। ତାହାକୁ ଦୃଷ୍ଟିରେ ରଖି ଆସନ୍ତା ୮ ଓ ୯ ତାରିଖରେ ସଂକ୍ଷିପ୍ତ ତାଲିକାରେ ଥିବା ୧୪ ଜଣ ପ୍ରଫେସର୍ଙ୍କ ସାକ୍ଷାତକାର ନିଆଯିବ। ଏନେଇ ସଂକ୍ଷିପ୍ତ ତାଲିକାରେ ଥିବା ପ୍ରଫେସର୍ଙ୍କୁ ସୂଚନା ଦିଆଯାଇଛି। କୁଳପତି ଚୟନ ଲାଗି ଗଠିତ ହୋଇଥିବା ୩ଜଣିଆ ଚୟନ କମିଟି ଏହି ପ୍ରଫେସରମାନଙ୍କ ସାକ୍ଷାତକାର ନେବା ପରେ ୯ ତାରିଖ ସନ୍ଧ୍ୟା ସୁଦ୍ଧା ୩ଜଣିଆ ଚୂଡ଼ାନ୍ତ ସଂକ୍ଷିପ୍ତ ପ୍ରଫେସରଙ୍କ ନାମ ତାଲିକା ବିଶ୍ବବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କୁ ପ୍ରଦାନ କରିବେ।
ଅନ୍ୟପକ୍ଷରେ ରମାଦେବୀ ବିଶ୍ବବିଦ୍ୟାଳୟ କୁଳପତି ଦୌଡ଼ ବି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଶିକ୍ଷାନୁଷ୍ଠାନ ଲାଗି ମୋଟ ୬୨ଜଣ ପ୍ରଫେସର ଆବେଦନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୫୧ଜଣ ବାଦ୍ ପଡ଼ିଛନ୍ତି। ଅର୍ଥାତ ସଂକ୍ଷିପ୍ତ ତାଲିକାରେ ମାତ୍ର ୧୧ଜଣ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୮ଜଣ ମହିଳା ପ୍ରଫେସର ରହିଥିବା ବେଳେ ୩ଜଣ ପୁରୁଷ। ସେପ୍ଟେମ୍ବର ୭ ତଥା ଶନିବାର ସଂକ୍ଷିପ୍ତ ତାଲିକାରେ ଥିବା ପ୍ରଫେସରଙ୍କ ସାକ୍ଷାତକାର ନିଆଯିବ।