ଥାନେ: ମହାରାଷ୍ଟ୍ରର ପୁନେ ଠାରେ ନବ ଗଠିତ ‘ଉତ୍କଳ ଆସୋସିଏସନ୍’ ପକ୍ଷରୁ ରବିବାର ଅପରାହ୍ଣରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମର ଆୟୋଜନ ହୋଇଯାଇଛି। ନବଘରସ୍ଥିତ ତ୍ରାହି ଅଚ୍ୟୁତ ଆଶ୍ରମରେ ‘ଏକ ନୂଆ ଜାଗରଣ, ଏକ ନୂଆ ଆରମ୍ଭ’ ଶୀର୍ଷକରେ ଭାବପୂର୍ଣ୍ଣ ଓ ପ୍ରତୀକାତ୍ମକ ସମାବେଶର ଆୟୋଜନ ହୋଇଛି। ଏହି କାର୍ଯ୍ୟକ୍ରମରେ ସଂସ୍ଥାର ଅlଧିକlରିକ ଲୋଗୋ ଉନ୍ମୋଚନ କରାଯାଇଛି, ଯାହା ଥାନେ ଓ ମହାରାଷ୍ଟ୍ରରେ ବସବାସ କରୁଥିବା ଓଡ଼ିଆ ସମ୍ପ୍ରଦାୟର ଏକତା, ଐତିହ୍ୟ ଓ ସାଂସ୍କୃତିକ ଗୌରବ ପାଇଁ ଏକ ନୂତନ ଯୁଗର ସୂତ୍ରପାତ ଉପରେ ଆଧାରିତ।
ଲୋଗୋରେ ଶ୍ରୀ ଜଗନ୍ନାଥ, କୋଣାର୍କ ଚକ୍ର ଏବଂ ସମ୍ବଲପୁରୀ ମୋଟିଫ୍ର ଏକ ସୁନ୍ଦର ମିଶ୍ରଣ ରହିଛି। ଏହା ବିଶ୍ୱାସ, ନିରନ୍ତରତl ଓ ଶିଳ୍ପ କୁଶଳତାର ପରିଚାୟକ ବୋଲି ଆୟୋଜକ ସଂସ୍ଥା ତରଫରୁ କୁହାଯାଇଛି। ଏହି ଲୋଗୋ ଓଡ଼ିଶାର ସଭ୍ୟତାର ଐତିହ୍ୟ ଏବଂ ପ୍ରବାସୀ ଓଡ଼ିଆମାନଙ୍କର ସାମୁହିକ ଗର୍ବ ଓ ଗୌରବର ଜୀବନ୍ତ ପ୍ରତୀକ।
ଏହି ସମାବେଶରେ ଆସୋସିଏସନ୍ ତରଫରୁ ଭବିଷ୍ୟତ ଯୋଜନା ବିଷୟରେ ଘୋଷଣା କରାଯାଇଛି। ଓଡ଼ିଶାର ରନ୍ଧନ ପରମ୍ପରା ଓ ପ୍ରସିଦ୍ଧ ଖାଦ୍ୟର ଉତ୍ସବ, ଯୁବ ଜାଗରଣ ଅଭିଯାନ, ଥାନେର ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯକ୍ରମ, ଦୈନନ୍ଦିନ ଜୀବନରେ ଓଡ଼ିଆ ଭାଷାକୁ ପ୍ରୋତ୍ସାହିତ ଓ ସଂରକ୍ଷିତ କରିବା ପାଇଁ ଏକ ଭାଷା ସୁରକ୍ଷା ଅଭିଯାନ ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ସମସ୍ତ ଯୋଜନାର ଲକ୍ଷ୍ୟ ହେଲା ମହାରାଷ୍ଟ୍ରରେ ବସବାସ କରୁଥିବା ଓଡ଼ିଆମାନଙ୍କ ମଧ୍ୟରେ କଳା, ଐତିହ୍ୟ ଓ ଏକତାର ବିକାଶ।