ବୌଦ୍ଧ: ବୌଦ୍ଧ-ଭୁବନେଶ୍ବର ଜାତୀୟ ରାଜପଥର ବାମଣ୍ଡା ଗ୍ରାମର ଦକ୍ଷିଣ ପାର୍ଶ୍ବରେ ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଋଷ୍ୟଶୃଙ୍ଗ ପାହାଡ଼ ଶିଖରରେ ନାଏକପଡ଼ା ଗୁମ୍ଫା। ଏଠାରେ ଶ୍ରୀଜଗନ୍ନାଥ ପାତାଳୀ ହୋଇଥିବା ଅଞ୍ଚଳବାସୀ ନିଜ ପୂର୍ବପୁରୁଷଙ୍କଠାରୁ ଶୁଣିଥିବା କହନ୍ତି। ପାତାଳୀ ଶ୍ରୀକ୍ଷେତ୍ର ଭାବେ ଅଭିହିତ ଏହି ସ୍ଥାନର ଦିବ୍ୟ ମାହାତ୍ମ୍ୟ ରହିଛି। ବର୍ଷା ନହୋଇ ମରୁଡ଼ି ସ୍ଥିତି ଉପୁଜିଲେ, ଏଠାରେ ସ୍ବତନ୍ତ୍ର ବିଧିରେ ପୂଜାର୍ଚ୍ଚନା କଲେ ଭଲ ବର୍ଷା ହେଉଥିବା ଲୋକ ବିଶ୍ବାସ ରହିଛି। ଶହଶହ ବର୍ଷ ଧରି ଏଠାରେ ରଥଯାତ୍ରା ଅନୁଷ୍ଠିତ ହେଉଛି।
ଗବେଷକ ବିଶେଶ୍ବର ପୃଷ୍ଟିଙ୍କ କହିବାନୁସାରେ, ମାଦଳା ପାଞ୍ଜି ବର୍ଣ୍ଣିତ ଏବଂ ଐତିହାସିକ ତଥ୍ୟ ଅନୁସାରେ ସପ୍ତମ ଶତାବ୍ଦୀରେ ପୁରୀ ରାଜା ଶୋଭନ ଦେବଙ୍କ ଶାସନ କାଳରେ ଯବନ ରାଜା ରକ୍ତବାହୁ ଶ୍ରୀକ୍ଷେତ୍ର ଆକ୍ରମଣ କରିଥିଲା। ସେ ଶ୍ରୀବିଗ୍ରହଙ୍କୁ କ୍ଷତି ପହଞ୍ଚାଇବା ଆଶଙ୍କା କରି ରାଜା ୧୦ଜଣ ବ୍ରାହ୍ମଣଙ୍କ ସହଯୋଗରେ ଜଳମାର୍ଗ (ମହାନଦୀ)ରେ ତତ୍କାଳନୀ ଭଞ୍ଜ ଶାସିତ ଉଡ୍ର ରାଜ୍ୟ (ଆଧୁନିକ ବୌଦ୍ଧ)କୁ ନେଇ ଯାଇଥିଲେ। ସେତେବେଳେ ଉଡ୍ର ଦେଶରେ ପରାକ୍ରମୀ ରାଜା ରଣଭଞ୍ଜ ଦେବଙ୍କ ସହଯୋଗରେ ଶ୍ରୀଜିଉଙ୍କ ବିଗ୍ରହକୁ ଶଗଡ଼ଗାଡ଼ିରେ ନେଇ ଉଡ୍ର ରାଜଧାନୀ (ଏବେର ଗନ୍ଧରାଡ଼ି)ରୁ ୧୨ ମାଇଲ୍ ଦୂର ଗୋପାଳୀ ଗ୍ରାମଠାରେ ପାତାଳୀ କରାଇ, ସେଠାରେ ଏକ ବରଗଛ ଲଗାଇଥିଲେ। ଏବେବି ସେଠାରେ ବରଗଛ ରହିଛି, ଯାହାର ସାମଞ୍ଜସ୍ୟ ଶ୍ରୀମନ୍ଦିରରେ ଥିବା କଳ୍ପବଟ ଏବଂ ଛତିଆବଟ ସଦୃଶ। ଦେବ(ଶ୍ରୀଜିଉ)ଙ୍କ ସୁରକ୍ଷା ପାଇଁ ନିକଟରେ ଗଡ଼ ନିର୍ମାଣ କରାଯାଇ ଏହାର ନାମ ଦେବଗଡ଼ ରଖାଯାଇଥିଲା। ଆଜିମଧ୍ୟ ସେଠାରେ ଦେବଗଡ଼ ଗ୍ରାମ ଅଛି, କ୍ଷତ୍ରିୟ ବଡ଼ ସୁଦ ସଂପ୍ରଦାୟର ବୀର ଯୋଦ୍ଧାମାନେ ସୁରକ୍ଷା ଦାୟିତ୍ୱରେ ଥିଲେ।
ଦେବଗଡ଼ ଓ ବିରଗଡ଼ ଗ୍ରାମରେ ଅଧିକାଂଶ ଏହି ସମ୍ପ୍ରଦାୟର ଲୋକ ଏବେ ବି ବାସ କରୁଛନ୍ତି। ଏହି ପାହାଡ଼ର ଆଖପାଖରେ ମାଦଳା ପାଞ୍ଜି ବର୍ଣ୍ଣିତ ବିରିବନ୍ଧ, ରତନପୁର ଓ ବାଘପାଲି ଗ୍ରାମ ରହିଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ସାରା ଉତ୍କଳ ଭୂଖଣ୍ଡର ନାୟକ ହୋଇଥିବା ବେଳେ, ସେ ଆସି ଏଠାରେ ଦିବ୍ୟଲୀଳା କରିଥିବାରୁ, ଏହାର ନାମକରଣ ଏଭଳି ନାୟକପଡ଼ା (ସ୍ଥାନୀୟ ଭାଷାରେ ନାଏକପଡ଼ା) ହୋଇଛି। ତ୍ରେତୟା ଯୁଗର ମୁନି ଋଷ୍ୟଶୃଙ୍ଗଙ୍କ ନାମରେ ଏହି ପାହାଡ଼ ନାମିତ ହୋଇଥିବା ବେଳେ ଏଥିରେ ଥିବା ଗୁମ୍ଫା ଏବେ ବି ରହସ୍ୟାବୃତ୍ତ ହୋଇ ରହିଛି। ଅନ୍ୟପକ୍ଷରେ, ୨୦୦୮ ମସିହାରେ ଏଠାକୁ ଏକ ପ୍ରତିନିଧିମଣ୍ଡଳୀ ଆସିଥିଲେ। ଏହି ପ୍ରତିନିଧି ମଣ୍ଡଳୀରେ ଆସିଥିବା ବରିଷ୍ଠ ଗବେଷକ ସୁରେନ୍ଦ୍ର ମିଶ୍ର, ଶ୍ରୀଜଗନ୍ନାଥ ମହାପ୍ରଭୁ ନାଏକପଡ଼ା ଗୁମ୍ଫାରେ କିଛିଦିନ ଅବସ୍ଥାନ କରିଥିଲେ ବୋଲି ସେହିବର୍ଷ ଉତ୍କଳ ପ୍ରସଙ୍ଗର ଜୁଲାଇ ସଂଖ୍ୟାରେ ନିଜର ଆଲେଖ୍ୟ ପ୍ରକାଶ କରିଥିଲେ। ହେଲେ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପାତାଳୀ ଶ୍ରୀକ୍ଷେତ୍ରର ମାନ୍ୟତା ଏଯାବତ୍ କାହାକୁ ପ୍ରଦାନ କରାଯାଇନଥିବା ହସ୍ତଗତ ତଥ୍ୟରୁ ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/gdjggjddjg.jpg)