ଉତ୍କଳମଣିଙ୍କ ଜନ୍ମସ୍ଥାନକୁ ‘ନନ୍ଦନ ବନ’ କରାଯିବ: ରାଜ୍ୟପାଳ

ସୁଆଣ୍ଡୋରେ ଉତ୍କଳମଣିଙ୍କ ଜୟନ୍ତୀ ପାଳିତ

ସାକ୍ଷୀଗୋପାଳ : ସତ୍ୟବାଦୀ ବ୍ଲକ୍‌ ସୁଆଣ୍ଡୋରେ ବୁଧବାର ଦିନ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୨ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ସୁଆଣ୍ଡୋସ୍ଥିତ ଜନ୍ମପୀଠ ଷଠିଘରେ ଆୟୋଜିତ ଏହି ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍କଳମଣିଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥଲେ। ଏହି ଅବସରରେ ରାଜ୍ୟପାଳ ଉତ୍କଳମଣିଙ୍କ ସ୍ବରଚିତ କବିତା ଆବୃତ୍ତି କରିବା ସହ ତାଙ୍କର ଶ୍ରୀଜଗନ୍ନାଥ ପ୍ରୀତିର ଅବତାରଣା କରିଥିଲେ। ଏଭଳି ଜଣେ ମହାତ୍ମାଙ୍କ ଜନ୍ମପୀଠକୁ ରାସ୍ତା, ପାନୀୟ ଜଳ, ବିଦ୍ୟୁତ୍ ଓ ବିଦ୍ୟାଳୟ ଆଦି ଭିତ୍ତିଭୂମି ଯୋଗାଇ ଦିଆଯିବା ସହ ଉକ୍ତ ଗ୍ରାମକୁ ‘ନନ୍ଦନ ବନ’ରେ ପରିଣତ କରିପାରିଲେ ଉତ୍କଳମଣିଙ୍କ ପାଇଁ ଏହା ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ରାଜ୍ୟପାଳ କହିଥିଲେ। ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ରାଜ୍ୟପାଳ ଘୋଷଣା କରିଥିଲେ। ଏହି ଉପଲକ୍ଷେ ୩ ହଜାର ଲୋକଙ୍କୁ ରାଜ୍ୟପାଳ କମ୍ବଳ ବଣ୍ଟନ କରିଥିଲେ। ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସୁଆଣ୍ଡୋ ଗ୍ରାମକୁ ଖୁବ୍‌ଶୀଘ୍ର ଦୁଇ ଲେନ୍ ବିଶିଷ୍ଟ ରାସ୍ତା, ବିଦ୍ୟୁତ୍, ପାନୀୟ ଜଳ, ପକ୍କା ଘର ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଆଶୁତୋଷ ମୁଖାର୍ଜୀ, ଦାର୍ଶନିକ ଜେଫର୍‌ସନ୍‌ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲାପରିଷଦ ସଭ୍ୟ ଧ୍ରୁବ ଚରଣ ଦାଶ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଶେଷରେ ଛାତ୍ରୀ ପ୍ରଜ୍ଞା ପାରମିତା ବେହେରା ରାଜ୍ୟପାଳଙ୍କୁ ଏକ ଫଟୋଚିତ୍ର ପ୍ରଦାନ କରିଥିଲେ। ସେହିପରି କାଦୁଆ ଆଶ୍ରମ, ସତ୍ୟବାଦୀ ବକୁଳ ବନ ଓ ସମାଧିପୀଠରେ ଉତ୍କଳମଣିଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି।

ସମ୍ବନ୍ଧିତ ଖବର