ପୁରୀ: ଓଡ଼ିଶା ମାଟିର ଗର୍ବ ଓ ଗୌରବ ହେଉଛନ୍ତି ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ। ବନ୍ୟା, ମହାମାରୀ ସମୟରେ ତାଙ୍କ ଉତ୍ସର୍ଗୀକୃତ ସେବା ଆଜି ବି ବିଶ୍ବ ଜନମାନସରେ ଜୀବିତ ରହିଛି। ଶିକ୍ଷା ପାଇଁ ଅତୀତରେ ସେ ଯେଉଁ ପ୍ରୟାସ ଆରମ୍ଭ କରିଥିଲେ, ତାହା ଆଜି ମହାଦ୍ରୁମ ରୂପ ନେଇଛି। ଜଙ୍ଗଲ ଭିତରେ ଛୋଟମୋଟ ଚାଳ ଛପର ଘରେ ପିଲାଙ୍କୁ ପଢ଼ାଇ ଶିକ୍ଷିତ କରିଥିବା ଗୋପବନ୍ଧୁଙ୍କ ବକୁଳ ବନ ନିକଟରେ ଓଡ଼ିଆ ବିଶ୍ବବିଦ୍ୟାଳୟ ପୂର୍ଣ୍ଣରୂପ ନେବାକୁ ଯାଉଛି। କିନ୍ତୁ ଦୁର୍ଭାଗ୍ୟ, ଯେଉଁ ଜାଗାରେ ଗୋପବନ୍ଧୁଙ୍କ ସହ ପଞ୍ଚସଖା ନୀଳକଣ୍ଠ ଦାଶ, କୃପାସିନ୍ଧୁ ମିଶ୍ର, ଆଚାର୍ଯ୍ୟ ହରିହର, ଗୋଦାବରିଶ ମିଶ୍ର ମଣିଷ ତିଆରି କାରଖାନାର ଭିତ୍ତି ପକାଇଥିଲେ, ତାହା ଆଜି ସ୍ମୃତି ଗର୍ଭରେ ଲୀନ ହେବାକୁ ବସିଛି। ବକୁଳ ବନ ବିଦ୍ୟାଳୟର ଶେଷ ସ୍ମାରକୀ ଆଜି ଭଗ୍ନ ଅବସ୍ଥାରେ ପଡ଼ିରହିଛି। କେବଳ ସେତିକି ନୁହେଁ, ଗୋପବନ୍ଧୁଙ୍କ ଦେହତ୍ୟାଗ ସ୍ଥଳୀ ବି ରକ୍ଷଣାବେକ୍ଷଣ ଅଭାବରୁ ଭଗ୍ନ ଅବସ୍ଥାକୁ ଚାଲିଗଲାଣି। ନା ସରକାରଙ୍କ ଏଥିପ୍ରତି ଦୃଷ୍ଟି ପଡ଼ୁଛି, ନା ରାଜନେତା ଅବା ତଥାକଥିତ ସମାଜସେବୀଙ୍କର। ଅପରପକ୍ଷେ ଆଜି ଗୋପବନ୍ଧୁଙ୍କ ଜୟନ୍ତୀରେ ପ୍ରତିମୂର୍ତ୍ତିରେ ମାଳ ପକାଇ ସମସ୍ତେ ମିଛ ଦରଦ ଦେଖାଇଛନ୍ତି। ଏଥିପାଇଁ ଜନ୍ମସ୍ଥାନ ସୁଆଣ୍ଡୋ ଆଜି ଗହଳିରେ ଫାଟିପଡ଼ିଛି। କିନ୍ତୁ କର୍ମକ୍ଷେତ୍ରକୁ କେହି ବି ଆଡ଼ ଆଖିରେ ଚାହିଁନାହାନ୍ତି।
ବକୁଳ ବନକୁ ଲାଗି ରହିଛି ଗୋପବନ୍ଧୁଙ୍କ ବକୁଳ ବନ ବିଦ୍ୟାଳୟ। ଏହାକୁ ଗୋପବନ୍ଧୁ ବନ ବିଦ୍ୟାଳୟ ସ୍ମାରକୀ ଭାବେ ନାମିତ କରାଯାଇଛି। କିନ୍ତୁ ଗୋପବନ୍ଧୁଙ୍କ ବକୁଳ ବନ ବିଦ୍ୟାଳୟକୁ ଆଡ଼ ଆଖିରେ ବି ଚାହୁଁନାହାନ୍ତି ସରକାର। ଫଳସ୍ବରୂପ ମାଟି ଓ ଚାଳ ଛପରର ଏହି ଘର ଭାଙ୍ଗିଗଲାଣି। ଯେଉଁ କୋଠରିରେ ରହି ଗୋପବନ୍ଧୁ ପିଲାଙ୍କୁ ପାଠ ପଢ଼ାଉଥିଲେ, ତାହା ଭାଙ୍ଗିଯିବା ସହ ଅଳିଆ ଆବର୍ଜନାରେ ଭରି ରହିଛି। ବର୍ଷା ହେଲେ ମାଟି କାନ୍ଥ ସବୁ ଭିଜି ଛେଲା ଛେଲା ହୋଇ ଖସୁଛି। କେଉଁ ସମୟରେ ବି ଏହି ଘର ଭୁଶୁଡ଼ି ପଡ଼ିବା ପରିସ୍ଥିତି ଉପୁଜିଛି। ଏହି ଘର ଆଗରେ ବଡ଼ ବଡ଼ ଅକ୍ଷରରେ ବକୁଳ ବନ ବିଦ୍ୟାଳୟ ସ୍ମାରକୀ ଓ ଏହାର ପ୍ରତିଷ୍ଠାତା ଉତ୍କଳମଣି ଗୋପବନ୍ଧୁ ଦାଶ ବୋଲି ଉଲ୍ଲେଖ ରହିଛି। ୧୯୦୯ ମସିହାରେ ଗୋପବନ୍ଧୁ ଏହାକୁ ପ୍ରତିଷ୍ଠା କରିଥିଲେ ବୋଲି ବି ସ୍ପଷ୍ଟ ଉଲ୍ଲେଖ ରହିଛି। କିନ୍ତୁ ଗୋପବନ୍ଧୁଙ୍କ ଏହି ସ୍ମୃତିକୁ ଏଭଳି ଅଣଦେଖାକୁ ନାପସନ୍ଦ କରାଯାଇଛି।
ବକୁଳ ବନ ବିଦ୍ୟାଳୟ ଆଗରେ ରହିଛି, ଗୋପବନ୍ଧୁଙ୍କ ଦେହତ୍ୟାଗ ସ୍ଥଳୀ। ୧୯୨୮ ମସିହା ଜୁନ୍ ୧୭ ତାରିଖ ଏହି ସ୍ଥାନରେ ଗୋପବନ୍ଧୁ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ବହୁ ଦାବି ପରେ ଶେଷ ଥର ୨୦୦୫ ଅକ୍ଟୋବର ୯ ତାରିଖରେ ଗୋପବନ୍ଧୁଙ୍କ ଶେଷ ନିଃଶ୍ବାସ ତ୍ୟାଗସ୍ଥଳ ଓ ସ୍ମୃତି ପୀଠର ବିକାଶ କରାଯାଇଥିଲା। ଏହା ବି ଭଗ୍ନ ଅବସ୍ଥାକୁ ଚାଲିଗଲାଣି। ସେପଟେ ବକୁଳ ବନ କଥା ନ କହିବା ଭଲ। ରକ୍ଷଣାବେକ୍ଷଣ ଅଭାବରୁ ଏହା ଜଙ୍ଗଲ ପାଲଟିଥିବା ବେଳେ ନିଶାଡ଼ିମାନେ ଦୈନିକ ଭିଡ଼ ଲଗାଉଛନ୍ତି। ଏଭଳି ସ୍ଥିତିରେ ତୁରନ୍ତ ବକୁଳ ବନରେ ପଣ୍ଡିତ ଗୋପବନ୍ଧୁଙ୍କ ସ୍ମୃତିକୁ ସଂରକ୍ଷଣ ପାଇଁ ବୁଦ୍ଧିଜୀବୀମହଲରେ ମତପ୍ରକାଶ ପାଇଛି।