ସାକ୍ଷୀଗୋପାଳ : ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଉତ୍ତରାଧିକାରୀକୁ ନେଇ ପୁଣିଥରେ ବିବାଦ ସାମ୍ନାକୁ ଆସିଛି। ସୁଆଣ୍ଡୋ ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ନାତୁଣୀ ବୋହୂ ଲୀଳାବତୀ ମିଶ୍ରଙ୍କୁ ଅସମ୍ମାନ ଘଟଣାକୁ କେନ୍ଦ୍ରକରି ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଛି।
ଗତ ଫେବ୍ରୁଆରି ୨୩ ତାରିଖ ଘଟଣା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍କଳମଣିଙ୍କ ଜନ୍ମପୀଠ ସୁଆଣ୍ଡୋ ଗ୍ରାମରେ ୨୫.୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଲୋକାର୍ପଣ କରିଥିଲେ। ଏହି ଉତ୍ସବରେ ରାଜ୍ୟ ସରକାରଙ୍କ ତରଫରୁ ଗୋପବନ୍ଧୁଙ୍କ ଦାୟାଦଙ୍କୁ ମଞ୍ଚରେ ସମ୍ମାନିତ କରାଯାଇଥିଲା। କିନ୍ତୁ, ୮୫ ବର୍ଷୀୟା ତାଙ୍କ ନାତୁଣୀ ବୋହୂ ଲୀଳାବତୀ ମିଶ୍ର ସୁଆଣ୍ଡୋ ଗ୍ରାମରେ ପହଞ୍ଚିଥିଲେ ମଧ୍ୟ ତାଙ୍କୁ ପୁଲିସ ସେଠାକୁ ଯିବାକୁ ଦେଇ ନଥିଲା। ଯାହାକୁ ନେଇ ସେ କାନ୍ଦିକାନ୍ଦି ଫେରି ଆସିଥିଲେ ବୋଲି ଅଭିଯୋଗ କରିଥିଲେ।
ଏହି ଘଟଣାକୁ ଭିତ୍ତିକରି ଆଜି ସତ୍ୟବାଦୀ ଥାନାରେ ଉତ୍କଳମଣିଙ୍କ ଅଣନାତି କାଳୀପ୍ରସନ୍ନ ମିଶ୍ର ଓ ପଣନାତି ଆଦ୍ୟସିଦ୍ଧି ମିଶ୍ର ଅଭିଯୋଗ କରିବା ସହ ଗୋପବନ୍ଧୁଙ୍କ ଦାୟଦଙ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏପରିକି ଏମାନେ ଏକ ସାମ୍ବାଦିକ ସମ୍ମିଳନୀରେ ସୁଆଣ୍ଡୋ ଗ୍ରାମର ଧୀରେନ୍ଦ୍ରନାଥ ଦାସ ତାଙ୍କ ଦାୟାଦ ନୁହନ୍ତି ବୋଲି ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ, ଏହି ଅଭିଯୋଗ ସମ୍ପର୍କରେ ଧୀରେନ୍ଦ୍ରନାଥ ଦାସଙ୍କୁ ପଚାରିବାରୁ ସେ ଏହି ଅଭିଯୋଗ ଏକ ପ୍ରହସନ ବୋଲି କହିଛନ୍ତି। ଉତ୍କଳମଣିଙ୍କ ଉତ୍ତରାଧିକାରୀଙ୍କ ନେଇ ଉଚ୍ଚ ନ୍ୟାୟାଳୟଙ୍କ ରାୟରେ ସ୍ପଷ୍ଟ ଭାବେ ଉଲ୍ଲେଖଥିବା ସେ କହିଛନ୍ତି।
ଏ ସମ୍ପର୍କରେ ସତ୍ୟବାଦୀ ଥାନା ଇନିସପେକ୍ଟର ବିଜୟ କେତନ ବେହେରା କହିଛନ୍ତି, ବିବାଦ ନେଇ ହୋଇଥିବା ଅଭିଯୋଗର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/sakhigopal-2.jpg)