ଭୁବନେଶ୍ବର: ଓଡ଼ିଶା ଏଜୁକେଶନ କନକ୍ଲେଭ ‘ଉତ୍କର୍ଷ’ ୨୦୨୩ । ଏଥିରେ ଅତିଥି ଭାବେ ଯୋଗ ଦେଲେ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଏବେ ଟେକ୍ନିକାଲ ହବ୍ ପାଲଟିଛି । ସମୟ ଆସିଛି ଓଡ଼ିଶା ପିଲା ଚାକିରି ପଛରେ ଗୋଡ଼ାଇବେ ନାହିଁ, ଚାକିରି ତାଙ୍କ ପଛରେ ଗୋଡ଼ାଇବ । ବୈଷୟିକ ଶିକ୍ଷା ପାଇଁ ଭିତ୍ତିଭୂମି ସୁଦୃଢ କରାଯାଇଛି, ଅତ୍ୟାଧୁନିକ ଲାବରୋଟାରୀ ପ୍ରତିଷ୍ଠା କରିଛୁ । ଓଡ଼ିଶାର ପିଲାଙ୍କୁ ଅଧିକ ଦକ୍ଷ କରିବା ପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ରର ପ୍ରତିଷ୍ଠା ହୋଇଛି। ଓଡ଼ିଶାର ପିଲା ଏବେ ଅତ୍ୟାଧୁନିକ ଜ୍ଞାନକୌଶଳରେ ପ୍ରଶିକ୍ଷଣ ନେଉଛନ୍ତି।
ଏବେ ରାଜ୍ୟରେ ୬୦ଟି ଆଇଟିଆଇ ଅଛି, ୧୩ଟି ନୂଆ ଆଇଟିଆଇ ଖୋଲିବୁ । ୩୪ଟି ସରକାରୀ ପଲିଟେକନିକ, ୪ଟି ସରକାରୀ ଇଞ୍ଜିନିୟରିଂ କଲେଜ, ୩ଟି ବୈଷୟିକ ବିଶ୍ୱବିଦ୍ୟାଳୟ ରହିଛି । ଭିସୁଟ୍ ଓ ଓୟୁଟିଆରକୁ ବିଶ୍ୱସ୍ତରୀୟ କରିବାକୁ ସହାୟତା ଦିଆଯାଇଛି । ଜାତୀୟ ଓ ଅନ୍ତଜାର୍ତୀୟ ମଞ୍ଚରେ ଓଡ଼ିଶା ପିଲା ଭଲ ପ୍ରଦର୍ଶନ କରୁଛନ୍ତି । ସ୍କୁଲିଂ ଓ ସ୍କିଲିଂ ଏହି ଦୁଇଟି କାମ ଏକାସଙ୍ଗରେ ଆଗକୁ ବଢିବ । ବିଭିନ୍ନ ସେକ୍ଟରକୁ ଦୃଷ୍ଟିରେ ରଖି ଆଇଟିଆଇ ସେଣ୍ଟର ଖୋଲାଯାଉଛି । ଓଡ଼ିଶା ଏବେ ସମ୍ଭାବନାର ଭୂମି ପାଲଟିଛି । ଅର୍ଥନୀତିର ଅଭିବୃଦ୍ଧି ପାଇଁ ଟେକ୍ନିକାଲ ମାନବସମ୍ବଳର ଯଥେଷ୍ଟ ଆବଶ୍ୟକ ଅଛି । ଯୁବକମାନଙ୍କ ସ୍ୱପ୍ନ ପୂରା କରିବାକୁ ଗୋଟିଏ ପରେ ଗୋଟିଏ ପ୍ଲାଟଫର୍ମ ଛିଡ଼ା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସମ୍ବାଦ ଗ୍ରୁପର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । ସ୍ୱାଗତ ଅଭିଭାଷଣ ରଖି ସେ କହିଛନ୍ତି, ଉତ୍କର୍ଷର ଉପାସକ ହେବା ସହଜ ନୁହେଁ । ଉତ୍କର୍ଷର ସବୁଠୁ ବଡ଼ ଶତ୍ରୁ ହେଲା ଚଳେଇ ନେବା ପ୍ରବୃତ୍ତି । ତେବେ ଗଣତନ୍ତ୍ର ସଂଖ୍ୟାର ଖେଳରେ ବିଶ୍ୱାସ କରେ, ଏଠାରେ ଧୂଆ ମୂଳା, ଅଧୁଆ ମୂଳା ସବୁ ସମାନ । ଅଧିକ ମୂଳା ହେବା ଏଠି ଦରକାର। ହେଲେ ଉତ୍କର୍ଷର ଉପାସକଙ୍କୁ ଧୂଆ ମୂଳା ଉପରେ ଅଧିକ ନିର୍ଭର ହେବାକୁ ପଡ଼େ । କନକ ନ୍ୟୁଜର ଏଜୁକେସନ୍ କନକ୍ଲେଭ୍ ଉତ୍କର୍ଷ କାର୍ଯ୍ୟକ୍ରମ ତାଙ୍କର ସବୁଠୁ ପ୍ରିୟ କାର୍ଯ୍ୟକ୍ରମ ବୋଲି ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି।