କଟକ/ଫୁଲନଖରା: କଟକ-ଭୁବନେଶ୍ବର ଜାତୀୟ ରାଜପଥର ଗୋପାଳପୁର ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିବା ଫଳରେ ବସ୍ କଣ୍ଡକ୍ଟର ପ୍ରକାଶ ସ୍ବାଇଁ(୩୮)ଙ୍କର ମୃତ୍ୟୁ ଘଟିଛି। ତାଙ୍କର ଘର କଟକ ସଦର ଥାନା ଅନ୍ତର୍ଗତ ଖଲର୍ଦ୍ଦା ଅଞ୍ଚଳରେ। ବସରେ ଥିବା ୧୨ ଜଣ ଯାତ୍ରୀଙ୍କୁ ଆହତ ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣାରେ ବସ୍ଟି ଭାଙ୍ଗିରୁଜି ଯାଇଛି। ସୂଚନା ଅନୁଯାୟୀ, ଘରୋଇ ଯାତ୍ରୀବାହୀ ବସ୍ ‘ସୁଧା ଚନ୍ଦନ’(ଓଆର୍ ୦୫ ଏଜେ ୭୪୫୫) ୧୨ ଜଣ ଯାତ୍ରୀଙ୍କୁ ନେଇ ଆଜି ସନ୍ଧ୍ୟାରେ କଟକ ଆସୁଥିଲା। ସନ୍ଧ୍ୟା ପ୍ରାୟ ୬ଟା ୧୫ ବେଳେ ଗୋପାଳପୁର ଦୁର୍ଗା ମଣ୍ଡପ ସାମନାରେ ଏହି ବସ୍ ସାମାନାରେ ଜଣେ ସାଇକେଲ୍ ଆରୋହୀ ଅତିକ୍ରମ କରୁଥିଲେ। ଏହି ସମୟରେ ସାଇକେଲ୍ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ବସଟି ବ୍ରେକ୍ ମାରିଦେବାରୁ ରାସ୍ତା ଡିଭାଇଡରରେ ଥିବା ଖୁଣ୍ଟରେ ପିଟି ହୋଇ ଓଲଟି ପଡ଼ିଥିଲା। ସଦର ଥାନା ପୁଲିସ, ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକ ଆହତମାନଙ୍କୁ ଉଦ୍ଧାର କରି କଟକ ବଡ ଡାକ୍ତରଖାନାକୁ ପଠାଇଥିଲେ। ଆହତମାନଙ୍କ ମଧ୍ୟରେ ଅଛନ୍ତି ରାଜସ୍ଥାନର ୟାସମିନ୍ ଖାଁ(୨୭), ଚନ୍ଦନ କୁମାର ଦାସ(୨୯), ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ମାହାଲକାନିର ରିତା ନାୟକ(୨୭), କେନ୍ଦ୍ରାପଡ଼ା ମାର୍ଶାଘାଇର ତପନ କୁମାର ସୂତାର(୫୫), ମାର୍ଶାଘାଇର ଜୟନ୍ତୀ ସୂତାର(୪୭), ମଧୁପାଟଣା ଥାନା ଅନ୍ତର୍ଗତ ନେତାଜୀନଗରର ମହାଶ୍ବେତା ଭୋଳ(୩୮), ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଦଳଭଙ୍ଗାର ଅରବିନ୍ଦ ମହାନ୍ତି(୧୯), ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଅନ୍ତର୍ଗତ ନୀଳକଣ୍ଠପୁରର ଅମୂଲ୍ୟ ସାମଲ(୫୫), ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ବୈତରଣୀ ରୋଡର ସୌମ୍ୟ ରଞ୍ଜନ ସାହୁ(୩୦), କେନ୍ଦ୍ରାପଡ଼ା ଜିଲ୍ଲା ପୁରୁଷୋତ୍ତମପୁରର ଦୀପକ କୁମାର ସାମଲ(୩୨), ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ମାଟୋ ଅଞ୍ଚଳର ଜନ୍ମେଜୟ ସାହୁ(୨୮) ଓ ରଞ୍ଜନ କୁମାର ବାରିକ(୨୬)। ଦୁର୍ଘଟଣା ଯୋଗୁଁ କଟକ ଭୁବନେଶ୍ବର ଜାତୀୟ ରାଜପଥ ଦୀର୍ଘ ସମୟ ଧରି ଜାମ ହୋଇରହିଥିଲା।
ଦୁର୍ଘଟଣାରେ କଟକ-ଭୁବନେଶ୍ବର ରାସ୍ତା ଜାମ୍
ଓଲଟିଲା ବସ୍: ଜଣେ ମୃତ, ୧୨ ଆହତ