କରୋନା ସ୍ଥିତି ସମୀକ୍ଷା କଲେ ପାଣ୍ଡିଆନ୍ : ହୋମ୍‌ ଆଇସୋଲେସନ୍‌ରେ ୮ ଜଣ

ଓଡ଼ିଶାରୁ କେତେ ଲୋକ ଚୀନ୍ ଯାଇଛନ୍ତି କେନ୍ଦ୍ରକୁ ମାଗିଲେ ତଥ୍ୟ

ଭୁବନେଶ୍ବର : କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ରୂପ ଧାରଣ କଲାଣି। ଚୀନ୍‌ରେ ଏବେ ସୁଦ୍ଧା ୫୬ଜଣଙ୍କର ପ୍ରାଣହାନି ଘଟିଲାଣି। କରୋନା ଆକ୍ରାନ୍ତ ହୋଇଥିବା ସନ୍ଦେହରେ ରାଜ୍ୟରେ ୮ଜଣଙ୍କୁ ହୋମ୍‌ ଆଇସୋଲେସନ୍‌ରେ ରଖାଯାଇଛି। ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଆଜି ଲୋକସେବା ଭବନରେ ଖୋଦ୍‌ ୫’ଟି’ସଚିବ ଭି.କାର୍ତ୍ତିକେୟନ୍‌ ପାଣ୍ଡିଆନ୍ ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି। ଓଡ଼ିଶାରୁ କେତେଜଣ ବ୍ୟକ୍ତି ଚୀନ୍ ଗସ୍ତ କରିଛନ୍ତି ଏବଂ ଏବେ ବି ସେଠାରେ ରହିଛନ୍ତି ସେ ସମ୍ପର୍କିତ ତଥ୍ୟ ରାଜ୍ୟ ସରକାରଙ୍କ ପାଖରେ ନାହିଁ। ଓଡ଼ିଆଙ୍କ ସମ୍ପର୍କରେ ତଥ୍ୟ ଦେବାକୁ ରାଜ୍ୟ ସରକାର କେନ୍ଦ୍ରକୁ ଅନୁରୋଧ କରିଛନ୍ତି।

ସମୀକ୍ଷା ବୈଠକ ପରେ ଡିଏମ୍‌ଇଟି ପ୍ରଫେସର ଡାକ୍ତର ସି.ବି.କେ ମହାନ୍ତି କହିଥିଲେ ଯେ ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କୁ କଟକ ଏସ୍‌ସିବି ମେଡିକାଲରେ ଆଇସୋଲେସନ୍‌ କରି ରଖାଯାଇଛି। ଜଣେ ଚୀନ୍‌ ଫେରନ୍ତା ଛାତ୍ରୀଙ୍କ ସ୍ବାମୀଙ୍କୁ ମଧ୍ୟ ଏସ୍‌ସିବିରେ କ୍ବାରେନ୍‌ଟାଇନ୍‌ କରି ରଖାଯାଇଛି। ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଏମାନଙ୍କ ରକ୍ତ ନମୁନା ପୁନେ ସ୍ଥିତ ଏନ୍‌ଆଇଭିକୁ ପଠାଯାଇଛି। ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଚୀନ ଗସ୍ତ କରିଥିବା ଲୋକଙ୍କ ସମ୍ପର୍କରେ ତୁରନ୍ତ ସୂଚନା ପ୍ରଦାନ କରିବାକୁ ସମସ୍ତ ଜିଲ୍ଲାପାଳମାନଙ୍କୁ ସ୍ବାସ୍ଥ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଶ୍ରୀ ମହାନ୍ତି କହିଥିଲେ। ଚିକିତ୍ସା ଲାଗି ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ଏଦିଗରେ କୌଣସି ଅବହେଳା ଯେପରି ନହୁଏ ସେଥିଲାଗି ସତର୍କ ରହିବାକୁ କୁହାଯାଇଛି। ବୈଠକରେ ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ, ଜନସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡା.ଅଜିତ୍‌ ମହାନ୍ତିଙ୍କ ସମେତ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର