କରୋନା ଟିକା ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି : ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୦ ହଜାର ଲୋକଙ୍କୁ ଦିଆଯିବ ଟିକା

ଭୁବନେଶ୍ବର: ଟିକାକରଣ ପାଇଁ ରାଜ୍ୟ ସରକାର ଜାରି କଲେ ବ୍ଲୁପ୍ରିଣ୍ଟ । ନିର୍ବାଚନ ମଡେଲ ଭଳି ରାଜ୍ୟରେ ହେବ ଟିକାକରଣ। ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୦ ହଜାର ଲୋକଙ୍କୁ ଦିଆଯିବ ଟିକା । ଏଥିଲାଗି ୨ ଲକ୍ଷ ୯ ହଜାର ୨୭୬ ଟିକାକରଣ ସ୍ଥାନ ଚିହ୍ନଟ ହୋଇଛି । ଟିକାକରଣରେ ୮, ୨୭୬ ସ୍ୱାସ୍ଥ୍ୟକର୍ମୀ ନିୟୋଜିତ ହେବେ । ଏହି ପ୍ରକ୍ରିୟାରେ ସାମିଲ୍ ହେବାକୁ ଯାଉଥିବା ସମସ୍ତଙ୍କର ଡାଟା ଅପଲୋଡ଼ ସରିଛି । ଟିକାକରଣ ପାଇଁ ୧ ହଜାର ୨୨୨ କୋଲଡ୍ ଚେନର ବ୍ୟବସ୍ଥା କରାଯାଇଛି । ଟିକା ନେବା ଆଣିବା ପାଇଁ ୧୭୯୬ ଆଇଏଲଆର ଓ ୧୭୭୧ ଡିପଫ୍ରିଜରର ବ୍ୟବସ୍ଥା ରହିଛି । ତେବେ ପ୍ରଥମେ ସ୍ବାସ୍ଥ୍ୟକର୍ମୀ ଓ ବରିଷ୍ଠ ନାଗରିକଙ୍କୁ ଟିକା ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଥିବା ଜଣାଯାଇଛି।

ଏଥିଲାଗି ଗୋଟିଏ ରାଜ୍ୟସ୍ତରୀୟ ଟିକାକରଣ ଷ୍ଟୋର ନିର୍ମାଣ କରା ଯାଇଥିବା ବେଳେ ୯ଟି ଆଞ୍ଚଳିକ ଓ ୩୨ଟି ଜିଲ୍ଲାସ୍ତରୀୟ ଟିକାକରଣ ଷ୍ଟୋର ପ୍ରସ୍ତୁତ କରାଯାଇଛି । ପ୍ରତି ଟିକାକରଣ କେନ୍ଦ୍ରରେ ୫ ଜଣଙ୍କୁ ନିୟୋଜିତ କରାଯିବ । ପ୍ରତି କେନ୍ଦ୍ରରେ ଜଣେ ଭ୍ୟାକ୍ସିନେଟର,ଜଣେ ଭ୍ୟାକ୍ସିନେସନ୍ ଅଧିକାରୀ, ଜଣେ ଭେରିଫାୟର ଓ ୨ ଜଣ ସୁପରଭାଇଜର ରହିବେ । ୩ଟି କୋଠରୀକୁ ନେଇ ଗଠନ ହେବ ଟିକାକରଣ କେନ୍ଦ୍ର । କେନ୍ଦ୍ରରେ ପ୍ରତୀକ୍ଷାଳୟ, ନିରୀକ୍ଷଣ କୋଠରୀ ଓ ଟିକାକରଣ କୋଠରୀ ରହିବ । ଟିକାକରଣ ସରିବା ପରେ ୩୦ ମିନିଟ ସେମାନଙ୍କୁ ନିରୀକ୍ଷଣରେ ରଖାଯିବ ଏବଂ ଟିକାକରଣ ପରେ ସାର୍ଟିଫିକେଟ ଦିଆଯିବ ବୋଲି ସୂଚନା ରହିଛି । ଟିକାକରଣ ପାଇଁ କେନ୍ଦ୍ର ସରକାର ଗାଇଡଲାଇନ ଜାରି କରିବା ପରେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର