ପୂରଣ ହେବ ଆଞ୍ଚଳିକ ଶିକ୍ଷା ନିର୍ଦେଶାଳୟରେ ଖାଲି ପଦବି

ଭୁବନେଶ୍ବର : ବିକ୍ରମ ଦେବ ସ୍ବୟଂଶାସିତ ମହାବିଦ୍ୟାଳୟର ନବୀକରଣ ସହ ଆରଡି ଅଫିସ୍ ସ୍ଥାନାନ୍ତର ହେବ। ଆଞ୍ଚଳିକ ଶିକ୍ଷା ନିର୍ଦେଶାଳୟରେ ଆଉଟସୋର୍ସିଂ ଆଧାରରେ ଡାଟା ଏଣ୍ଟ୍ରି ଅପରେଟର ଓ ଗ୍ରୁପ୍-ଡି ପଦବି ପୂରଣ, କ୍ୟାଡର ନିୟମ ପ୍ରସ୍ତୁତି ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦିଆଯାଇଛି। ଏଥିସହ ନିର୍ଦେଶାଳୟରେ ଖାଲି ପଦ ପୂରଣ କରିବା ଦିଗରେ ପଦକ୍ଷେପ ନେବାକୁ ଆଞ୍ଚଳିକ ଶିକ୍ଷା ନିର୍ଦେଶକଙ୍କ ବୈଠକରେ ନିଷ୍ପତ୍ତି ହୋଇଛି।

ଉଚ୍ଚଶିକ୍ଷା ବିଭାଗ ସଚିବଙ୍କ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଆଯାଇଥିବା ଅନ୍ୟାନ୍ୟ ନିଷ୍ପତ୍ତିଗୁଡ଼ିକ ମଧ୍ୟରେ ଆଞ୍ଚଳିକ ଶିକ୍ଷା ନିର୍ଦେଶାଳୟରେ କାର୍ଯ୍ୟ କରୁଥିବା ଜୁନିଅର ଆସିଷ୍ଟାଣ୍ଟ ଓ ଜୁନିଅର ଷ୍ଟେନୋଗ୍ରାଫରଙ୍କ ପରବର୍ତ୍ତୀ ଉଚ୍ଚ ପଦବିରେ ପଦୋନ୍ନତି ପାଇଁ ମାର୍ଚ୍ଚ ୩୧ ପୂର୍ବରୁ ନିର୍ଦେଶକମାନେ ରିପୋର୍ଟ ପ୍ରସ୍ତୁତ କରିବେ। ବାଲେଶ୍ବର ଆଞ୍ଚଳିକ ଶିକ୍ଷା ନିର୍ଦେଶାଳୟରେ ଇ-ଡେସ୍‌ପାଚ୍‌ କାର୍ଯ୍ୟକାରୀ କରିବାକୁ ନିର୍ଦେଶ ଦିଆଯାଇଛି। ଦୀର୍ଘଦିନ ଧରି ବିଚାରାଧୀନ ଆବେଦନ, ଫାଇଲ୍, ବ୍ୟକ୍ତିଗତ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନର ଅନୁମତି, ସ୍ୱୀକୃତି ସମ୍ବନ୍ଧୀୟ ରେକର୍ଡଗୁଡିକ ଠିକ୍‌ ସମୟରେ ସାରିବାକୁ ସବୁ ନିର୍ଦେଶକଙ୍କୁ କୁହାଯାଇଛି। କଲେଜଗୁଡ଼ିକରେ ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ ପାଇଁ ଅଣ-ସରକାରୀ କଲେଜଗୁଡ଼ିକୁ ଅନୁମତି ଓ ସ୍ୱୀକୃତି ପ୍ରଦାନ ସମୟରେ ଅନୁସରଣ କରାଯାଇଥିବା ବ୍ୟବସ୍ଥାଗୁଡ଼ିକୁ ପୁନଃ ସମୀକ୍ଷା କରାଯିବ। ଆବଶ୍ୟକସ୍ଥଳେ ଭବିଷ୍ୟତରେ ଏନେଇ ପରିବର୍ତ୍ତନ ହେବ। ସବୁ ନିର୍ଦେଶକଙ୍କ ମତ ଲୋଡ଼ାଯିବା ପରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ସୀକୃତି ପ୍ରତ୍ୟାହାର ସମୟରେ ସବୁ ନିର୍ଦେଶାଳୟରେ ରେଜିଷ୍ଟର ବ୍ୟବହାର କରାଯିବ। ନିର୍ଦେଶାଳୟରେ ଆଉଟସୋସିଂରେ କାମ କରୁଥିବା କର୍ମଚାରୀଙ୍କ ଚୁକ୍ତିନାମା ସରିବା ପରେ ସିଧାସଳଖ ଭାବେ ଆଞ୍ଚଳିକ ନିର୍ଦେଶାଳୟରେ କର୍ମଚାରୀ ନିଯୁକ୍ତି ହୋଇପାରିବେ।

ସମ୍ବନ୍ଧିତ ଖବର