ନବରଙ୍ଗପୁର: ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଜିଲ୍ଲା ଅବକାରୀ ଅଧୀକ୍ଷକ ଗଙ୍ଗା ପାଇକରାୟ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଜୟପୁର ଓ ନବରଙ୍ଗପୁର ସମେତ ୬ଟି ସ୍ଥାନରେ ଚଢ଼ଉ କରିଛି। ଗଙ୍ଗା ସାମନ୍ତରାୟଙ୍କ ଜୟପୁର ଫାୟାର୍ ଷ୍ଟେସନ୍ ଓ ନୂଆସାହିରେ ଥିବା ୨ଟି ତିନି ମହଲା ବିଶିଷ୍ଟ କୋଠା, ଜୟପୁର ଗ୍ଲୋକାଲ ହସ୍ପିଟାଲ ନିକଟରେ ଫାଉଣ୍ଡେସନ ଥାଇ ଏକ ଜାଗା, ହାନାଗୁଡ଼ା ନିକଟରେ ଏକ ପାର୍କିଂ ସେଡ୍, ନବରଙ୍ଗପୁର ଅଫିସ୍ ଓ ସଦାଶିବ ମାର୍ଗ ଭଡ଼ା ଘରେ ଏକକାଳୀନ ଚଢ଼ଉ କରିଥିଲା ଭିଜିଲାନ୍ସ ଟିମ୍।
ଚଢ଼ଉ ବେଳେ ୨ଟି ଦୁଇ ମହଲା ବିଶିଷ୍ଟ କୋଠା, ଜୟପୁର ସହର ଜୟପୁର ମୌଜାର ୫୪୦୦ ବର୍ଗ ଫୁଟର ଗୋଟିଏ ପ୍ଲଟ, ଜଗଧାତ୍ରୀପୁର ମୌଜାର ୮ ଡିସିମିଲର ଗୋଟିଏ ପ୍ଲଟ୍, ନୂଆ ସାହି ମୌଜାର ୬ ଶହ ବର୍ଗ ଫୁଟର ଗୋଟିଏ ପ୍ଲଟ, ଆମଲାଜୋଡ଼ି ମୌଜାର ୧୫୬୬ ବର୍ଗଫୁଟର ଏକ ପ୍ଲଟ ଓ କଙ୍କଡାଡିହି ମୌଜାର ୮ ଡିସିମିଲ୍ର ଗୋଟିଏ ପ୍ଲଟ୍ ଏଭଳି ଜୟପୁର ସହରରେ ୫ଟି ପ୍ଲଟ୍କୁ ଠାବ କରିଛି ଭିଜିଲାନ୍ସ। ଏହା ସମେତ ନଗଦ ୧ ଲକ୍ଷ ୯ ହଜାର ଟଙ୍କା, ୨ଟି ୪ ଚକିଆ ଯାନ ସମେତ ଜୟପୁର ଅନ୍ନପୂର୍ଣ୍ଣା ରିଏଲ୍ ଇଷ୍ଟେଟର ଏକ ଜାଗା ପାଇଁ ୨୦୧୩-୧୪ ରେ ୧୬ ଲକ୍ଷ ଟଙ୍କା ଅଗ୍ରୀମ ଦେଇଥିବା ଜଣାପଡ଼ିଛି।
ସେହିପରି ବ୍ୟାଙ୍କ, ବୀମା, ପୋଷ୍ଟାଲ୍ ଓ ବିଭିନ୍ନ ପ୍ରକାର ଜମା ନେଇ ତଦନ୍ତ ଚାଲିଥିବା ଭିଜିଲାନ୍ସ ସୂତ୍ରରୁ ଜଣାପଡ଼ିଛି। ତଦନ୍ତ ଜାରି ରହିଥିବାରୁ ମୋଟ ଚିହ୍ନଟ ସମ୍ପତ୍ତିର ମୂଲ୍ୟ କେତେ ଏବଂ ସେଥିମଧ୍ୟରୁ କେତେ ପରିମାଣର ଆୟ ବହିର୍ଭୂତ ସମ୍ପତ୍ତି ତାହା ଜଣାପଡ଼ିନି। ଚଢ଼ଉରେ ନବରଙ୍ଗପୁର ଭିଜିଲାନ୍ସ ଡିଏସ୍ପି ଜୟଶ୍ରୀ ପ୍ରଧାନ, ଇନସ୍ପେକ୍ଟର ଭୀମସେନ ପୂଜାରୀ, ମାଲକାନଗିରି ଡିଏସ୍ପି ଏସ୍ଏନ୍ ପାଣି, ଇନସ୍ପେକ୍ଟର ସୂର୍ଯ୍ୟକାନ୍ତ ଟାକ୍ରି, ଜୟପୁର ଡିଏସ୍ପି ସୂର୍ଯ୍ୟକାନ୍ତ ତ୍ରିପାଠୀ, ଇନସ୍ପେକ୍ଟର ସରିତା ତ୍ରିପାଠୀ, ନୂଆପଡ଼ା ଡିଏସ୍ପି ଦୀନବନ୍ଧୁ ବେହେରା, କଳାହାଣ୍ଡି ଇନସ୍ପେକ୍ଟର ଅଶୋକ ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ। ଗତ ୬ ମାସ ମଧ୍ୟରେ ନବରଙ୍ଗପୁର ଜିଲ୍ଲାର ୨ ବରିଷ୍ଠ ଅଧିକାରୀ ଭିଜିଲାନ୍ସ ଜାଲରେ ଫସିଛନ୍ତି। ଗତ କିଛି ମାସ ପୂର୍ବେ ନବରଙ୍ଗପୁର ଭାରପ୍ରାପ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ ଆୟ ବର୍ହିଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇ ଜେଲ୍ ଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/ddgdgdggd.jpg)