ଭୁବନେଶ୍ବର : ମୋବାଇଲ ଫୋନରେ ମେସେଜ୍ ନ ଆସିଥିଲେ କିମ୍ବା ପୂର୍ବ ସୁଚନା ନ ଥାଇ କୌଣସି ବ୍ୟକ୍ତି ଆଉ ଟିକା ଦାନ କେନ୍ଦ୍ର ଆସିବେ ନାହିଁ। ଏ ନେଇ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି ମୁ୍ଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ଆଜି ଲକ୍ଡାଉନ୍ର ପ୍ରଥମ ଦିନର ସମୀକ୍ଷା କରିବା ଅବସରରେ ଏହି ନିଷ୍ପତ୍ତି ନିଆଯାଇଛି।
ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟରୁ ଜାରି ପ୍ରେସ୍ ଇସ୍ତାହାର ଅନୁଯାୟୀ ଲକ୍ଡାଉନ୍ ସମୟରେ ଟିକାକରଣ, ସ୍ବାସ୍ଥ୍ୟସେବା, କୋଭିଡ ପରୀକ୍ଷା ଓ ଜରୁରୀ ସେବା ସହ ସଂପୃକ୍ତ କାର୍ଯ୍ୟାଳୟ ଖୋଲା ରହିବ। ଟିକାକରଣ ପାଇଁ ପଞ୍ଜୀକରଣ ମେସେ୍ଜ ଦେଖାଇବା ବାଧ୍ୟତାମୂଳକ କରାଯାଇଛି। ପଞ୍ଜୀକୃତ ହୋଇନଥିବା ବ୍ୟକ୍ତିମାନେ ଟିକାକରଣ କେନ୍ଦ୍ର ଆଗରେ ଅଯଥା ଭିଡ଼ ନ ଜମାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
ସେହିପରି ପନିପରିବା ହାଟ, ମାଛ, ମାଂସ ଦୋକାନ ପାଇଁ ଯେପରି ଗୋଟିଏ ଦୋକାନରୁ ଆଉ ଗୋଟିଏ ଦୋକାନ ଭିତରେ ଅନ୍ୟୂନ ୩୦ ଫୁଟ ଦୂରତା ରହିବ, ସେ ନେଇ ମଧ୍ୟ କଡ଼ା ନଜର ରଖିବାକୁ ଗୁରୁତ୍ବ ଦିଆଯାଇଛି। କୌଣସି ପରିସ୍ଥିତିରେ ଦୋକାନରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିବ ନାହିଁ।
ମାଇକ୍ ଯୋଗେ ଜନସାଧାରଣଙ୍କୁ ସତର୍କ କରାଇବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସହରାଞ୍ଚଳ କର୍ତ୍ତୃପକ୍ଷ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲିଠାରୁ ଏହି ନିର୍ଦ୍ଦେଶକୁ କଡ଼ାକଡ଼ି ଅନୁପାଳନ କରାଯିବ। ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଭିଡ଼ ଜମୁଥିବା ସ୍ଥାନଗୁଡ଼ିକ ବୁଲି ତଦାରଖ କରିବେ। ଆବଶ୍ୟକସ୍ଥଳେ କାର୍ଯ୍ୟାନୁଷ୍ଠାନ ବି ନେବେ। ଆସନ୍ତା ୬ରୁ ୭ ଦିନ ଭିତରେ ସଂକ୍ରମଣ ହାରକୁ ନିୟନ୍ତ୍ରଣ କରିବା ପାଇଁ ସବୁ ପ୍ରକାର ଉଦ୍ୟମ କରିବାକୁ ଅଧିକାରୀମାନଙ୍କୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି।
ଲୋକସେବା ଭବନରୁ ଭିଡିଓ କନଫରେନ୍ସିଂ ଜରିଆରେ ଡିଜିଟାଲ୍ ମୋଡରେ ଅନୁଷ୍ଠିତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିସନର ତଥା ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା, ପୁଲିସ ମହାନିର୍ଦ୍ଦେଶକ ଅଭୟ, ଭୁବନେଶ୍ବର-କଟକ କମିସନରେଟ୍ ପୁଲିସ କମିସନର ସୌମେନ୍ଦ୍ର ପ୍ରୀୟଦର୍ଶୀ, ଜଳ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଅନୁଗର୍ଗ, ବିଏମସି କମିସନର ପ୍ରେମଚନ୍ଦ ଚୌଧୁରୀ, ସିଏମ୍ସି କମିସନର ଅନନ୍ୟା ଦାସଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/Capital-Hospital-b.jpg)