ପୁଣିଥରେ କେନ୍ଦ୍ରକୁ ଚିଠି ଲେଖିଲେ ସ୍ବାସ୍ଥ୍ୟମନ୍ତ୍ରୀ
ଦିନକରେ ଦେଢ଼ ଲକ୍ଷରୁ ଅଧିକ ନେଲେ କରୋନା ଟିକା
ଆଜି ଆସିବ ୩ ଲକ୍ଷ ‘କୋଭିସିଲ୍ଡ’
ଭୁବନେଶ୍ବର : ତିନି ଦିନର ବ୍ୟବଧାନ ପରେ ରାଜ୍ୟରେ ଆଜି ଦେଢ଼ଲକ୍ଷରୁ ଅଧିକ ଲୋକ କରୋନା ଟିକା ନେଇଛନ୍ତି। ୧୦୫୦ କେନ୍ଦ୍ରରେ ୧ଲକ୍ଷ ୫୪ହଜାର ୩୩୦ଜଣଙ୍କୁ ଟିକା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୪୮ଲକ୍ଷ ୧୦ହଜାର ୭୮୦ ଜଣ କରୋନା ଟିକା ନେଇ ସାରିଲେଣି। ଟିକାର ଅଭାବ ପାଇଁ ଆସନ୍ତାକାଲି ମାତ୍ର ୭ଶହଟି କେନ୍ଦ୍ରରେ ଟିକାକରଣ କରାଯିବ ବୋଲି ଜଣାପଡ଼ିଛି। କୋରାପୁଟରେ ଟିକାକରଣ ବନ୍ଦ ରହିବ।
ଅପରପକ୍ଷରେ ରାଜ୍ୟରେ ଟିକାର ଅଭାବ ରହିଥିବା ନେଇ ପୁଣିଥରେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ। ୧୦ଦିନ ପାଇଁ ୨୫ଲକ୍ଷ ଡୋଜ୍ ଟିକା ପ୍ରଦାନ କରିବା ଲାଗି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା.ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାକୁ ଏ ପର୍ଯ୍ୟନ୍ତ ୫୦ଲକ୍ଷ ୭୯ହଜାର ୬୫୦ ଡୋଜ୍ର କୋଭିଡ ଟିକା ଦିଆଯାଇଛି। ତହିଁରୁ ୪୫ଲକ୍ଷ ୪୨ହଜାର ୮୭୦ ଡୋଜ୍ର ‘କୋଭିସିଲ୍ଡ’ ଥିବା ବେଳେ ୫ଲକ୍ଷ ୩୬ହଜାର ୭୮୦ ଡୋଜ୍ର ‘କୋଭାକ୍ସିନ୍’ ରହିଛି। ରାଜ୍ୟରେ ଏବେ ରାଜ୍ୟ/ଆଞ୍ଚଳିକ/ଜିଲ୍ଲା ଷ୍ଟୋରରେ ‘କୋଭିସିଲ୍ଡ’ ଟିକା ନାହିଁ। ଯେଉଁ ୧ଲକ୍ଷ ୭୪ହଜାର ଡୋଜ୍ର ‘କୋଭିସିଲ୍ଡ’ ଓ ୨ଲକ୍ଷ ୪୯ହଜାର ୧୯୬ ଡୋଜ୍ର ‘କୋଭାକ୍ସିନ୍’ ରହିଛି। ଗୋଟିଏ ଦିନ ଟିକାକରଣରେ ‘କୋଭିସିଲ୍ଡ’ ଟିକା ଶେଷ ହୋଇଯିବ।
ରାଜ୍ୟ ସରକାର ଦୈନିକ ୩ଲକ୍ଷ ଡୋଜ୍ର ଟିକା ଦେବା ପାଇଁ ପ୍ରସ୍ତୁତ ଅଛନ୍ତି। ମାତ୍ର ରାଜ୍ୟକୁ ଏକାଥରକେ ୨/୩ଲକ୍ଷ ଟିକା ଦିଆଯାଉଛି। ଏଭଳି ପରିସ୍ଥିତିରେ ରାଜ୍ୟର ବିଭିନ୍ନ ଜିଲ୍ଲାର କୋଲ୍ଡ ଚେନ୍ ପଏଣ୍ଟକୁ ଟିକା ପହଞ୍ଚାଇବା ଲାଗି ୩ଦିନ ସମୟ ଲାଗୁଛି। ଏହାସହ ଠିକଣା ଢଙ୍ଗରେ ଟିକାକରଣ ଅଧିବେଶନର ଯୋଜନା ହୋଇପାରୁନାହିଁ। ତେଣୁ ୨୫ଲକ୍ଷ ଟିକା ଦେବାକୁ ଶ୍ରୀ ଦାସ ଉଲ୍ଲେଖ କରିଛନ୍ତି। ଆଜି ୪୫ବର୍ଷରୁ ଅଧିକ ୧ଲକ୍ଷ ୨୦ହଜାର ୯୬୮ଜଣଙ୍କୁ ପ୍ରଥମ ଓ ୩୦,୧୫୦ଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଛି। ଗଞ୍ଜାମରେ ୨, ଦେବଗଡ଼ ଓ କଟକରେ ଜଣେ ଲେଖାଏ ବ୍ୟକ୍ତିଙ୍କ ନିକଟରେ ଟିକାର ସାମାନ୍ୟ ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ରାଜ୍ୟରେ ପଞ୍ଜୀକୃତ ହୋଇଥିବା ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ୯୫.୩ ପ୍ରତିଶତଙ୍କୁ ପ୍ରଥମ, ୮୬.୭ ପ୍ରତିଶତ ଦ୍ବିତୀୟ ଓ ଆଗଧାଡ଼ିର ଯୋଦ୍ଧାଙ୍କ ମଧ୍ୟରେ ୮୬.୭ ପ୍ରତିଶତ ପ୍ରଥମ ଓ ୮୫.୫ ପ୍ରତିଶତ ଦ୍ବିତୀୟ ଡୋଜ୍ ଟିକା ନେଇ ସାରିଲେଣି। ରାଜ୍ୟକୁ ଆସନ୍ତାକାଲି ୩ଲକ୍ଷ ଡୋଜ୍ର ‘କୋଭିସିଲ୍ଡ’ ଟିକା ଆସିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ। ଡା.ପାଣିଗ୍ରାହୀ କହିଛନ୍ତି, ଆସନ୍ତାକାଲି କୋରାପୁଟକୁ ବାଦ୍ ଦେଲେ ଅନ୍ୟ ୭ଶହ କେନ୍ଦ୍ରରେ ଟିକାକରଣ କରାଯିବ। ଯେହେତୁ ଟିକାର ଅଭାବ ରହିଛି ସେଥିପାଇଁ ଟିକାକରଣ କେନ୍ଦ୍ରକୁ କମାଇ ଦିଆଯାଇଛି। ଟିକା ଆସିବା ପରେ ପୁଣିଥରେ ଅଧିକ କେନ୍ଦ୍ରରେ ଟିକାକରଣ କରାଯିବ। ରାଜ୍ୟକୁ ଆବଶ୍ୟକ ସଂଖ୍ୟକ ଟିକା ଆସୁ ନ ଥିବା ବେଳେ ଦୈନିକ ଯେତିକି ସଂଖ୍ୟକ ଲୋକଙ୍କୁ ଟିକାକରଣ କରିବାର କ୍ଷମତା ରାଜ୍ୟ ନିକଟରେ ରହିଛି ତାହା କାର୍ଯ୍ୟକାରୀ ହୋଇପାରୁ ନ ଥିବା ସେ କହିଛନ୍ତି।