ଭୁବନେଶ୍ବର : ରାଜ୍ୟରେ କୋଭିଡ୍‌ ଟିକାକରଣ ୪କୋଟି ଡୋଜ୍‌ ଟପିଛି। ସରକାରୀ ସୂଚନା ମୁତାବକ, ଆଜି ସୁଦ୍ଧା ୪ କୋଟି ୯୪ ହଜାର ୬୬୦ ଡୋଜ୍‌ କୋଭିଡ୍‌ ଟିକା ଦିଆଯାଇଛି। ୧୮ରୁ ୪୪ବର୍ଷ ବର୍ଗରେ ୧କୋଟି ୫୧ ଲକ୍ଷ ୪୪୨ଜଣଙ୍କୁ ପ୍ରଥମ ଡୋଜ୍‌ ଦିଆଯାଇଥିବା ବେଳେ ୪୫ରୁ ଊର୍ଦ୍ଧ୍ବ ବର୍ଗରେ ୧ କୋଟି ୯ ଲକ୍ଷ ୩୧ ହଜାରଙ୍କୁ ପ୍ରଥମ ଡୋଜ୍‌ ଦିଆଯାଇଛି। ୩ ଲକ୍ଷ ୭ ହଜାର ୫୯୫ ଗର୍ଭବତୀଙ୍କୁ ସମ୍ପୂର୍ଣ୍ଣ ଟିକାକରଣ କରାଯାଇଛି। ସରକାର ୩.୨୫ କୋଟି ହିତାଧିକାରୀଙ୍କୁ ଟିକାକରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି।

Advertisment

ଏଯାବତ୍‌ ୮୧ ପ୍ରତିଶତରୁ ଅଧିକ ଲୋକଙ୍କୁ ଟିକାକରଣ କରାଯାଇଛି। ଡିସେମ୍ବର ସୁଦ୍ଧା ୩କୋଟି ୨୫ ହଜାର ଜଣଙ୍କର ପ୍ରଥମ ଡୋଜ୍‌ ସମ୍ପୂର୍ଣ୍ଣ କରିବାକୁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଚଳିତବର୍ଷ ଜାନୁଆରି ୧୬ ତାରିଖରୁ ରାଜ୍ୟରେ ଟିକାକରଣ ଆରମ୍ଭ ହୋଇଥିଲା। ଦୈନିକ ୪.୧୩ ଲକ୍ଷ ଡୋଜ୍‌ ଟିକା ଦେବା ପାଇଁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ଅକ୍ଟୋବରରୁ ଏହି ଲକ୍ଷ୍ୟ ପୂରଣ ହୋଇପାରୁନାହିଁ। ପାର୍ବଣ ଋତୁ ଓ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାରୁ ଟିକା ନେବାରେ ଲୋକଙ୍କର ଆଗ୍ରହ ପ୍ରକାଶ ପାଉନଥିବା କୁହାଯାଉଛି। ତେବେ ଏଭଳି ସ୍ଥିତିରେ ମଧ୍ୟ ରାଜ୍ୟ ସରକାର ୪କୋଟି ଡୋଜ୍‌ ଦେବାରେ ସକ୍ଷମ ହୋଇଛନ୍ତି।