ରାଜ୍ୟରେ କରୋନା ଟିକାକରଣ ୮୧ଲକ୍ଷ ଟପିଲା

ଭୁବନେଶ୍ବର : ରାଜ୍ୟରେ କରୋନା ଟିକାକରଣ ୮୧ଲକ୍ଷ ଟପି ଯାଇଛି। ରାଜ୍ୟରେ ଶୁ୍କ୍ରବାର ୯୦୪ଟି ଅଧିବେଶନରେ ୯୧,୪୩୭ଜଣଙ୍କୁ ଟିକା ଦିଆଯିବା ଫଳରେ ଏହି ସଂଖ୍ୟା ୮୧ଲକ୍ଷ ୩ହଜାର ୫୫୧କୁ ବୃଦ୍ଧି ପାଇଛି। ମାତ୍ର ୧୮-୪୪ବର୍ଗର ଟିକାକରଣ ଧିମେଇ ଯାଇଛି। ଆସନ୍ତାକାଲି ୭୭୦ ଅଧିବେଶନରେ ଟିକାକରଣ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ରାଜ୍ୟରେ ଶୁକ୍ରବାର ୧୮-୪୪ ବର୍ଗର ୭୧୮୩ଜଣଙ୍କୁ ପ୍ରଥମ, ୧୦୮୬ଜଣଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଛି। ଏହାସହ ୪୫ବର୍ଷରୁ ଅଧିକ ୭୬,୩୦୩ଜଣଙ୍କୁ ପ୍ରଥମ ଓ ୪୮୩୬ଜଣ ଦ୍ବିତୀୟ ଡୋଜ୍ ନେଇଛନ୍ତି। ରାଜ୍ୟରେ ପଞ୍ଜୀକୃତ ହୋଇଥିବା ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ ୯୮ପ୍ରତିଶତ ପ୍ରଥମ ଓ ୮୯ ପ୍ରତିଶତ ଦ୍ବିତୀୟ ଡୋଜ୍ ନେଇଥିବା ବେଳେ ଆଗଧାଡ଼ିର ଯୋଦ୍ଧାଙ୍କ ମଧ୍ୟରେ ୧୩୦ ପ୍ରତିଶତ ପ୍ରଥମ ଓ ୯୪ ପ୍ରତିଶ ଦ୍ବିତୀୟ ଡୋଜ୍ ଟିକା ନେଇ ସାରିଲେଣି। ତେବେ ୧୮-୪୪ବର୍ଗର ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଏବେ ୪ହଜାରରୁ ଅଧିକ ଟିକା ମହଜୁଦ ରହିଛି। ଏଥିରେ ୨୨୯୦ ‘କୋଭିସିଲ୍‌ଡ’ ଓ ୨୪୪୦ ‘କୋଭାକ୍ସିନ୍’ ଟିକା ରହିଛି। ଟିକାର ଅଭାବ ପାଇଁ ଭୁବନେଶ୍ବରରେ କେବଳ ‘କୋଭାକ୍ସିନ୍‌’କୁ ଦ୍ବିତୀୟ ଡୋଜ୍ ଭାବେ ଦିଆଯାଉଛି। ରାଜ୍ୟର ଅନ୍ୟ ୪ଟି ମ୍ୟୁନିସିପାଲଟି ଓ ୬ଟି ଜିଲ୍ଲାରେ ‘କୋଭିସିଲ୍‌ଡ’ ଦିଆଯାଉଛି। ତେଣୁ ‘କୋଭିସିଲ୍‌ଡ’ର ୨ହଜାର ଟିକା ରହିଥିବାରୁ ଆସନ୍ତାକାଲି ପରେ ଟିକାକରଣ ବନ୍ଦ ହୋଇଯିବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି। ରାଜ୍ୟ ସରକାର ବଳକା ‘କୋଭାକ୍ସିନ୍‌’ର ବଳକା ଟିକାକୁ ୧୮-୪୪ବର୍ଗଙ୍କୁ ଦେବା ଲାଗି ରାଜ୍ୟ ସରକାର କେନ୍ଦ୍ରକୁ ଅନୁରୋଧ କରିଛନ୍ତି। ମାତ୍ର କେନ୍ଦ୍ର ସରକାର ଏ ନେଇ କୌଣସି ଉତ୍ତର ଦେଇ ନାହାନ୍ତି। ଏହାସହ ଦୁଇ ଟିକା ଉତ୍ପାଦନକାରୀ କମ୍ପାନି ଆସନ୍ତା ୭ ଓ ୯ତାରିଖରେ ଟିକା ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଯଦି ଧାର୍ଯ୍ୟ ସମୟ ପୂର୍ବରୁ କମ୍ପାନିଦ୍ବୟ ଟିକା ପଠାନ୍ତି, ତାହାଲେ ପୁଣିଥରେ ଦ୍ରୁତ ଗତିରେ ଟିକାକରଣ ହୋଇପାରିବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର