ଇଏ କି ଟିକା ଉତ୍ସବ? ୯୦୦ କେନ୍ଦ୍ରରେ ହୋଇପାରିନି ଟିକାଦାନ

ଭଦ୍ରକରେ ଟିକାକରଣ କେନ୍ଦ୍ର ସମ୍ପୂର୍ଣ୍ଣ ବନ୍ଦ
ଅଧାଜିଲ୍ଲାରେ ଏକ ଅଙ୍କ ବିଶିଷ୍ଟ ଟିକାକେନ୍ଦ୍ର
ଦିନକୁ ଅଢେଇଲକ୍ଷ ଦେଲେ, ଆଜି ସରିଯିବ ଟିକା
ରାଜ୍ୟରେ କରୋନା ବଢ଼ୁଛି, ଲୋକେ ନିରାଶ

ଭୁବନେଶ୍ବର : ରାଜ୍ୟରେ କରୋନା ଭୀଷଣ ରୂପ ଧାରଣ କରୁଥିବା ବେଳେ ଭଦ୍ରକ ଜିଲ୍ଲାର କୌଣସି ଗୋଟିଏ ଟିକାକରଣ କେନ୍ଦ୍ରରେ ଆଜି ଟିକାଦାନ ହୋଇପାରିନାହିଁ। କେବଳ ଭଦ୍ରକ ନୁହେଁ, ରାଜ୍ୟର ୯୦୦ଟି କେନ୍ଦ୍ରରେ ଆଜି ଟିକାଦାନ ବନ୍ଦ ରହିଛି।

ଆଜିଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନରେ ଆଜିଠାରୁ ଟିକା ଉତ୍ସବ ଆରମ୍ଭ ହୋଇଥିବା ବେଳେ ଏମିତି ଢଙ୍ଗରେ ଓଡ଼ିଶାରେ ଏହି ଉତ୍ସବ ପାଳନ ହୋଇଛି। ରାଜ୍ୟ ସରକାରଙ୍କ ବାରମ୍ବାର ନିବେଦନ ପରେ ବି କେନ୍ଦ୍ର ସରକାର ଟିକା ପ୍ରଦାନରେ ଟାଳଟୁଳ ନୀତି ଅବଲମ୍ବନ କରିବା ପରିପ୍ରେକ୍ଷୀରେ ବିଚିତ୍ର ପରିସ୍ଥିତି ସୃଷ୍ଟି ହେଲାଣି। ସବୁଠାରୁ ବଡ଼ କଥା ହେଲା, ହଜାର ହଜାର ଲୋକ ଟିକା ପାଇଁ ଆସି ନିରାଶ ହୋଇଛନ୍ତି ଓ ଅଶାନ୍ତି ଝାଡ଼ିଛନ୍ତି। ଆସନ୍ତାକାଲି ପରିସ୍ଥିତି ଆହୁରି ଭୟାନକ ହୋଇପାରେ, ଏଇଥିପାଇଁ ଯେ ଯଦି ଦୈନିକ ଟିକାକରଣ ଧାର୍ଯ୍ୟ ଲକ୍ଷ୍ୟ (ଦିନକୁ ଅଢେଇଲକ୍ଷ), ତେବେ ଆସନ୍ତାକାଲି ହିଁ ଟିକା ସରିଯିବ ଓ ଟିକାକରଣ ବନ୍ଦ ହୋଇଯିବ। ଏପଟେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ କେନ୍ଦ୍ର ସରକାର କୌଣସି ଟିକା ପଠାଇ ନାହାନ୍ତି। ଆଜି ମୋଟ ୫୯୩ଟି କେନ୍ଦ୍ରରେ ଟିକାକରଣ ହୋଇଥିଲା।

କେନ୍ଦ୍ର ସରକାରଙ୍କ ନିକଟରେ ପର୍ଯ୍ୟାପ୍ତ ଟିକା ମହଜୁଦ ଅଛି ବୋଲି ନିକଟରେ ‘ସମ୍ବାଦ’କୁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ କହିଥିଲେ। ହେଲେ ସ୍ବାସ୍ଥ୍ୟ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଓ ଖୋଦ୍ ପ୍ରଧାନମନ୍ତ୍ରୀଙ୍କୁ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିବା ପରେ ବି କେନ୍ଦ୍ର ସରକାର ଓଡ଼ିଶାକୁ ଟିକାଦେବା କ୍ଷେତ୍ରରେ ବିଶେଷ ଆଗ୍ରହ ଦେଖାଇନାହାନ୍ତି। ଯେ‌େତବେଳେ ସରକାର ୧୦ ଦିନ ପାଇଁ ପାଖାପାଖି ୨୫ଲକ୍ଷ ଟିକା ମାଗିଥିଲେ, ସେବେ ମାତ୍ର ଶନିବାର ଅଢେଇ ଲକ୍ଷ କୋଭିସିଲ୍‌ଡ ଟିକା ଦେଇଥିଲା କେନ୍ଦ୍ର।

ରାଜ୍ୟ ସରକାରଙ୍କ ରିପୋର୍ଟ କହୁଛି, ଆଜି ପର୍ଯ୍ୟନ୍ତ କେନ୍ଦ୍ର ସରକାର ଓଡ଼ିଶାକୁ ମୋଟ ୪୨ଲକ୍ଷ ୭୧ ହଜାର ୮୭୦ କୋଭିସିଲ୍‌ଡ ପଠାଇଛନ୍ତି। ସେ ମଧ୍ୟରୁ ୪୧ଲକ୍ଷ ୧୨ହଜାର ୪୩୧ ଇଞ୍ଜେକସନ୍ ଲୋକେ ନେଇସାରିଲେଣି। ଆଉ ମାତ୍ର ୧ଲକ୍ଷ ୫୯ ହଜାର ୪୩୯ ଇଞ୍ଜେକସନ୍ ସରକାରଙ୍କ ପାଖରେ ମହଜୁଦ୍‌ ରହିଛି।

ସେହିଭଳି ଓଡ଼ିଶାକୁ ମୋଟ ୩ଲକ୍ଷ ୩୬ ହଜାର ୭୮୦ କୋଭାକ୍ସିନ୍ ଇଞ୍ଜେକସନ୍ ଆସିଛି ଓ ୨ଲକ୍ଷ ୬୫ ହଜାର ୭୭୦ଟି ଟିକା ବ୍ୟବହାର ହୋଇସାରିଲେଣି। ଅର୍ଥାତ୍ ଆଉ ୭୧ ହଜାର ୧୦ଟି ଟିକା ସରକାରଙ୍କ ପାଖରେ ମହଜୁଦ୍ ଅଛି। ଉଲ୍ଲେଖଥାଉକି, ଏଯାଏ ରାଜ୍ୟର ୪୩ଲକ୍ଷ ୭୮ ହଜାର ୨୦୧ ଜଣ ଟିକା ନେଇସାରିଲେଣି।

ସରକାରୀ ରିପୋର୍ଟକୁ ନିରେଖି ଦେଖିଲେ ଜଣାପଡ଼ୁଛି ଯେ ଆଜି ମାତ୍ର ୮୧ହଜାର ୧୬୯ଜଣଙ୍କୁ ଟିକା ଦିଆଯାଇଛି; ଯାହା ଧାର୍ଯ୍ୟ ଲକ୍ଷ୍ୟର ପାଖାପାଖି ୩୫ ପ୍ରତିଶତ ହେବ। ଏଥିରୁ ପ୍ରମାଣିତ ହେଉଛି ଯେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକୁ କାର୍ଯ୍ୟକାରୀ କରିବାରେ ନିଜେ କେନ୍ଦ୍ର ସରକାର ହିଁ ବାଧକ ସାଜିଛନ୍ତି।

ଗୁରୁତ୍ବପୂର୍ଣ୍ଣ କଥା ହେଲା, ଆଜି ଭଦ୍ରକରେ ଆଦୌ ଟିକାଦାନ େହାଇନାହିଁ। ପଶ୍ଚିମଓଡ଼ିଶାରେ କରୋନା ପରିସ୍ଥିତି ଅତି ସାଂଘାତିକ ସ୍ଥିତିରେ ଥିବା ବେଳେ ବଲାଙ୍ଗୀରରେ ମାତ୍ର ୧୦ଟି, ବୌଦ୍ଧରେ ୨ଟି, ସୁନ୍ଦରଗଡ଼ରେ ୨୩ଟି, ସମ୍ବଲପୁରରେ ୨୮ଟି, ଝାରସୁଗୁଡାରେ ୧୯ଟି, ଦେବଗଡରେ ୩ଟି ଓ କଳାହାଣ୍ଡିରେ ୪ଟି କେନ୍ଦ୍ରରେ ଟିକାକରଣ ହୋଇଛି।

ସେହିଭଳି େଢଙ୍କାନାଳରେ ୪ଟି, ଗଜପତିରେ ୩ଟି, ଜଗତସିଂହପୁରରେ ଗୋଟିଏ, ଯାଜପୁରରେ ୨ଟି, ପୁରୀରେ ୩ଟି, କେନ୍ଦ୍ରାପଡ଼ାରେ ୩ଟି, କନ୍ଧମାଳରେ ୩ଟି, ନୟାଗଡ଼ରେ ୩ଟି, ରାୟଗଡାରେ ୪ଟି କେନ୍ଦ୍ରରେ ଟିକାକରଣ ହୋଇଛି। ଫଳରେ ଏସବୁ ଅଞ୍ଚଳରେ ଲୋକେ ଭୀଷଣ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସ୍ବାସ୍ଥ୍ୟ ବିଭାଗ ଅଧିକାରୀମାନେ କହିଛନ୍ତି, କାଳେ ଟିକା ସରିଯିବ, ଏଣୁ ଟିକାକରଣ ପ୍ରକ୍ରିୟାକୁ ଜାରି ରଖିବା ଲାଗି ସଂଖ୍ୟା କମାଇ ଦିଆଯାଇଛି। ଏହାଛଡ଼ା ଅନ୍ୟ କୌଣସି ବିକଳ୍ପ ସରକାରଙ୍କ ପାଖରେ ନାହିଁ।

ଆଜି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଏହି ପ୍ରସଙ୍ଗରେ ଭୀଷଣ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଟିକା ପ୍ରଦାନରେ କେନ୍ଦ୍ର ସରକାର ପାତର ଅନ୍ତର କରୁଛନ୍ତି। ବିଜେପି ଶାସିତ ରାଜ୍ୟକୁ ଅଧିକ ଟିକା ଦିଆଯାଉଛି। ରାଜା ରାଜଧର୍ମ ପାଳନ କରିବା କଥା। ସମସ୍ତଙ୍କୁ ସମାନ ଭାବେ ଦେଖିବା କଥା। ସବ୍‌କା ସାଥ୍‌ ..ସବ୍‌କା ବିକାଶ କଥା କହୁଛନ୍ତି କିନ୍ତୁ କାର୍ଯ୍ୟରେ ଏହା ପ୍ରତିଫଳିତ ହେଉନାହିଁ।

କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, ଟିକାକୁ ନେଇ ରାଜ୍ୟରେ ବେକାର ପ୍ରହସନ କରୁଛନ୍ତି ବିଜେପି ଓ ବିଜେଡି। ରାଜନୀତି ଛାଡ଼ନ୍ତୁ। ନବୀନ ବାବୁ ଟଙ୍କା ଦେଇ ଟିକା ଆଣନ୍ତୁ।

ଅନ୍ୟପକ୍ଷରେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ ଗଣମାଧ୍ୟମକୁ କହିଛନ୍ତି, ବିଶ୍ୱର ସବୁଠାରୁ ବଡ଼ ଟିକାକରଣ କାର୍ଯ୍ୟକ୍ରମ ଚାଲିଛି। ଆବଶ୍ୟକତା ଅନୁସାରେ ରାଜ୍ୟକୁ ଟିକା ଯୋଗାଇ ଦିଆଯାଉଛି। ସୁଶାନ୍ତ ସିଂ ମନ୍ତ୍ରିମଣ୍ଡଳରେ ଥାଇ କେମିତି ଏମିତି ଦାୟିତ୍ବହୀନ ମନ୍ତବ୍ୟ ଦେଉଛନ୍ତି, ତାହା ଆମକୁ ଆଶ୍ଚର୍ଯ୍ୟ କରୁଛି।

ସମ୍ବନ୍ଧିତ ଖବର