ଟିକାକରଣ ୩ କୋଟି ଡୋଜ୍ ଟପିଲା: ୨୭% ହିତାଧିକାରୀ ନେଲେଣି ଉଭୟ ଡୋଜ୍

ଭୁବନେଶ୍ବର: ରାଜ୍ୟରେ କରୋନା ଟିକାକରଣ ଆଜି ୩କୋଟି ଡୋଜ୍ ଟପିଛି। ଗୋଟିଏ ଦିନରେ ୨ଲକ୍ଷ ୪୩ହଜାର ୭୨ ହିତାଧିକାରୀ ଟିକା ନେବା ପରେ ସମୁଦାୟ ଟିକାକରଣ ସଂଖ୍ୟା ୩କୋଟି ୧୦ଲକ୍ଷ ୫ହଜାର ୯୮୭କୁ ବୃଦ୍ଧି ପାଇଛି। ରାଜ୍ୟରେ ଏବେ ୨କୋଟି ୧୭ଲକ୍ଷରୁ ଅଧିକ ହିତାଧିକାରୀ ପ୍ରଥମ ଓ ୮୨ଲକ୍ଷରୁ ଅଧିକ ଦ୍ବିତୀୟ ଡୋଜ୍ ଟିକା ନେଇ ସାରିଲେଣି। ଏବେ ସୁଦ୍ଧା ୨୬.୭ ପ୍ରତିଶତ ବା ୮୨ଲକ୍ଷ ୬୪ହଜାର ୯୦୬ ହିତାଧିକାରୀ ଉଭୟ ଡୋଜ୍ ଟିକା ନେଇଛନ୍ତି।

ରାଜ୍ୟରେ ସମୁଦାୟ ୩.୧ କୋଟି ହିତାଧିକାରୀଙ୍କୁ ଟିକା ଦେବା ଲାଗି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏବେ ଦୈନିକ ୪ଲକ୍ଷ ଟିକାକରଣ କରାଯିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରିବା ପରେ ଟିକାକରଣ ବଢ଼ିବାରେ ଲାଗିଛି। ମାତ୍ର ନିକଟରେ ବାତ୍ୟା କାରଣରୁ ରାଜ୍ୟରେ କିଛିଦିନ ପାଇଁ ଟିକାକରଣ ଧିମେଇ ଯାଇଥିଲା। ଅଧିକାଂଶ ଜିଲ୍ଲାରେ ଟିକାକରଣକୁ ବନ୍ଦ ରଖା ଯାଇଥିଲା। ମାତ୍ର ଏବେ ପୁଣିଥରେ ଟିକାକରଣ ଜୋର ଧରିବାକୁ ଆରମ୍ଭ କରିଛି। ଆଜି ୧୩୪୪ ଟିକାକରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୮-୪୪ବର୍ଗର ୯୪ହଜାର ପ୍ରଥମ, ୬୮,୧୦୦ ଦ୍ବିତୀୟ ଡୋଜ୍, ୪୫ବର୍ଷରୁ ଅଧିକ ୪୧,୬୧୪ ପ୍ରଥମ ଓ ୩୮,୦୭୭ ଦ୍ବିତୀୟ ଡୋଜ୍ ଟିକା ନେଇଥିଲେ। ରାଜ୍ୟରେ ଏବେ ସୁଦ୍ଧା ୧୮-୪୪ବର୍ଗର ୬୦ ପ୍ରତିଶତ ଓ ୪୫ବର୍ଷରୁ ଅଧିକ ୮୧ ପ୍ରତିଶତ ହିତାଧିକାରୀ ପ୍ରଥମ ଡୋଜ୍ ନେଇ ସାରିଲେଣି। ଆସନ୍ତାକାଲି ରାଜ୍ୟରେ ୧୬୮୪ ଟିକାକଣ ଅଧିବେଶନ ଅନୁଷ୍ଠିତ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଏବେ ୧୨.୭ଲକ୍ଷ କୋଭିସିଲ୍‌ଡ ଓ ୪.୨୭ଲକ୍ଷରୁ ଅଧିକ କୋଭାକ୍ସିନ୍ ଟିକା ମହଜୁଦ ରହିଛି। ତେବେ ଆସନ୍ତା ଅକ୍ଟୋବର ମାସରେ କେନ୍ଦ୍ର ସରକାର ଓଡ଼ିଶାକୁ ଆବଣ୍ଟିତ ଟିକାର ପରିମାଣକୁ ବଢ଼ାଇ ଦେଇଛନ୍ତି। ଅକ୍ଟୋବରରେ ରାଜ୍ୟକୁ ୭୮ଲକ୍ଷରୁ ଅଧିକ ଡୋଜ୍ ଟିକା ମିଳିବ। ଯାହାକି ଚଳିତମାସ ତୁଳନାରେ ୧୮ଲକ୍ଷ ଡୋଜ୍ ଅଧିକ।

ସମ୍ବନ୍ଧିତ ଖବର