ଟିକାକରଣ ୫୧ଲକ୍ଷ ଟପିଲା, ଆଜି ୮୯୦ ଅଧିବେଶନରେ ଦିଆଯିବ ଟିକା

ଦିନକରେ ଟିକା ନେଲେ ୧ଲକ୍ଷ ୪୨ହଜାରୁ ଅଧିକ
ଆସିବ ପୁଣି ୧ଲକ୍ଷ ଡୋଜ୍‌ର ‘କୋଭିସିଲ୍‌ଡ’

ଭୁବନେଶ୍ବର : ରାଜ୍ୟରେ କରୋନା ଟିକାକରଣ ୫୧ଲକ୍ଷ ଟପିଛି। ଆଜି ୧୦୮୪ ଅଧିବେଶନରେ ୧ଲକ୍ଷ ୪୨ହଜାର ୮୮୬ଜଣଙ୍କୁ ଟିକା ଦିଆଯାଇଛି। ମାତ୍ର ଟିକା ଅଭାବ ଦୃଷ୍ଟିରୁ ଆସନ୍ତାକାଲି ୮୯୦ଟି ଅଧିବେଶନରେ ଟିକାକରଣ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ଆଜି ୪୫ବର୍ଷରୁ ଅଧିକ ୯୬ହଜାର ୬୫୭ଜଣଙ୍କୁ ପ୍ରଥମ ଓ ୪୨,୨୦୨ଜଣଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଛି। ଏହାସହ ଆଜି ୧୮ଜଣଙ୍କଠାରେ ଟିକାର ସାମାନ୍ୟ ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ‌ସେମାନଙ୍କ ମଧ୍ୟରେ ଗଞ୍ଜାମ ଓ କୋରାପୁଟରେ ୪ଜଣ ଲେଖାଏଁ, ସୁନ୍ଦରଗଡ଼ ଓ ମାଲକନଗିରି ୨ ଲେଖାଏଁ, ନୂଆପଡ଼ା, ପୁରୀ, ରାୟଗଡ଼ା, ଦେବଗଡ଼ ଓ ବାଲେଶ୍ବରରେ ଜଣେ ଲେଖାଏଁ ରହିଛନ୍ତି। ରାଜ୍ୟରେ ସମୁଦାୟ ୫୧ଲକ୍ଷ ୫୩ହଜାର ୩୭୪ଜଣ କରୋନା ଟିକା ନେଇଛନ୍ତି। ପୂର୍ବରୁ ପଞ୍ଜୀକୃତ ହୋଇଥିବା ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ୯୫.୭ ପ୍ରତିଶତ ଓ ଆଗଧାଡ଼ିର ଯୋଦ୍ଧାଙ୍କ ମଧ୍ୟରୁ ୮୮.୫ ପ୍ରତିଶତଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଛି।

ଆଜିସୁଦ୍ଧା ରାଜ୍ୟରେ ୩ଲକ୍ଷ ୫୫ହଜାର ୨୭୦ ଡୋଜ୍‌ର ‘କୋଭିସିଲ୍‌ଡ’ ଓ ୨ଲକ୍ଷ ୧୦ହଜାର ୧୭୦ ଡୋଜ୍‌ର ‘କୋଭାକ୍ସିନ୍’ ଉପଲବ୍ଧ ରହିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା. ବିଜୟ ପାଣିଗ୍ରାହୀ କହିଛନ୍ତି, ଆସନ୍ତାକାଲି ପୁଣି ୧ଲକ୍ଷ ଡୋଜ୍‌ର ‘କୋଭିସିଲ୍‌ଡ’ ଟିକା ଆସି ପହଞ୍ଚିବ। ଟିକାର ଅନିୟମିତତା ପାଇଁ ରାଜ୍ୟରେ ଠିକ୍ ଭାବେ ଟିକାକରଣ ଅଧିବେଶନ ପ୍ଲାନିଂ ହୋଇପାରୁ ନାହିଁ। ଟିକା ଆସିବା ପରେ ସବୁ ଜିଲ୍ଲାକୁ ପହଞ୍ଚିବା ପାଇଁ ଯଥେଷ୍ଟ ସମୟ ଲାଗୁଛି। ତେଣୁ ଏସବୁ ଦୃ‌ଷ୍ଟିରୁ ଟିକାକରଣ ଅଧିବେଶନ କମୁଥିବା ଡା. ପାଣିଗ୍ରାହୀ କହିଛନ୍ତି।

ସମ୍ବନ୍ଧିତ ଖବର