ଟିକା ଅଭାବ ଜଳଜଳ: ୮୩୧ କେନ୍ଦ୍ରରେ ଟିକା ନେଲେ ୧ଲକ୍ଷରୁ ଅଧିକ

ଆଜିଠାରୁ ଟିକା ଉତ୍ସବ

ଆସିଲା ୨.୫ ଲକ୍ଷ ‘କୋଭିସିଲ୍‌ଡ’
ରାଜ୍ୟରେ ମହଜୁଦ ଅଛି ୩ଲକ୍ଷରୁ ଅଧିକ ଟିକା

ଭୁବନେଶ୍ବର : ରାଜ୍ୟରେ କରୋନା ଟିକାର ଅଭାବ ଦେଖା ଦେଇଛି। ଗତକାଲି ଅପେକ୍ଷା ଆଜି ରାଜ୍ୟରେ ପ୍ରାୟ ୩୫୦ରୁ କମ୍ ଟିକାଦାନ କେନ୍ଦ୍ରରେ ଟିକାକରଣ ହୋଇଛି। ଏଥିରେ ୧ଲକ୍ଷ ୧୩ହଜାର ୫୬୬ ଜଣ ଟିକା ନେଇଛନ୍ତି। ଟିକାର ଅଭାବ ପାଇଁ ରାଜ୍ୟରେ ଦୈନିକ ୨ଲକ୍ଷ ଟିକାକରଣ ଲକ୍ଷ୍ୟ ବାଧାପ୍ରାପ୍ତ ହୋଇଛି। ରାଜ୍ୟରେ ଅଢ଼େଇ ଲକ୍ଷ ଡୋଜ୍‌ର ‘କୋଭିସିଲ୍‌ଡ’ ଟିକା ପହଞ୍ଚିଛି। ଉଭୟ ‘କୋଭାକ୍ସିନ୍’ ଓ କୋଭିସିଲ୍‌ଡକୁ ମିଶାଇ ୩ ଲକ୍ଷରୁ ଅଧିକ ଟିକା ମହଜୁଦ ରହିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଚଳିତମାସ ପହିଲାରୁ ରାଜ୍ୟ ସରକାର ଦୈନିକ ୨ଲକ୍ଷ ଲୋକଙ୍କୁ ଟିକା ଦେବା ପାଇଁ ନିଷ୍ପତ୍ତି ନେଇଥିଲେ। କିଛିଦିନ ୨ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଥିବା ବେଳେ ଟିକା ଅଭାବରୁ ଏହା ବାଧାପ୍ରାପ୍ତ ହୋଇଥିଲା। ରାଜ୍ୟକୁ ୧୦ଦିନ ପାଇଁ ୨୫ଲକ୍ଷ ଟିକା ଦେବା ପାଇଁ ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ମାତ୍ର କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦିଷ୍ଟ ଭାବେ କେବେ ଏହି ସଂଖ୍ୟକ ଟିକା ପହଞ୍ଚିବ ତାହା ସ୍ପଷ୍ଟ କରାଯାଇ ନାହିଁ। ଆସନ୍ତାକାଲିଠାରୁ ୪ଦିନ ପାଇଁ ‘ଟିକା ଉତ୍ସବ’ ପାଳନ ହେବାକୁ ଯାଉଥିବା ବେଳେ ରାଜ୍ୟରେ ଅଧିକ ସଂଖ୍ୟାରେ ଲୋକଙ୍କୁ ଟିକା ଦିଆଯିବା ନେଇ ସମସ୍ୟା ଉପୁଜିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଆଜି ଆସିଥିବା ଅଢ଼େଇ ଲକ୍ଷ ଟିକାକୁ ଖୋର୍ଧା, କଟକ, ସୁନ୍ଦରଗଡ଼, ନୂଆପଡ଼ା, କଳାହାଣ୍ଡି, ବରଗଡ଼, ଗଞ୍ଜାମ, କୋରାପୁଟ, ବାଲେଶ୍ବର ଓ କନ୍ଧମାଳକୁ ପଠାଇ ଦିଆଯାଇଛି। ଜାନୁଆରି ମାସରେ ଟିକାକରଣ ଆରମ୍ଭ ହେବା ପରେ ରାଜ୍ୟକୁ ଏ ପର୍ଯ୍ୟନ୍ତ ୪୨ଲକ୍ଷ ୭୧ହଜାର ୮୭୦ ଡୋଜ୍‌ର ‘କୋଭିସିଲ୍‌ଡ’ ଟିକା ଆସିଥିବା ବେଳେ ତହିଁରୁ ୪୦ଲକ୍ଷ ୩୮ହଜାର ୨୧୨ ଡୋଜ୍‌ ବ୍ୟବହୃତ ହୋଇଛି। ଏବେ ରାଜ୍ୟରେ ୨ଲକ୍ଷ ୩୩ହଜାର ୬୫୮ ଡୋଜ୍‌ ଟିକା ମହଜୁଦ ଅଛି। ସେହିପରି ‘କୋଭାକ୍ସିନ୍’ର ୩ଲକ୍ଷ ୩୬ହଜାର ୭୮୦ ଡୋଜ୍ ଟିକା ଆସିଥିବା ବେଳେ ତହିଁରୁ ୨ଲକ୍ଷ ୫୮ହଜାର ୮୨୦ ଡୋଜ୍‌ ବ୍ୟବହୃତ ହୋଇସାରିଛି। ଏବେ ୭୭,୯୬୦ ଡୋଜ୍ ଟିକା ରାଜ୍ୟରେ ସଂରକ୍ଷିତ ଅଛି। ‘କୋଭାକ୍ସିନ୍’ ଟିକାକୁ କେବଳ ବିଏମ୍‌ସି ଅଞ୍ଚଳରେ ପ୍ରଦାନ କରାଯାଉଛି।

ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା. ବିଜୟ ପାଣିଗ୍ରାହୀ କହିଛନ୍ତି, ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ‘ଟିକା ଉତ୍ସବ’ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଭାବେ କିଛି ଗାଇଡଲାଇନ୍ ଆସିନାହିଁ। କେବଳ ଅଧିକରୁ ଅଧିକ ଲୋକଙ୍କୁ ଟିକା ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଆଜି ଯେତିକି ପରିମାଣର ଟିକା ଆସିଛି ସେସବୁ ଅଧିକ କରୋନା ରୋଗୀ ବାହାରୁଥିବା ଜିଲ୍ଲାକୁ ପ୍ରାଥମିକତା ଦୃଷ୍ଟିରୁ ପଠାଇ ଦିଆଯାଇଛି। ତେଣୁ ଅନ୍ୟ ଜିଲ୍ଲାଗୁଡ଼ିକରେ ଷ୍ଟକ ଥିବା ଟିକା ଉପରେ ଆସନ୍ତାକାଲିର ଟିକାକରଣ ନିର୍ଭର କରିବ। ପରବର୍ତୀ ସମୟରେ କେତେ ପରିମାଣର ଟିକା ଓଡ଼ିଶାକୁ ଆସିବ ସେ ସଂପର୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇ ନ ଥିବା ଡା. ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ଆଜି ରାଜ୍ୟରେ ୧ଲକ୍ଷ ୧୩ହଜାର ୫୬୬ଜଣ ଟିକା ନେଇଛନ୍ତି। ଏଥିରେ ୪୫ବର୍ଷରୁ ଅଧିକ ୭୨,୧୮୦ଜଣଙ୍କୁ ପ୍ରଥମ ଓ ୧୩୩୯ଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଛି। ୬୦ବର୍ଷରୁ ଅଧିକ ୨୮,୦୩୯ଜଣ ପ୍ରଥମ ଓ ୧୦,୨୪୧ ଜଣ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ଆଜି ସମୁଦାୟ ୮ଜଣଙ୍କ ନିକଟରେ ଟିକାର ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଗଞ୍ଜାମରେ ୪, ମାଲକାନଗିରିରେ ୨, ଭଦ୍ରକ ଓ କନ୍ଧମାଳରେ ଜଣକଠାରେ ପାର୍ଶ୍ବ ପ୍ରତିକ୍ରିୟା ଦେଖା ଦେଇଛି। ରାଜ୍ୟରେ ସମୁଦାୟ ୪୨ଲକ୍ଷ ୯୭ହଜାର ୦୩୨ଜଣ କରୋନା ଟିକା ନେଇ ସାରିଲେଣି।

ସମ୍ବନ୍ଧିତ ଖବର