ଭୁବନେଶ୍ବର : ଠିକ୍ ୧ବର୍ଷ, ୧ମାସ ଓ ୧ଦିନରେ ଓଡ଼ିଶା କୋଭିଡ ଟିକାକରଣରେ ଏକ ନୂଆ ମାଇଲଖୁଣ୍ଟ ହାସଲ କରିଛି। ରାଜ୍ୟରେ କୋଭିଡ ଟିକାକରଣ ୬କୋଟି ଟପିଛି। ଗତବର୍ଷ ଜାନୁଆରି ୧୬ତାରିଖରେ ରାଜ୍ୟରେ ଟିକାକରଣ ଆରମ୍ଭ ହୋଇଥିଲା। ଏବେ ରାଜ୍ୟର ୯୫ ପ୍ରତିଶତ ଯୋଗ୍ୟ ହିତାଧିକାରୀ ନିଜର ପ୍ରଥମ ଡୋଜ୍ ଟିକା ନେଇ ସାରିଛନ୍ତି। ଆଉ ୫୦ହଜାର ଲୋକ ନିଜର ପ୍ରଥମ ଡୋଜ୍ ଟିକା ନେଇ ନ ଥିବା କୁହାଯାଉଛି। ‌

Advertisment

କରୋନାର ଘାତକ ଦ୍ବିତୀୟ ଲହର ଆରମ୍ଭ ହେବା ପୂର୍ବରୁ ରାଜ୍ୟରେ କରୋନା ଟିକାକରଣ ଆରମ୍ଭ ହୋଇଥିଲା। ଆରମ୍ଭରୁ ୧୮ବର୍ଷରୁ ଅଧିକ ୩ କୋଟି ହିତାଧିକାରୀଙ୍କୁ ଚୟନ କରାଯାଇଥିବା ବେଳେ ପରବର୍ତୀ ସମୟରେ କେନ୍ଦ୍ର ସରକାର ଏହାକୁ ୩.୨୫କୋଟିକୁ ବୃଦ୍ଧି କରିଥିଲେ। ମାତ୍ର ଆରମ୍ଭରୁ ଟିକା ନେଇ ଲୋକଙ୍କ ଭିତରେ ସେତେଟା ଆଗ୍ରହ ଦେଖିବାକୁ ମିଳି ନ ଥିଲା। ମାତ୍ର ଗତବର୍ଷ ଏପ୍ରିଲ ମାସ ବେଳକୁ ଦ୍ବିତୀୟ ଲହର ଆରମ୍ଭ ହେବା ପରେ ଟିକା ନେବା ଲାଗି ଟିକାକରଣ କେନ୍ଦ୍ରରେ ଭିଡ଼ ଦେଖିବାକୁ ମିଳିଥିଲା। ଆରମ୍ଭରୁ କେବଳ ଭୁବନେଶ୍ବରରେ କୋଭାକ୍ସିନ୍ ଟିକା ଦିଆଯାଉଥିବା ବେଳେ ପରବର୍ତୀ ସମୟରେ ଗଞ୍ଜାମରେ ଏହି ଟିକା ଦିଆଯାଇଥିଲା। ଅନ୍ୟ ଜିଲ୍ଲା ଗୁଡ଼ିକରେ କୋଭିସିଲ୍‌ଡ ଟିକା ଦିଆଯାଇଥିଲା। ତେବେ ରାଜ୍ୟରେ ୧୦ଲକ୍ଷରୁ ଅଧିକ ହିତାଧିକାରୀ ରାଜ୍ୟ ବାହାରେ ରହିଥିବାରୁ ସେମାନେ ନିଜ ନିଜ କାର୍ଯ୍ୟସ୍ଥଳୀରେ ଟିକା ନେଇଥିବା କୁହାଯାଉଛି। ଏ ଦୃଷ୍ଟିରୁ ରାଜ୍ୟରେ ଯୋଗ୍ୟ ହିତାଧିକାରୀଙ୍କ ଟିକାକରଣର ପ୍ରଥମ ଡୋଜ୍ ୯୫ ପ୍ରତିଶତ ନୁହେଁ, ବରଂ ୯୯ ପ୍ରତିଶତ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଯେଉଁମାନଙ୍କର ଦ୍ବିତୀୟ ଡୋଜ୍ ଟିକା ନେବାର ସମୟ ହୋଇଛି ସେମାନଙ୍କ ମଧ୍ୟରୁ ୯୨ ପ୍ରତିଶତ ଟିକା ନେଇ ସାରିଲେଣି।

publive-image sfchronicle.com

ତେବେ ଦୀର୍ଘମାସର ବ୍ୟବଧାନ ପରେ ରାଜ୍ୟରେ ପୁଣିଥରେ କୋଭାକ୍ସିନ୍ ଟିକାର ଅଭାବ ସୃଷ୍ଟି ହୋଇଛି। ରାଜ୍ୟବ୍ୟାପୀ ୧୫-୧୮ବର୍ଷର ପିଲାଙ୍କୁ ଏହି ଟିକା ଦିଆଯାଉଥିବାରୁ ରାଜ୍ୟ ସରକାର ଠିକ୍ ସମୟରେ ଏହି ଟିକା ଯୋଗାଇଦେବାକୁ ଚିଠି ଲେଖାଯାଇଛି। ରାଜ୍ୟ କରୋନା ଟିକାକରଣ ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ କହିଛନ୍ତି, ରାଜ୍ୟରେ ଏବେ ୫ଲକ୍ଷ କୋଭାକ୍ସିନ୍ ଡୋଜ୍ ରହିଛି। ମାତ୍ର ଦିନକୁ ପ୍ରାୟ ୧ଲକ୍ଷ ଡୋଜ୍ ଟିକା ଦିଆଯାଉଥିବାରୁ ଆସନ୍ତା ୪/୫ଦିନ ଭିତରେ ଏହା ଶେଷ ହୋଇଯିବ। ତେଣୁ ଚଳିତମାସ ପାଇଁ ଆହୁରି ୧୦ଲକ୍ଷ ଡୋଜ୍ ଯୋଗାଇଦେବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି। ଠିକ୍ ସମୟରେ ଟିକା ନ ଆସିଲେ ପିଲାଙ୍କ ଟିକାକରଣରେ ସମସ୍ୟା ଉପୁଜିପାରେ।

ସେ ଆହୁରିମଧ୍ୟ କହିଛନ୍ତି ଯେ ରାଜ୍ୟରେ ମୁଣ୍ଡ ଗଣନା ଅନୁସାରେ ଯୋଗ୍ୟ ହିତାଧିକାରଙ୍କ ମଧ୍ୟରୁ ୯୯ ପ୍ରତିଶତ ପ୍ରଥମ ଡୋଜ୍ ନେଇ ସାରିଲେଣି। ପ୍ରିକସନ୍ ଡୋଜ୍ ନେବା ପାଇଁ ୯ମାସର ଅବଧି ଥିବା ବେଳେ ସେମାନଙ୍କ ମଧ୍ୟରୁ ଶତ ପ୍ରତିଶତ ଓ ମୋଟ ୬୦ବର୍ଷରୁ ଅଧିକ ଲୋକଙ୍କ ଭିତରୁ ୪୨ ପ୍ରତିଶତ ଏହି ଟିକା ନେଇଛନ୍ତି। ଆଜି ରାଜ୍ୟରେ ୧ଲକ୍ଷ ୨୮ହଜାର ୫୦୨ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ବର୍ତମାନ ସୁଦ୍ଧା ୬କୋଟି ୭୭ହଜାର ୯୦୭ ଡୋଜ୍ ଟିକା ଦିଆଗଲାଣି। ଓଡ଼ିଶାକୁ ୫କୋଟି ୬୦ଲକ୍ଷ ୨ହଜାର ୩୩୦ ଡୋଜ୍ କୋଭିସିଲ୍‌ଡ ଡୋଜ୍ ମିଳିଥିବା ବେଳେ ତହିଁରୁ ୪କୋଟି ୭୨ଲକ୍ଷ ୩୮ହଜାର ୧୨୦ ଡୋଜ୍ ଟିକା ଦିଆଯାଇଛି। ସେହପିରି ରାଜ୍ୟକୁ ୯୮ଲକ୍ଷ ୫୨ହଜାର ୮୦୫ ଡୋଜ୍ କୋଭାକ୍ସିନ୍ ମିଳିଥିବା ବେଳେ ତହିଁରୁ ୯୫ଲକ୍ଷ ୯୦ହଜାର ୧୨୫ ଡୋଜ୍ ଦିଆଯାଇଛି। ଆସନ୍ତାକାଲି ରାଜ୍ୟରେ ୨୮୭୦ ଟିକାକରଣ ଅଧିବେଶନ ଅନୁଷ୍ଠିତ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।