ଟିକାଦାନ କେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥା: ଟିକାକରଣ ୩୦ଲକ୍ଷ ଟପିଲା

ଭୁବନେଶ୍ବର : ଏପ୍ରିଲ ପହିଲାରୁ ରାଜ୍ୟ ସରକାର ୪୫ବର୍ଷରୁ ଅଧିକ ଲୋକଙ୍କୁ ଟିକା ଦେବା ଆରମ୍ଭ କରିଛନ୍ତି। ପ୍ରତ୍ୟେକ ଦିନ ୨ଲକ୍ଷରୁ ଅଧିକ ଲୋକଙ୍କୁ କରୋନା ଟିକା ଦିଆଯାଉଛି। ଏହା ଭିତରେ ୩ଦିନ ବିତି ଯାଇଥିବା ବେଳେ ଟିକାକରଣରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ବୟସ୍କ ଲୋକମାନଙ୍କୁ ଟାଣ ଖରାରେ ଛିଡ଼ା ହେବାକୁ ପଡ଼ୁଥିବା ବେଳେ ଅନେକ ସ୍ଥାନରେ ଟିକା ନେବାରେ ନିରୀକ୍ଷଣ ପାଇଁ ଆବଶ୍ୟକ ୩୦ ମିନିଟ୍ ସମୟ ମିଳୁନାହିଁ। ଫଳରେ ଲୋକମାନେ ଟିକା ନେବା ପରେ ହିଁ ଘରକୁ ପଳାଉଛନ୍ତି। ରାଜଧାନୀର ଏକାଧିକ କେନ୍ଦ୍ରରେ ଆଜି ଏଭଳି ଅବ୍ୟବସ୍ଥା ସାମ୍ନାକୁ ଆସିଛି।

ଏତିକିରେ ଅଟକି ଯାଇନାହିଁ ଟିକାଦାନ ସମସ୍ୟା। ଅନେକ କେନ୍ଦ୍ର ଆସନ୍ତା ରବିବାର ଟିକାକରଣ କରିବେ ନାହିଁ ବୋଲି ଲୋକମାନଙ୍କୁ ରୋକଠୋକ୍ ମନା କରିଦେଉଛନ୍ତି। ଯଦିଓ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଛୁଟି ଦିନଗୁଡ଼ିକରେ ଟିକାକରଣ ଜାରି ରହିବ ବୋଲି ବିଜ୍ଞପ୍ତି ପ୍ରକାଶ କରିଛନ୍ତି, ଏହାକୁ ଉଲ୍ଲଂଘନ କରି ଅନେକ କେନ୍ଦ୍ର ଆସନ୍ତାକାଲି ଟିକାଦାନ କରିବେ ନାହିଁ ବୋଲି କହିଛନ୍ତି। ଫଳରେ ଏନେଇ ଲୋକମାନଙ୍କ ମଧ୍ୟରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି।

ରାଜ୍ୟ ସରକାର ଟିକାଦାନକୁ ବଢ଼ାଇବା ଉପରେ ଯଥେଷ୍ଟ ଗୁରୁତ୍ବ ଦେଉଛନ୍ତି। ୩ଦିନ ହେବ ରାଜ୍ୟରେ ପ୍ରତ୍ୟେକ ଦିନ ୨ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯାଉଛି। ମାତ୍ର ଧୀରେଧୀରେ ଟିକାକରଣ କେନ୍ଦ୍ରରେ ଅବ୍ୟବସ୍ଥା ଦେଖିବାକୁ ମିଳିଲାଣି। କେନ୍ଦ୍ରରେ ୩ଟି ପ୍ରତୀକ୍ଷାଳୟ ଉପରେ ଗୁରୁତ୍ବ ଦିଆଯାଇଥିଲା। ହେଲେ ଏବେ ଅଧିକ ସଂଖ୍ୟାରେ ଲୋକମାନେ ଆସୁଥିବାରୁ ଏସବୁ ସ୍ଥାନରେ ଆବଶ୍ୟକ ପରିମାଣର ଜାଗାର ଅଭାବ ଦେଖା ଦେଇଛି। ଯାହାକୁ ନେଇ ଲୋକମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି। କିଛି କେନ୍ଦ୍ରରେ ଅନ୍‌ ଦି ସ୍ପଟ୍‌ ପଞ୍ଜୀକରଣ କରିବାକୁ ଚାହୁଥିବା ଲୋକମାନଙ୍କୁ ଠିକ୍‌ରେ ଫର୍ମ ଦିଆଯାଉନାହିଁ। ଏତିକି ସଂଖ୍ୟକ ଲୋକଙ୍କ ବାଦ୍ ଅନ୍ୟମାନଙ୍କୁ ଟିକା ଦିଆଯାଇ ପାରିବ ନାହିଁ ବୋଲି କୁହାଯାଉଛି। ଏଭଳି ଅବ୍ୟବସ୍ଥା ସଂପର୍କରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଅଭାବରୁ ଟିକାଦାନ କେନ୍ଦ୍ରଗୁଡ଼ିକ ମନମୁଖୀ କାର୍ଯ୍ୟ କରୁଛନ୍ତି।

ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା. ବିଜୟ ପାଣିଗ୍ରାହୀ କହିଛନ୍ତି, ଆସନ୍ତାକାଲି ରବିବାର ମଧ୍ୟ ଟିକାକରଣ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଚଳିତ ମାସରେ ଛୁଟି ଦିନଗୁଡ଼ିକରେ ଟିକାକରଣ କରାଯିବ ବୋଲି କେନ୍ଦ୍ର ସରକାର ନିର୍ଦ୍ଦେଶ ଦେବା ପରେ ରାଜ୍ୟବ୍ୟାପୀ ଟିକାକରଣ କରାଯିବ। କେଉଁ କେନ୍ଦ୍ରଗୁଡ଼ିକ ଆସନ୍ତାକାଲି ଟିକାଦାନ କରିବେ ନାହିଁ, ସେ ସଂପର୍କରେ କୌଣସି ସୂଚନା ନାହିଁ। ଏଡିଏମ୍‌ଓ(ଜନସ୍ବାସ୍ଥ୍ୟ)ଙ୍କ ସହିତ ଏ ସଂପର୍କରେ ଆଲୋଚନା କରାଯିବ ବୋଲି ଡା. ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ଅପରପକ୍ଷରେ ଆଜି ରାଜ୍ୟରେ ଟିକାକରଣରେ ନୂଆ ରେକର୍ଡ ସୃଷ୍ଟି ‌ହୋଇଛି। ଗୋଟିଏ ଦିନରେ ୨ଲକ୍ଷ ୭୧ହଜାର ୪୮୦ ଲୋକଙ୍କୁ ଉଭୟ ପ୍ରଥମ ଓ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଛି। ଏଥିରେ ୪୫ ବର୍ଷରୁ ଅଧିକ ୧ଲକ୍ଷ ୮୧ହଜାର ୯୭୩ଜଣ ପ୍ରଥମ ଡୋଜ୍ ଓ ୧୦୨୯ଜଣ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ସେହିପରି ୬୦ ବର୍ଷରୁ ଅଧିକ ୭୪,୫୬୭ଜଣଙ୍କୁ ପ୍ରଥମ ଡୋଜ୍ ଓ ୧୦,୧୮୬ଜଣଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଛି। ଏହାସହ ସ୍ବାସ୍ଥ୍ୟକର୍ମୀ ଓ ଆଗଧାଡ଼ିର ଯୋଦ୍ଧାଙ୍କୁ ଉଭୟ ଡୋଜ୍‌ର ଟିକା ଦିଆଯାଇଛି। ଟିକା ନେବା ପରେ ଜଣଙ୍କଠାରେ ଟିକାର ପାର୍ଶ୍ବପ୍ରତିକ୍ରିୟା ଦେଖିବାକୁ ମିଳିଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ୩୧ଲକ୍ଷ ୩୭ହଜାର ୬୯୮ଜଣଙ୍କୁ ଟିକା ଦିଆ ସରିଲାଣି। ଏଥିରେ ୬୦ବର୍ଷରୁ ଅଧିକ ୧୬ଲକ୍ଷ ୧୭ହଜାର ୩୨୪ଜଣ ବ୍ୟକ୍ତି ପ୍ରଥମ ଡୋଜ୍ ଟିକା ନେଇଛନ୍ତି।

ସମ୍ବନ୍ଧିତ ଖବର