୭୧୪ ଅଧିବେଶନରେ ଟିକାକରଣ ଆଜି

ଭୁବନେଶ୍ବର : ଗୁରୁବାର ରାଜ୍ୟରେ ଟିକାକରଣ ପାଇଁ ୭୧୪ଟି ଅଧିବେଶନ ଆୟୋଜିତ ହେବ। ଓଡ଼ିଶାକୁ ଅନିୟମିତ ଟିକା ଯୋଗାଣ ପାଇଁ ରାଜ୍ୟରେ ଟିକାକରଣ ଅଧିବେଶନ କ୍ରମାଗତ ଭାବେ କମି କମି ଚାଲିଛି। ଫଳରେ ଦୈନିକ ୨ଲକ୍ଷ ଡୋଜ୍ ଟିକାକରଣ ରାଜ୍ୟରେ ବିଫଳ ହୋଇଛି।

ଆଜି ରାଜ୍ୟରେ ୮୮୯ଟି ଟିକାକରଣ ଅଧିବେଶନ ଆୟୋଜିତ ହୋଇଥିଲା। ଏଥିରେ ୧ଲକ୍ଷ ୨ହଜାର ୪୦୭ଜଣଙ୍କୁ ଟିକା ଦିଆଯାଇଛି। ଏଥିରେ ୪୫ବର୍ଷରୁ ଅଧିକ ୬୯,୬୬୩ଜଣଙ୍କୁ ପ୍ରଥମ ଓ ୨୯,୬୬୯ ଜଣଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଛି। ଏହାସହ ସ୍ବାସ୍ଥ୍ୟକର୍ମୀ, ଆଗଧାଡ଼ିର ଯୋଦ୍ଧାଙ୍କୁ ମଧ୍ୟ ଟିକା ଦିଆଯାଇଛି। ଖୋର୍ଧା ଜିଲ୍ଲାରେ ୨ଜଣଙ୍କ ନିକଟରେ ଟିକାର ସାମାନ୍ୟ ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଆଜି ଟିକାକରଣ ସଂଖ୍ୟାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୫୩ଲକ୍ଷ ୫୯ହଜାର ୭୯୪ଜଣ କରୋନା ଟିକା ନେଇ ସାରିଲେଣି।

ଅପରପକ୍ଷରେ ରାଜ୍ୟରେ ପଞ୍ଜୀକୃତ ହୋଇଥିବା ୯୬ ପ୍ରତିଶତ ସ୍ବାସ୍ଥ୍ୟକର୍ମୀ ପ୍ରଥମ ଓ ୮୭ପ୍ରତିଶତ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ଏହାସହ ଆଗଧାଡ଼ିର ଯୋଦ୍ଧାଙ୍କ ମଧ୍ୟରେ ପ୍ରଥମ ଡୋଜ୍ ୯୬ ପ୍ରତିଶତ ଓ ୮୯ ପ୍ରତିଶତ ଦ୍ବିତୀୟ ଡୋଜ୍ ଟିକା ନେଇ ସାରିଲେଣି। ଆଜି ସଂଧ୍ୟା ୮ଟା ସୁଦ୍ଧା ରାଜ୍ୟରେ ୨ଲକ୍ଷ ୬୩ହଜାର ୬ଶହ ‌ଡୋଜ୍‌ର ‘କୋଭିସିଲ୍‌ଡ’ ଓ ୧ଲକ୍ଷ ୯୬ହଜାର ୫୦ ‌‘କୋଭାକ୍ସିନ୍’ ଡୋଜ୍ ମହଜୁଦ ରହିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର