ଆସନ୍ତାକାଲି ଠାରୁ ଅଧିକସଂଖ୍ୟକ କେନ୍ଦ୍ରରେ ଟିକାକରଣ ହେବ: ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ବର: ଆସନ୍ତାକାଲି ଠାରୁ ପୁଣି ଟିକାକରଣ ଚାଲିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଏଥର ଟିକାକରଣ କେନ୍ଦ୍ରର ସଂଖ୍ୟା ବଢିବ ବୋଲି ସେ କହିଛନ୍ତି ।
ତାଙ୍କର ସୂଚନା ଅନୁଯାୟୀ, ସବୁ ଘରୋଇ ଓ ସରକାରୀ ମେଡିକାଲ କଲେଜର ୫ ଟି ସ୍ଥାନରେ ଟିକାକରଣ ବ୍ୟବସ୍ଥା କରାଯିବ। ଠିକ୍ ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟରେ ଦୁଇଟି ସେସନରେ ଟିକାକରଣ କରାଯିବ। ଏହି ସବୁ ସ୍ଥାନରେ ଦୁଇଶହଜଣଙ୍କୁ ଟିକା ଦିଆଯିବ। ଏଣିକି ୫ ବଦଳରେ ୬ ଜଣ ଭ୍ୟାକ୍ସିନ ଇନଚାର୍ଜ ରହିବେ। କିନ୍ତୁ ପିଏଚସି ଓ ସିଏଚସି ଟିକାକରଣ କେନ୍ଦ୍ରରେ ପୂର୍ବ ନିର୍ଦ୍ଧାରିତ ନିୟମ ଅନୁଯାୟୀ ଟିକାକରଣ କରାଯିବ। ଏଥିପାଇଁ ପ୍ରତି ଜିଲ୍ଲାକୁ ଏହି ନିର୍ଦ୍ଦେଶ ଦିଆଯାଇଛି ।
ସୂଚନାଯୋଗ୍ୟ, ଗତକାଲି ସୁରୁଖୁରୁରେ ଟିକାକରଣ ହୋଇଛି। ରାଜ୍ୟରେ ୧୩୯୮୦ ଲୋକଙ୍କୁ ଟିକା ଦିଆଯାଇଛି। ମୋଟ୍ ୮୫ ପ୍ରତିଶତ ଟିକାକରଣ ହୋଇଛି। ତେବେ ୬ଟି ଜିଲ୍ଲାରେ ଶହେ ପ୍ରତିଶତ ସଫଳତା ମିଳିଛି। ଢେଙ୍କାନାଳ, ସାଲେପୁର ଓ ରାୟଗଡ଼ାରେ କିଛି ଲୋକଙ୍କ ଭିତରେ ସାମାନ୍ୟ ପାର୍ଶ୍ଵ ପ୍ରତିକ୍ରିୟା ଦେଖା ଦେଇଥିଲା। ନର୍ଭସନେସ ପାଇଁ ପାର୍ଶ୍ଵ ପ୍ରତିକ୍ରିୟା ଦେଖା ଦେଇଥିଲା। ପରବର୍ତ୍ତୀ ସମୟରେ ସବୁ କିଛି ଠିକ ରହିଛି। ଏହା ଉପରେ ବିଭାଗ ନଜର ରଖିଛି ବୋଲି ବିଜୟ ପାଣିଗ୍ରାହୀ କହିଛନ୍ତି।

ସମ୍ବନ୍ଧିତ ଖବର