ଭୁବନେଶ୍ବର : ରାଜ୍ୟରେ ଦ୍ବିତୀୟ ଡୋଜ୍ ଟିକା ନେବାକୁ ଅନେକ ଲୋକ ଭୁଲି ଯାଇଛନ୍ତି। କେବଳ ଗ୍ରାମାଞ୍ଚଳରେ ନୁହେଁ, ସାରା ରାଜ୍ୟରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ତେଣୁ ଏହି ଲୋକମାନଙ୍କୁ ଟିକାକରଣ କେନ୍ଦ୍ରକୁ ଆଣିବା ଲାଗି ସମ୍ମୁଖ ଯୋଦ୍ଧାଙ୍କୁ ଦାୟିତ୍ବ ଦିଆଯିବ ବୋଲି କହିଛନ୍ତି ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା. ବିଜୟ ପାଣିଗ୍ରାହୀ।

Advertisment

ଡା. ପାଣିଗ୍ରାହୀ କହିଛନ୍ତି ଯେ ବିଭିନ୍ନ କାରଣ ପାଇଁ ଲୋକମାନେ ଟିକା ନେବାକୁ ଭୁଲି ଯାଉଛନ୍ତି। ପ୍ରଥମ ଓ ଦ୍ବିତୀୟ ଡୋଜ୍ ଟିକା ଭିତରେ ୩ ମାସର ବ୍ୟବଧାନ ରହୁଥିବାରୁ ଅନ୍ୟ କାମରେ ବ୍ୟସ୍ତ ରହି ଅନେକଙ୍କ ଟିକା ନେବାକୁ ମନେ ପଡ଼ୁନାହିଁ। ତେଣୁ ଜିଲ୍ଲାସ୍ତରରେ ସେମାନଙ୍କ ତାଲିକା ପ୍ରସ୍ତୁତ କରାଯାଉଛି। ଯେଉଁମାନଙ୍କର ଦ୍ବିତୀୟ ଡୋଜ୍ ଟିକା ନେବାର ସମୟ ଗଡ଼ି ଗଲାଣି, ସେମାନଙ୍କୁ ଟିକା ନେବା ପାଇଁ ଏସ୍‌ଏମ୍‌ଏସ୍‌ ପଠାଯାଉଛି। ଦ୍ବିତୀୟ ଡୋଜ୍ ଟିକା ନେବାକୁ ଭୁଲି ଯାଇଥିବା ୨୮ପ୍ରତିଶତ ଲୋକଙ୍କୁ ସମ୍ମୁଖ ଯୋଦ୍ଧା ଟିକାକରଣ କେନ୍ଦ୍ରକୁ ଆଣିବେ।

ଏବେ ଦୈନିକ ୪ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦେବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବାରୁ ୧୮ଶହରୁ ଅଧିକ ଟିକାକରଣ ଅଧିବେଶନ ଆୟୋଜିତ କରାଯାଉଛି। ଗତକାଲି ସୁଦ୍ଧା ରାଜ୍ୟରେ ୨କୋଟି ୮୭ଲକ୍ଷରୁ ଅଧିକ ଡୋଜ୍ ଟିକା ଦିଆଯାଇଥିବା ବେଳେ ସେଥିରୁ ୨.୧ କୋଟି ପ୍ରଥମ ଓ ୭୭ଲକ୍ଷ ଦ୍ବିତୀୟ ଡୋଜ୍ ଟିକା ନେଇ ସାରିଲେଣି। ରାଜ୍ୟର ୬୭ ପ୍ରତିଶତ ହିତାଧିକାରୀ ପ୍ରଥମ ଡୋଜ୍ ପାଇ ସାରିଲେଣି ବୋଲି ଡା. ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ରାଜ୍ୟରେ ଆଜି ୧୮୩୭ ଟିକାକରଣ ଅଧିବେଶନରେ ୪ଲକ୍ଷ ୯ହଜାର ୫୨୭ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ଏଥିରେ ୧୮-୪୪ ବର୍ଗରେ ୧ଲକ୍ଷ ୬୬ହଜାର ୧୪୩ ପ୍ରଥମ ଓ ୧ଲକ୍ଷ ୭ହଜାର ୩୪୦ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ସେହିପରି ୪୫ ବର୍ଷରୁ ଅଧିକ ୭୨,୩୯୫ ପ୍ରଥମ ଓ ୬୨,୧୫୧ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ରାଜ୍ୟରେ ୧୮-୪୪ବର୍ଗରେ ୫୮ପ୍ରତିଶତ ଓ ୪୫ବର୍ଷରୁ ଅଧିକ ୮୦ ପ୍ରତିଶତ ହିତାଧିକାରୀ ପ୍ରଥମ ଡୋଜ୍ ଟିକା ନେଇ ସାରିଲେଣି। ରାଜ୍ୟରେ ସମୁଦାୟ ୨କୋଟି ୯୧ଲକ୍ଷ ୪୪ହଜାର ୩୭୬ ଡୋଜ୍ ଟିକା ଦିଆଗଲାଣି।