ଏପ୍ରିଲ ପରେ ଗ୍ରାମାଞ୍ଚଳରେ ଅଧିକ ଟିକାକରଣ

ଭୁବନେଶ୍ବର : ଏପ୍ରିଲ ମାସରେ ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଅଧିକ ଟିକାକରଣ ହୋଇଛି। ନିର୍ଦ୍ଦିଷ୍ଟ ଭାବେ ଏହି ସଂଖ୍ୟା କେତେ ତାହା ସ୍ପଷ୍ଟ ହୋଇନାହିଁ। ମାତ୍ର ଏବେ ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଅଧିକ ଟିକାକରଣ କରାଯାଉଥିବା କହିଛନ୍ତି ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା. ବିଜୟ ପାଣିଗ୍ରାହୀ।

ଡା. ପାଣିଗ୍ରାହୀ କହିଛନ୍ତି, ଜାନୁଆରି ମାସରେ ରାଜ୍ୟରେ ଟିକାକରଣ ଆରମ୍ଭ ହେବା ପରେ ପ୍ରଥମେ କେବଳ ସହରାଞ୍ଚଳରେ ଟିକାକରଣ କରାଯାଉଥିଲା। ଏହାର କିଛିଦିନ ପରେ ରାଜ୍ୟର ଅନ୍ୟ ସ୍ଥାନରେ ଟିକାକରଣ ଆରମ୍ଭ ହୋଇଥିଲା। ଏବେ ରାଜ୍ୟରେ ୧କୋଟି ୮୬ଲକ୍ଷ ଡୋଜ୍ ଟିକା ଦିଆ ସରିଲାଣି। ଏବେ କେନ୍ଦ୍ରରୁ ଯେତିକି ଟିକା ଆସୁଛି ସେହି ଅନୁଯାୟୀ ଟିକାକରଣ କରାଯାଉଛି। ଆସନ୍ତାକାଲି ୩ଲକ୍ଷ ଡୋଜ୍ କୋଭିସିଲ୍‌ଡ ପହଞ୍ଚିବ। ଆବଶ୍ୟକ ପଡ଼ିଲେ ଟିକାକରଣ କେନ୍ଦ୍ରକୁ ବଢ଼ାଯିବ। ତେବେ ଟିକା ନେବାକୁ ଆସିପାରୁ ନ ଥିବା ଲୋକଙ୍କ ପାଇଁ ଆବଶ୍ୟକ ପଡ଼ିଲେ ଅପହଞ୍ଚ ଅଞ୍ଚଳରେ ମୋବାଇଲ ୟୁନିଟ ଜରିଆରେ ଟିକାକରଣ କରାଯିବ ବୋଲି ସେ କହିଛନ୍ତି।

ରାଜ୍ୟରେ ଆଜି ୧୩୪୭ ଟିକାକରଣ ଅଧିବେଶନରେ ୨ଲକ୍ଷ ୧୯ହଜାର ୮୦୬ ଡୋଜ୍ ଟିକା ଦିଆଯାଇଛି। ଏଥିରେ ୧୮-୪୪ବର୍ଗର ୧,୩୫,୮୬୦ଡୋଜ୍ ପ୍ରଥମ ଓ ୧୪,୬୩୧ ଦ୍ବିତୀୟ ଡୋଜ୍ ନେଇଥିବା ବେଳେ ୪୫ବର୍ଷରୁ ଅଧିକ ୪୨,୧୬୨ଡୋଜ୍ ପ୍ରଥମ ଓ ୨୩,୮୭୧ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ଏଥିରେ ୨୦,୫୨,୨୭୫ କୋଭିସିଲ୍‌ଡ, ୧୪,୪୫୬ କୋଭାକ୍ସିନ୍ ଓ ୭୫ ଡୋଜ୍ ସ୍ପୁଟନିକ-ଭି ଟିକା ଦିଆଯାଇଛି।

ସମ୍ବନ୍ଧିତ ଖବର