ଭୁବନେଶ୍ୱର : ରାଜ୍ୟରେ କରୋନା ଟିକାକରଣ ସାଢ଼େ ୪ କୋଟି ଟପିଛି। ବୁଧବାର ରାଜ୍ୟରେ ୨ଲକ୍ଷ ୪୮ହଜାର ୭୭୩ ହିତାଧିକାରୀଙ୍କୁ କୋଭିଡ ଟିକା ଦିଆଯିବା ପରେ ମୋଟ ଟିକାକରଣ ସଂଖ୍ୟା ୪କୋଟି ୫୨ଲକ୍ଷ ୮୪ହଜାର ୬୦୮ରେ ପହଞ୍ଚିଛି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କରୋନା ବିରୋଧରେ ଚାଲିଥିବା ଲଢ଼େଇରେ ଟିକାକରଣ ଏକ ପ୍ରମୁଖ ଅସ୍ତ୍ର। ରାଜ୍ୟ ଏ ଦିଗରେ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛି ବୋଲି ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରିଛନ୍ତି।
ରାଜ୍ୟରେ ୧୮-୪୪ବର୍ଗର ୮୧ ପ୍ରତିଶତ ଓ ୪୫ବର୍ଷରୁ ଅଧିକ ୯୦ ପ୍ରତିଶତ ହିତାଧିକାରୀ ନିଜର ପ୍ରଥମ ଡୋଜ୍ ଟିକା ନେଇ ସାରିଲେଣି। ଏହାସହ ୩ଲକ୍ଷ ୮୧ହଜାର ୫୫୧ ଗର୍ଭବତୀ ମହିଳାଙ୍କୁ ମଧ୍ୟ ଟିକା ଦିଆଯାଇଛି। ରାଜ୍ୟରେ ସମୁଦାୟ ୩.୨୫ କୋଟି ହିତାଧିକାରୀଙ୍କୁ ଟିକା ଦିଆଯିବାକୁ ଲକ୍ଷ୍ୟ ରହିଛି। ଚଳିତମାସ ଶେଷ ସୁଦ୍ଧା ରାଜ୍ୟ ସରକାର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଅତିକମ୍ରେ ଗୋଟିଏ ଡୋଜ୍ ଟିକା ଦେବାକୁ ଲକ୍ଷ୍ୟ ରଖିଛନ୍ତି। ରାଜ୍ୟ ପାଖରେ ଏବେ ୫୦ଲକ୍ଷରୁ ଅଧିକ ଡୋଜ୍ ଟିକା ମହଜୁଦ୍ ରହିଛି। ଆସନ୍ତାକାଲି ରାଜ୍ୟରେ ୨୩୩୪ ଟିକାକରଣ ଅଧିବେଶନ ଆୟୋଜିତ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।